ଭୁବନେଶ୍ୱର: ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ହୋମ ଯଜ୍ଞ ମନ୍ତ୍ରଧ୍ୱନି, ଘଣ୍ଟଘଣ୍ଟା ନାଦରେ ଗୁଞ୍ଜରିତ ହେଉଛି ଐତିହ୍ୟସ୍ଥଳୀ ଖଣ୍ଡଗିରି-ଉଦୟଗିରି । ଏହି ଐତିହାସିକ ମେଳା ଶୁକ୍ରବାର ଅର୍ଥାତ ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ବେଳେ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ । ରାମଚରିତମାନସ, ନାମ ସଂକୀର୍ତ୍ତନ ଓ ବିଶ୍ୱଶାନ୍ତି ମହାଯଜ୍ଞର ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପାଦଦେଶ । ଏଥିପାଇଁ ଓଡ଼ିଶା ସମେତ କାଶୀ ଓ ବାରଣାସୀ, ହରିଦ୍ୱାର, ବନାରସ, ନାସିକ, ମଧ୍ୟପ୍ରଦେଶ, ଜମ୍ମୁ, ପ୍ରୟାଗ ଆଦି ବିଭିନ୍ନ ସ୍ଥାନରୁ ପ୍ରାୟ ୫ଶହ ପଞ୍ଚଦଶନାମୀ ନାଗାସାଧୁ, ବୈଷ୍ଣବ ସାଧୁ, ସନ୍ୟାସିନୀ ଆସି ଏକାଠି ହୋଇଛନ୍ତି ।
ମେଳାର ପ୍ରଥମ ଦିନରେ ଖଣ୍ଡଗିରି, ଉଦୟଗିରିରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ମେଳାକୁ ବହୁ ଦୂରଦୂରାନ୍ତରୁ ସାଧୁସନ୍ଥ ଆସିଥିବାରୁ ସେମାନଙ୍କ ସାନିଧ୍ୟ ଲାଭ କରିବା ସହ ଆର୍ଶୀବାଦ ପାଇବା ପାଇଁ ପର୍ଯ୍ୟଟକମାନେ ଏହି ପବିତ୍ର କୁମ୍ଭ ମେଳାରେ ଭିଡ ଲଗାଇଛନ୍ତି । ଶୁକ୍ରବାର ପ୍ରାତଃ ସମୟରେ ମା’ ବାରଭୂଜାଙ୍କ ଆଳତୀ ପରେ ସକାଳ ଖଣ୍ଡଗିରି ଭୋଗ ହେବା ପରେ ମା’ଙ୍କ ପାଖରେ କଳସ ସ୍ଥାପନ ହୋଇଥିଲା । ଏହାପରେ ବୈଦିକ ରୀତିନୀତିରେ କୋଣାର୍କରୁ ଅଗ୍ନି ଓ ଜଳ ଆସିବା ପରେ ବ୍ରାହ୍ମଣମାନଙ୍କ ଦ୍ୱାରା ବେଦପାଠ କରାଯାଇଥିଲା । ନାମ ସଂକୀର୍ତ୍ତନ ସହିତ ୧୦୮ କଳସ, ୧୦୮ସାଧୁ ଏବଂ ଅନ୍ୟାନ୍ୟ ପ୍ରାୟ ୧ ହଜାର ସାଧୁ ସନ୍ଥଙ୍କ ମେଳରେ ପୂର୍ବାହ୍ନ ୧୧ଟାରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ।
ଅପରାହ୍ନରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଭଣ୍ଡାର ବା ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସନ୍ଧ୍ୟାରେ ପ୍ରଭୁ ଅନନ୍ତ କେଶରୀ ଏକ ବିରାଟ ଶୋଭାଯାତ୍ରାରେ ଜାଗମରା ନାଗାମଠରୁ ବାହାରିଥିଲେ । ବାଜା, ବାଣ ରୋଷଣୀ ସହିତ ସଂକୀର୍ତ୍ତନ, ପାରମ୍ପରିକ ଘଣ୍ଟଘଣ୍ଟା ବାଦ୍ୟରେ ଅନନ୍ତକେଶୀଙ୍କୁ ସୁସଜ୍ଜିତ ବିମାନରେ ଗାଁ ପରକ୍ରମା କରାଯାଇଥିଲା । ଏହପରେ ଉଦୟଗିରି ପାହାଡ଼ରେ ଥିବା ରାଣୀହଂସପୁରକୁ ଠାକୁର ବିଜେ କରିଥିଲେ । ସେଠାରେ ପୂଜାର୍ଚ୍ଚନା ସହିତ ଭୋଗଲାଗି ହେବା ପରେ ପୁଣିଥରେ ରାତି ପ୍ରାୟ ୧୨ଟା ବେଳକୁ ନାଗାମଠକୁ ଫେରିଥିଲେ ।
ଏହି ମହାକୁମ୍ଭ ମହାମିଳନରେ ହର୍ହର୍ ମହାଦେବ ଧ୍ୱନିରେ କମ୍ପୁଛି ଖଣ୍ଡଗିରି । କିଏ ଗେରୁଆ ବସ୍ତ୍ର ପିନ୍ଧିଛନ୍ତି ତ ଆଉ କିଏ ବାଘଛାଲ ଭଳି ବସ୍ତ୍ର, ପୁଣି କିଏ କୌପିନି ପିନ୍ଧିଛନ୍ତି ତ ଆଉ କିଏ ସମ୍ପୂର୍ଣ୍ଣ ନିବସ୍ତ୍ର । ମୁଣ୍ଡରେ ଶରୀରରେ ଭସ୍ମ ବା ବିଭୁତି ବୋଳି ହାତରେ ଚିଲମ ଧରି ନାଗ ସାଧୁମାନେ ପ୍ରଭୁ ପ୍ରେମରେ ଭିଜୁଛନ୍ତି । ଖଣ୍ଡଗିରି ପାଦଦେଶରେ କଳସ ସ୍ଥାପନ କରି ହୋମଯଜ୍ଞରେ ଲୀନ ହୋଇଥିବା ସାଧୁମାନେ ତାଙ୍କ ପାଖକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ କରୁଛନ୍ତି । ବିଶ୍ୱର କଲ୍ୟାଣ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।