ନିମାପଡ଼ା: ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟପୂଜାକୁ ନେଇ ଚଳଚଞ୍ଜଳ କୋଣାର୍କ । ଆଜି ପାଇଁ ଏଠାରେ ପ୍ରବେଶ ଶୁଳ୍କ ଛାଡ କରାଯାଇଛି । ପର୍ଯ୍ୟଟକମାନେ ମାଗଣାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାର ମଜା ନେଇପାରିବେ । ସେପଟେ ଅବଧୂତ ମଠରୁ ହଜାର ହଜାର ସୂର୍ଯ୍ୟ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ଗଡିଲା ସୂର୍ଯ୍ୟ ରଥ ।
କାହିଁକି ପାଳନ କରାଯାଏ ଶାମ୍ବ ଦଶମୀ:
ଶାମ୍ବ ଦଶମୀ ଉପଲକ୍ଷେ କୋଣାର୍କ ଚଳଚଞ୍ଚଳ ହୋଇପଡିଛି । ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସୂର୍ଯ୍ୟ ପୂଜା କଲେ ପରିବାରର ମଙ୍ଗଳ ହେବା ସହ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି । ପୌରାଣିକ କଥା ଅନୁଯାୟୀ ଅବଧୂତ ମଠ ମହନ୍ତ ଆଦିତ୍ୟ ଚରଣ ଦାଶ କହିଛନ୍ତି,"ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ମିଳନ ସମୟରେ ତାଙ୍କ ପୁତ୍ର ଶାମ୍ବ ଘରେ ପଶିଯାଇଥିଲେ । ସେଠାରେ ପିତା ଶ୍ରୀକୃଷ୍ଣ ଶାମ୍ବଦେବଙ୍କୁ ଦେଖି ଅଭିଶାପ ଦେଇଥିଲେ । ଶାମ୍ବଦେବ ଅଭିଶାପ ପାଇଁ ନାରଦମୁନିଙ୍କ ପାଖରେ ଶରଣ ପଶିଥିଲେ । ନାରଦମୁନି ଶାମ୍ବଦେବଙ୍କୁ କହିଥିଲେ ଯେ, ସୂର୍ଯ୍ୟ ଉଦୟ ପୂର୍ବରୁ ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବା ପରେ ସୂର୍ଯ୍ୟ ଦେବକୁ ପୂଜାର୍ଚ୍ଚନା କଲେ ଅଭିଶାପରୁ ମୁକ୍ତ ହେବ । ଆଉ ପୂଜାର୍ଚ୍ଚନା କରି ଅଭିଶାପରୁ ମୁକ୍ତ ହୋଇଥିଲେ ଶାମ୍ବଦେବ । ତେଣୁ ଶ୍ରଦ୍ଧାଳୁମାନେ ଏହାକୁ ବିଶ୍ବାସ କରି ନିଜ ସନ୍ତାନର ଆରୋଗ୍ୟ କାମନା କରି ଶାମ୍ବ ଦଶମୀ ପାଳନ କରିଥାନ୍ତି ।"
ସୂର୍ଯ୍ୟନାରାୟଣଙ୍କ ପ୍ରତିମା କରୁଛନ୍ତି ପରିକ୍ରମା:
