ଭୁବନେଶ୍ବର: ଦିନ ଥିଲା ଜାନୁଆରୀ 8...ସାରା ବିଶ୍ବର ନଜରରେ ଥିଲା ରାଜଧାନୀ ଭୁବନେଶ୍ବର । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସବୁଠୁ କଡା ସୁରକ୍ଷା । VVIPଙ୍କ ଭିଡ । ପୋଲିସର କଡା ପ୍ରହରା ଭିତରେ ରାଜଧାନୀର ଛାତି ଉପରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ପୋଲିସ ଇନଫର୍ମର ସହଦେବଙ୍କୁ କରାଯାଇଥିଲା ନିର୍ମମ ହତ୍ୟା । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଅପରାଧୀ । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପଛରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ । ବୀଭତ୍ସ ହତ୍ୟାକାଣ୍ଡର ପୋଲିସ ପରଦା ହଟାଇଛି ସତ ହେଲେ ହତ୍ୟାକାଣ୍ଡର କାରଣ ପୋଲିସକୁ ଚକିତ କରିଛି । ହତ୍ୟା ପାଇଁ ଗୋଟିଏ ନୁହେଁ ଅନେକ ପରିବାର ମିଶି ରଚିଥିଲେ ପ୍ଲାନ ।
‘ଜୀବନ ଜୀଇଁବାରେ ବାଧକ ସାଜିଥିଲେ ସହଦେବ’:
ଜୀବିକା ଛଡାଇନେବା ପରେ ଜୀବନ ଜିଇଁବାରେ ବାଧକ ସାଜିଥିଲେ ସହଦେବ । ପ୍ରତି ଦିନ ବଞ୍ଚିବାର ରାହା ଛଡ଼ାଇ ନେଇଥିଲେ । ସହଦେବକୁ ରାସ୍ତାରୁ ହଟାଇବା ପାଇଁ ରଚିଥିଲେ ପ୍ଲାନ । ଏନେଇ ସହଦେବକୁ ହତ୍ୟା ପାଇଁ ସୁଯୋଗ ଖୋଜୁଥିଲେ । ତିନିଦିନ ଧରି ସହଦେବର ଗତିବିଧି ଓ ନିତିଦିନିଆ ଯିବା ଆସିବା ବାଟ ମଧ୍ୟ ଲକ୍ଷ୍ୟ ରଖିଥିଲେ । ସହଦେବ ନିଜ ଝିଅକୁ ସ୍କୁଲ ଛାଡିବାକୁ ନେବା ପାଇଁ ରାସ୍ତାରେ ତାକୁ ପିଛା କରିଥିଲେ । ଆଉ ବାଣୀ ବିହାରରୁ ରସୁଲଗଡ ରାସ୍ତାର ରସୁଲଗଡ ରେଲୱେ କ୍ରସିଂ ବ୍ରିଜ ଉପରେ ତାକୁ ହତ୍ୟା କରିଥିଲେ। ତାହା ପୁଣି ସଂଘବଦ୍ଧ ଭାବେ ପୂର୍ବ ପ୍ରସ୍ତୁତ ହୋଇ ହତ୍ୟା କରିଥିଲେ । ଏପରିକି ହତ୍ୟାର ପ୍ରମାଣ ମଧ୍ୟ ଲୁଚାଇବା ପାଇଁ ପ୍ଲାନ୍ ରଚିଥିଲେ ଏପରିକି ନିଜର ଚେହେରା ଯେପରି କେହି ଦେଖି ନ ପାରିବେ ସେନେଇ ମଧ୍ୟ ପୋଷାକ ଓ ହେଲମେଟ ପିନ୍ଧିଥିଲେ । ଏହି ଘଟଣାରେ ୫ ହତ୍ୟାକାରୀଙ୍କୁ ଗିରଫ ପରେ ପୋଲିସ ଏମିତି କିଛି ରୋଚକ ତଥ୍ୟ ପାଇଛି ଯାହା ଚକିତ କରିଛି ।
