ପାଟନା: ବିହାରର ରୋହତାସରେ ଘଟିଛି ଏ ଆଶ୍ଚର୍ଯ୍ୟଜନକ ଘଟଣା । ଯାହା ଶୁଣିଲେ ଆପଣ ମଧ୍ୟ ସହଜରେ ବିଶ୍ବାସ କରିପାରିବେ ନାହିଁ । ମୃତ୍ୟୁ ପରେ ବି ଜୀବିତ ହୋଇ ଘରକୁ ଫେରିଛନ୍ତି ଜଣେ ବ୍ୟକ୍ତି । ହତ୍ୟାର 17 ବର୍ଷ ପରେ ଘରକୁ ଜୀବିତ ଅବସ୍ଥାରେ ଫେରିଛନ୍ତି । ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନାଥୁନୀ ପାଲ । 2008ରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ଅଭିଯୋଗରେ ତାଙ୍କ ପରିବାରର 4 ଜଣଙ୍କୁ ପୋଲିସ ଗିରଫ କରିଥିଲା ।
ହତ୍ୟାର 17 ବର୍ଷ ପରେ ଜୀବତ ଫେରିଲେ ମୃତ ବ୍ୟକ୍ତି:
2008, ସେପ୍ଟେମ୍ବର 17 ତାରିଖରେ ଆକୋଢିଗୋଲା ଥାନାରେ ନାଥୁନୀ ପାଲଙ୍କ ହତ୍ୟା ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ଗାଁର ଚାରି ଜଣଙ୍କ ନାମରେ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ପରେ 4 ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା ।
ଏହା ମଧ୍ୟ ପଢନ୍ତୁ-ଆଶ୍ଚର୍ଯ୍ୟ ! 2 ବର୍ଷ ପରେ ଜୀବିତ ଫେରିଲେ କୋରୋନାରେ ମୃତ ଘୋଷିତ ବ୍ୟକ୍ତି - ମଧ୍ୟ ପ୍ରଦେଶ ଖବର
ଝାନ୍ସୀ ପୋଲିସ ଦ୍ୱାରା ଉଦ୍ଧାର:
ସମସ୍ତ ଚାରି ଅଭିଯୁକ୍ତଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିଥିଲା । ପରେ ବହୁତ ଚେଷ୍ଟା ପରେ ସମସ୍ତଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା । ଆକୋଢିଗୋଲା ଥାନା SHO ଚନ୍ଦ୍ରଶେଖର ଶର୍ମା କହିଛନ୍ତି, ''ମାମଲାର ଶୁଣାଣି ଏବେ ବି ଚାଲିଛି । ଏହି ସମୟରେ, ଉତ୍ତର ପ୍ରଦେଶର ଝାନ୍ସୀ ପୋଲିସ ନାଥୁନୀ ପାଲଙ୍କୁ ଖୋଜି ପାଇଛି । ଏବେ ରୋହତାସ ପୋଲିସ ତାଙ୍କୁ ନେଇ ଆକୋଢିଗୋଲାରେ ପହଞ୍ଚିଛି । 'ତାଙ୍କୁ ପଚରା ଉଚାର କରାଯାଉଛି । ୨୦୦୮ ମସିହାରେ କେଉଁ ପରିସ୍ଥିତିରେ ସେ ନିଖୋଜ ହୋଇଯାଇଥିଲେ ? ଏତେ ଦିନ ଧରି ନିଖୋଜ ରହିବା ପଛରେ କାରଣ କଣ ? ତାହା ଜାଣିବାକୁ ଚେଷ୍ଟା କରାଯାଉଛି ।''
ହତ୍ୟା ଅଭିଯୋଗରେ 4 ଗିରଫ:
ଉତ୍ତର ପ୍ରଦେଶର ଝାନ୍ସୀର ବରୁଆଁ ସାଗର ଥାନା ପୋଲିସ ନାଥୁନୀ ପାଲଙ୍କୁ ଧରିଛି । ଜାନୁଆରୀ 6 ତାରିଖରେ, ବରୁଆଁ ସାଗର ଥାନା ଆଉଟପୋଷ୍ଟ ଇନଚାର୍ଜ ନବାବ ସିଂହ ପାଟ୍ରୋଲିଂ କରୁଥିବା ସମୟରେ ଧାୱାରା ଗାଁରୁ ନାଥୁନୀ ପାଲଙ୍କୁ ପାଇଥିଲେ । ସେ ଗତ ୧୭ ବର୍ଷ ଧରି ଝାନ୍ସୀର ଏହି ଗାଁରେ ରହୁଥିଲେ । ତାଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋଟିଏ ପରିବାରର 4 ଜଣଙ୍କୁ ଗରିଫ କରାଯାଇଥିଲା ।
କାକା ଏବଂ ଭାଇଭଉଣୀଙ୍କ ବିରୋଧରେ ମାମଲା ଚାଲିଛି:
ନାଥୁନୀ ପାଲଙ୍କ ବାପା ମାଆଙ୍କ ମୃତ୍ୟୁ ପରେ, ସେ ତାଙ୍କ କାକା ରତି ପାଲ ଓ ସମ୍ପର୍କୀୟ ଭାଇଭଉଣୀଙ୍କ ସହିତ ରହୁଥିଲେ। ଯେତେବେଳେ ସେ ହଠାତ୍ ଘରୁ ନିଖୋଜ ହୋଇଗଲେ, ନାଥୁନୀ ପାଲଙ୍କ ମାମୁଁ ବାବୁଲାଲ ପାଲ ବିହାରର ଆକୋଢିଗୋଲା ପୋଲିସ ଷ୍ଟେସନରେ ତାଙ୍କ ସମ୍ପର୍କୀୟ ଭାଇଉଭଣୀ ଓ କାକାଙ୍କ ବିରୁଦ୍ଧରେ ଅପହରଣ ଏବଂ ହତ୍ୟା ମାମଲା ଦାୟର କରିଥିଲେ ।
ଚାପ ଯୋଗୁଁ କାକାଙ୍କ ମୃତ୍ୟୁ:
ପୋଲିସ ତଦନ୍ତ ପରେ ସତ ସାମ୍ନାକୁ ଆସିଥିଲା । ରତି ପାଲ ଏବଂ ତାଙ୍କ ତିନି ପୁଅ ସତ୍ୟେନ୍ଦ୍ର ପାଲ, ବିମଲେଶ ପାଲ ଏବଂ ଭଗବାନ ପାଲଙ୍କୁ ଗିରଫ କରି ଜେଲ ପଠାଇଥିଲା ପୋଲିସ । 2ବର୍ଷ ପରେ ତାଙ୍କୁ ଜାମିନ ମିଳିଥିଲା । ଏହି ଚିନ୍ତାରେ ରତି ପାଲଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ପରିବାରକୁ ବାସନ୍ଦ କରାଯାଇଥିଲା:
ଏବେ ନାଥୁନୀ ଘରକୁ ଫେରି ଆସିବା ପରେ ତାଙ୍କ ହତ୍ୟା ଅଭିଯୋଗରେ ଲୋକଲଜ୍ଜାର ଶିକାର ହୋଇଥିବା ଦାଦାଙ୍କ ପୁଅ ମାନେ ଆଶ୍ୱସ୍ତି ପାଇଛନ୍ତି । ନାଥୁନୀ ପାଲଙ୍କୁ ହତ୍ୟା ଅଭିଯୋଗ ଆସିବା ପରେ, ଗାଁର ଲୋକମାନେ ମଧ୍ୟ ତାଙ୍କ ପରିବାରକୁ ବାସନ୍ଦ କରିଥିଲେ । ସତ୍ୟେନ୍ଦ୍ର ପାଲ କହିଛନ୍ତି , '' ମୋ କାକାଙ୍କ ପୁଅ ନାଥୁନୀ ପାଲ ହଠାତ୍ ଦିନେ ନିଖୋଜ ହୋଇଯାଇଥିଲା । ଏହା ପରେ, ହତ୍ୟା ଅଭିଯୋଗରେ ଚାରି ଜଣ (ବିମଲେଶ ପାଲ, ରତି ପାଲ, ଭଗବାନ ପାଲ, ସତ୍ୟେନ୍ଦ୍ର ପାଲ)ଙ୍କୁ ଜେଲ ଯିବାକୁ ପଡିଲା । ଆଠ ମାସ ଜେଲରେ ରହିବାକୁ ପଡିଲା । ମାମଲାଟିର ବିଚାର କରାଯାଇଥିଲା । ମାମଲା ଚାଲିଲା, ଏହି ସମୟରେ, ପୋଲିସ ତାଙ୍କୁ ଖୋଜାଖୋଜି ଜାରି ରଖିଥିଲା । ଶେଷରେ, ୧୭ ବର୍ଷ ପରେ, ନାଥୁନୀ ପାଲଙ୍କୁ ପାଇଲେ।"