ସେହିଦିନଠାରୁ ଆଜିର ଦିନରେ ବିଭିନ୍ନ ପ୍ରକାର ଫଳ ସହ ମଣ୍ଡାପିଠା , ପୋଡପିଠା, ଘିଅ ପିଠା, ମୁଆଁ , ସାକର ଇତ୍ୟାଦି ବିଭିନ୍ନ ପ୍ରକାରର ଭୋଗ ଘରେ ଘରେ ତିଆରି କରି ସମସ୍ତ ମାଆମାନେ ନିଜ ପରିବାରର ମଙ୍ଗଳ କାମନା ପାଇଁ ସୂର୍ଯ୍ୟ ପୂଜାର୍ଚ୍ଚନା କରିବା ସହ ବ୍ରତ ଧାରଣ କରିଥାନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ପାର୍ଶ୍ବ ଅବଦୁତ ମଠଠାରେ ହୋମ ଯଜ୍ଞ ହେବା ସହ ଆଜି ସୂର୍ଯ୍ୟନାରାୟଣଙ୍କ ଦୁଇ ଉତ୍ତରାୟଣ ଓ ଦକ୍ଷିଣାୟନ ଚଳନ୍ତି ପ୍ରତିମା ରଥା ରୁଢ଼ ହୋଇ କୋଣାର୍କ ପରିକ୍ରମା କରିଥାନ୍ତି । ଏହାପରେ ଚନ୍ଦ୍ରଭାଗା ସ୍ଥିତ ଛୋଟାବାବା ମଠକୁ ଯାଇ ସେଠାରେ ୨୭ ଦିନ ରହିବା ପରେ ମାଘମାସ ସସ୍ତମୀ ଦିନ ମହୋଦଧିରେ ମହା ସ୍ନାନ କରି ଫେରିଆସିବେ ସୂର୍ଯ୍ୟ ଦେବ।
ସୂର୍ଯ୍ୟଙ୍କ ରଥ ଯାତ୍ରା, ସନ୍ତାନର ମଙ୍ଗଳ ମନାସୁଛନ୍ତି ମା':
ଏହି ପୁରାଣ ବର୍ଣ୍ଣିତ କଥାକୁ ମନେ ପକାଇ ନିଜ ସନ୍ତାନର ମଙ୍ଗଳ ମନାସି ଘରେ ଘରେ ସୂର୍ଯ୍ୟ ପୂଜା କରିଥାନ୍ତି ମା' ମାନେ । ଶାମ୍ବ ଦଶମୀ ଅବସରରେ ସୂର୍ଯ୍ୟ ରଥ ଟଣାଯାଇଛି ।ଆଜି ସୂର୍ଯ୍ୟନାରାୟଣଙ୍କ ଦୁଇ ଉତ୍ତରାୟଣ ଓ ଦକ୍ଷିଣାୟନ ଚଳନ୍ତି ପ୍ରତିମା ରଥା ରୁଢ଼ ହୋଇ କୋଣାର୍କ ପରିକ୍ରମା କରିଥାନ୍ତି । ହଜାର ହଜାର ସୂର୍ଯ୍ୟ ଭକ୍ତ ଓ ଶ୍ରନ୍ଧାଳୁମାନଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଛି ଅର୍କ କ୍ଷେତ୍ର କୋଣାର୍କ । କୋଣାର୍କଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ସମାଗମ ଦେଖିବାକୁ ମିଳିଛି ।
ବିଶ୍ବଶାନ୍ତି ମହାଯଜ୍ଞ :
ଅନ୍ୟପଟେ ବିଶ୍ବର କଲ୍ୟାଣ ପାଇଁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ବିଶ୍ବଶାନ୍ତି ମହାଯଜ୍ଞ ଜଗନ୍ନାଥ ମନ୍ଦିର ପାର୍ଶ୍ବରେ କରାଯାଇଛି। ଯାହା ଆଜି ପୂର୍ଣ୍ଣହୁତି ପରେ ସୂର୍ଯ୍ୟ ମନ୍ଦିର ପରିକ୍ରମା କରିବେ ସୁରକ୍ଷା ସମିତିର କର୍ମକର୍ତ୍ତା। ସମସ୍ତଙ୍କ ମୁହଁରେ ଜୟ ସୂର୍ଯ୍ୟ ନାରାୟଣ , ସୂର୍ଯ୍ୟ ଦେବକି ଜୟ ନାରା ଦେବା ବେଳେ ଗୋଟିପୁଅ ନୃତ୍ୟରେ ପୁରୀ କୋଣାର୍କ ମୂଖ୍ୟ ରାସ୍ତା ଫାଟିପଡୁଛି।
ଇଟିଭି ଭାରତ, ନିମାପଡ଼ା