ହତ୍ୟାରେ 2 ପରିବାର ସାମିଲ:
![ଜୀବିକା ସହ ଜୀଇଁବା ଛଡାଇନେଇଥିଲେ](https://etvbharatimages.akamaized.net/etvbharat/prod-images/12-01-2025/od-bbs-02-murder-flp-avb-7203832_12012025183426_1201f_1736687066_592.jpg)
5 ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ପରିବାର ରହିଛନ୍ତି । ଗୋଟିଏ ହେଉଛନ୍ତି ଲିପିକା ନାୟକ ପରିବାର ଓ ଅନ୍ୟ ଜଣେ ମହିଳା ଲକି ନାୟକ ପରିବାର । ଏଥି ସହ ଏପରିକି ଦୁଇ ପରିବାର ସହ ଧରାପଡ଼ିଥିବା ଆଉ ଜଣେ ନୟାଗଡର ଯୁବକକୁ ମଧ୍ୟ ହତ୍ୟା ପାଇଁ ଡ଼କାଇଥିଲେ ।
ହତ୍ୟା ପାଇଁ ଜେଲରୁ ବାହାରିଥିଲେ:
ତେବେ ହତ୍ୟା ପଛର କାରଣ ଜାଣିବାକୁ ଲିପିକା ଓ ତାର ସ୍ବାମୀ ପୋଲିସକୁ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ହତ୍ୟାକାଣ୍ଡର ୩ଦିନ ପୂର୍ବରୁ ଝାରପଡ଼ା ଜେଲରୁ ବାହାରିଥିଲା । ଯେ କି ଜେଲରୁ ବାହାରିବା ପରେ ଏପରି ହତ୍ୟା ପାଇଁ ସେ ଯୋଜନା କରିଥିଲା । କାରଣ ଗତ ଡିସେମ୍ବର ୪ତାରିଖରେ ଲିପିକାକୁ ଅବକାରି ଟିମ୍ ବ୍ରାଉନସୁଗାର ଜବତ ଘଟଣାରେ ଗିରଫ କରିଥିଲା । ସେ ଜେଲ ଯିବା ପଛରେ ଆଉ ଅବକାରୀ ଟିମକୁ ଖବର ଦେବା ପଛରେ ସହଦେବର ହାତ ଥିବା ସେ ଭାବୁଥିଲା । କେବଳ ସେତିକି ନୁହେଁ ତାର ଗାଡିରେ ବ୍ରାଉନ ସୁଗାର ରଖି ତାକୁ ଅବକାରି ଟିମ୍ ଧରିବା ପଛରେ ସହଦେବର ହାତ ଥିବା ଲିପିକା ଭାବୁଥିଲା ।
ଜେଲ ଯିବା ପଛରେ ସହଦେବ ହାତ ଥିବା ଭାବୁଥିଲା ଲିପିକା:
ଅବକାରି ଟିମକୁ ଖବର ଦେଇ ତାକୁ ଫସାଇବାରେ ସହଦେବ ଏପରି କରିଥିବା ଯୋଗୁ ସେନେଇ ଜେଲ ଯିବା ପୂର୍ବରୁ ଲିପିକାର ରାଗ ରହିଥିଲା ।