ମାଲକାନଗିରି: କାନ୍ଥ କଣା କରି ଲୁଟିଲେ ଦୁର୍ବୃତ୍ତ । ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି । ଏଭଳି ଏକ ହାଇପ୍ରୋଫାଇଲ ଚୋରି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ସହରରୁ । ଯାହା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏକ ବଡ ମୋବାଇଲ ଦୋକାନର କାନ୍ଥକୁ କଣା କରି ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି କରି ନେଇଛନ୍ତି ଲୁଟେରା । ସିସିଟିଭିରେ କଏଦେ ହେଲା ସମ୍ପୂର୍ଣ୍ଣ ଘଟଣା । ପୋଲିସର ଛାନଭିନ ଆରମ୍ଭ ।
ଦେଢ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି:
ମାଲକାନଗିରି ସହରର ସବୁଠାରୁ ବଡ ମୋବାଇଲ ଦୋକାନ ହେଉଛି ଓମ୍ ମୋବାଇଲ କେୟର । ଏହି ଦୋକାନରେ ଛୋଟରୁ ବଡ ବଡ ମୋବାଇଲ ସେଟ ମିଳିଥାଏ । ଏପରିକି ସହଜ କିସ୍ତିରେ ମଧ୍ୟ ମୋବାଇଲ ମିଳିଥାଏ । ତେବେ ଲୁଟେରାମାନେ ଗତକାଲି(ବୁଧବାର) ରାତିରେ ଏହି ଦୋକାନକୁ ଟାର୍ଗେଟ କରିଥିଲେ । ଏହି ଦୋକାନଟି ଥାନା ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି । ରାତି ପ୍ରାୟ ସାଢେ ୩ଟା ବେଳେ ଚୋରମାନେ ଦୋକାନର ପଛ କାନ୍ଥକୁ କଣା କରିଥିଲେ । ସେହି କଣାରେ ଜଣେ ମାତ୍ର ଚୋର ମୋବାଇଲ ଦୋକାନରେ ପଶି ଦାମୀ ମୋବାଇଲ ସେ ବସ୍ତାରେ ଭର୍ତ୍ତି କରି ବାହାରେ ଥିବା ଦୁଇ ଜଣ ସାଥୀଙ୍କୁ ବଢାଇ ଦେଉଥିଲା । ଯାହାର ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି । ତେବେ ଚୋର ୫ ହଜାରର ମୋବାଇଲ ସେଟ୍ ଛାଡି ଦେଇଥିବାବେଳେ କେବଳ ୨୦ ହଜାରରୁ ଦେଢ ଲକ୍ଷ ଟଙ୍କାର ମୋବାଇଲ ଚୋରି କରି ନେଇଥିବା ଦେଖିବାକୁ ମିଳିଛି ।
କିପରି ଜାଣିଲେ ଦୋକାନ ମାଲିକ ?
ଦୋକାନ ମାଲିକ ଦୀପଙ୍କର ମଣ୍ଡଲ କହିଛନ୍ତି,"ମୁଁ ଦୋକାନ ଖୋଲିବାକୁ ଆସିବାବେଳେ ଦୋକାନରେ ମୋବାଇଲ ଫିଙ୍ଗା ଫୋପଡା ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଦୋକାନର କାନ୍ଥ କଣା ହୋଇଥିବା ଦେଖିବାକୁ ପାଇଥିଲି । ପରେ ମାଲାକନଗିରି ପୋଲିସକୁ ଖବର ଦେଇଥିଲି । ଚୋରମାନେ ମୋବାଇଲର ସମସ୍ତ ଖୋଳକୁ ବାହାରେ ଫିଙ୍ଗି ଦେବା ସହ ମୋବାଇଲ ଆସେସୋରିସ ଗୁଡିକ ନେଇ ଚାଲିଯାଇଛନ୍ତି ।"
ଏପରି କହିଲା ପୋଲିସ...
ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି,"ଘଟଣା ସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରାଯାଉଛି । "
ଇଟିଭି ଭାରତ,ମାଲକାଗିିରି