ସେନେଇ ଜେଲରୁ ବାହାରି ସ୍ବାମୀ ସହ ମିଶି ସହଦେବକୁ ହତ୍ୟା ପାଇଁ ପ୍ଲାନ୍ ରଚିଥିଲା । ଏପରିକି କେବଳ ସେତିକି ନୁହେଁ ପୁର୍ବରୁ ମଧ୍ୟ ଲିପିକା ମଧ୍ୟ ବିଏମସିର ସଫେଇ କର୍ମଚାରୀ ଭାବରେ କାମ କରୁଥିଲା । ସହଦେବ ସଫେଇ କର୍ମଚାରୀ ସଙ୍ଘର ସଭାପତି ଥିଲା । ତିନି ମାସ ପୂର୍ବରୁ ଲିପିକାକୁ ସଫେଇ କର୍ମଚାରୀରୁ ବାହର କରି ଦିଆଯାଇଥିଲା । ଏହା ପଛରେ ମଧ୍ୟ ସହଦେବ ହାତ ଥିବା ଭାବି ପ୍ରଥମେ ଜୀବିକା ହରାଇ ଦେଇଥିଲେ ଓ ପରେ ଅବକାରୀ କେସରେ ଫସାଇ ଥିବା ଭାବି ସହଦେଵ ଉପରେ ନିଜର ରାଗ ରଖି ଥିଲା ଲିପିକା ଓ ତାର ସ୍ବାମୀ ।
![ମୃତକଙ୍କ ପରିବାର ନବୀନଙ୍କୁ ଭେଟିଛନ୍ତି](https://etvbharatimages.akamaized.net/etvbharat/prod-images/12-01-2025/23310698_sh-2.jpg)
କେବଳ ଲିପିକା ପରିବାର ନୁହେଁ ଅନ୍ୟତମ ଗିରଫ ଅଭିଯୁକ୍ତ:
ଲକି ନାୟକ ଓ ତାର ସ୍ବାମୀ ରାକେଶ ନାୟକ ମଧ୍ୟ ପୂର୍ବ ଶତ୍ରୁତାର ରାଗ ରଖିଥିଲେ । ପୂର୍ବରୁ ମଧ୍ୟ ସଫେଇ କର୍ମଚାରୀ ଥିଲା ଲକି ନାୟକ । ଯେ କି ସଫେଇ କର୍ମଚାରୀ ଭାବରେ କାମ କରୁଥିଲା ବିଏମସିରେ । ହେଲେ ସେ ମଧ୍ୟ ସଫେଇ କର୍ମଚାରୀ ଭାବେ କାମ କରିବା ସମୟରେ ନିଜର ଏକ ସଂଗଠନ ଗଢ଼ିଥିଲା ସଫେଇ କର୍ମଚାରୀଙ୍କ ମଧ୍ୟରେ । ୩୦ରୁ ୪୦ ସଫେଇ ମହିଳାଙ୍କୁ ନେଇ ଲକି ଏକ ପ୍ରକାର ସଫେଇ କର୍ମଚାରୀଙ୍କ ନେତୃତ୍ବ ନେଉଥିଲେ । ହେଲେ ଏସବୁକୁ ସହଦେବ ସଫେଇ କର୍ମଚାରୀ ସଙ୍ଘର ସଭାପତି ଭାବେ ସହିପାରୁନଥିଲା । ଯେଉଁ କାରଣରୁ ସଫେଇ କର୍ମଚାରୀରୁ ଲକିକୁ ମଧ୍ୟ ବାହାର କରାଯାଇଥିଲା ।
ସହଦେବ ଉପରେ ରାଗ ରଖିଥିଲା ଲକି:
ତେଣୁ ନିଜ ବସ୍ତିରେ ହୋଇ ବି ସହଦେବ ଏନେଇ ସହିନପାରି ଲକି ପ୍ରତି ଅନ୍ୟାୟ କରିଥିବା ଲକି ଭାବୁଥିଲା । କେବଳ ସେତିକି ନୁହେଁ ଲକି ଓ ତାର ବାପାକୁ ମଧ୍ୟ ଖାରବେଳ ନଗର ଥାନା ଅଚଳରେ ଥିବ ପ୍ରେସ କ୍ଲବ ପାଖ ବସ୍ତିରେ ମଧ୍ୟ ଆସି କିଛି ପିଲା ଆକ୍ରମଣ କରିଥିଲେ । ଏନେଇ ଲକି ଓ ତାର ବାପା ଆହତ ହୋଇଥିଲେ । ଏସବୁ ପଛରେ ମଧ୍ୟ ସହଦେବ ଓ ତାର ଭଣଜା ମିଶି ଏପରି କରାଇଥିଲେ । ତେଣୁ ସେତେବେଳେ ଖାରବେଳ ନଗର ଥାନା ସହଦେବର ଭଣଜାକୁ ଗିରଫ କରିଥିଲା । ତଥାପି ଲକିର ରାଗ ଶାନ୍ତ ପଡିନଥିଲା । ଏହାର ପ୍ରତିଶୋଧ ନେବା ପାଇଁ ମଧ୍ୟ ସହଦେବ ପ୍ରତି ପ୍ରତିଶୋଧ ପରାୟଣ ହୋଇଥିଲେ । ଏଇଭଳି ଭାବେ ଲକି ଓ ତାର ସ୍ବାମୀ ଅଣ୍ଡା ଓରଫ ରାକେଶ ନାୟକ ଅନ୍ୟପଟେ ଲିପିକା ନାୟକ ଓ ତାର ସ୍ବାମୀ ମଣ୍ଟେଇ ନାୟକ ଆଉ ଏକ ପରିବାର ମିଳି ମିଶି ସହଦେବକୁ ହତ୍ୟା ପାଇଁ ଏକ ପ୍ଲାନ୍ କରିଥିଲେ । ଆଉ ଏପରି ହତ୍ୟାକାଣ୍ଡ ଶିଖିଥିଲେ ବୋଲି ପୋଲିସର ପଚରାଉଚରା ବେଳେ ହତ୍ୟାକାରୀ ସୂଚନା ଦେଇଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।
![ନବୀନଙ୍କ ସହ ମୃତ ସହଦେବ](https://etvbharatimages.akamaized.net/etvbharat/prod-images/12-01-2025/23310698_sh-1.jpg)
କଣ କହିଲେ ପୋଲିସ କମିଶନର ?
ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ‘ଏଇ ଅପରାଧଟା ବ୍ୟକ୍ତିଗତ ଅପରାଧ ଅଛି କିନ୍ତୁ ଏହାର ସାମାଜିକ ପ୍ରଭାବଟା ମଧ୍ୟ ରହିଛି । ଗୋଟିଏ ସମ୍ପ୍ରଦାୟର ଲୋକ ଗୋଟିଏ ସାହିର ଲୋକ ଗୋଟିଏ ବୃତ୍ତିର ଲୋକ ଯେଭଳି ଏଭଳି ଏକ ଘଟଣା ଘଟାଇଲେ । ଆମେ ମଧ୍ୟ ଏହାକୁ ସଫଳତାର ସହ ଧରିବାରେ ସଫଳ ହେଲୁ ତା ଭିତରେ ପୋଲିସର ଯେଉଁ କାମ ରହିଛି । ଏପରିକି କ୍ୟାମେରା ଓ ଟେକ୍ନୋଲୋଜି ଜରିଆରେ ସବୁ କିଛି ପ୍ରମାଣ ରହିଛି ତଥାପି ଆମେ ସେସବୁର ତଦନ୍ତ ସମୟରେ ମଧ୍ୟ ଆମ ଚାରିପାଖରୁ ତଥ୍ୟ ସଂଗ୍ରହ କରୁଛୁ । ତା ସହିତ ଏତେ ବଡ଼ ଜନଗହଳି ସହର ଭିତରେ ଯେପରି କିଛି ଅପରାଧ ଯାହାକୁ ପୋଲିସ ରୋକିଲା ପରେ ତାହା ପୁଣି ଥାଇପାରେ ତାକୁ ମଧ୍ୟ ଆଇନ ପରିସରରେ ଆଣି ରୋକିବା ପାଇଁ ଚେଷ୍ଟା ଜାରି ରହିଛି ।’
ରୋଷର ଶିକାର ହେଲେ ପୋଲିସ ମିତ୍ର:
ବସ୍ତିରେ ଅପରାଧ ରୋକିବା ଓ ଅପରାଧ ଉପରେ ନଜର ରଖିବା ପାଇଁଁ ମଧ୍ୟ ବସ୍ତି ଚାଲ ଅଭିଯାନ ଆରମ୍ଭ କରିଥିଲା । ହେଲେ ଏନେଇ ବସ୍ତିର କିଛି ଲୋକଙ୍କୁ ମଧ୍ୟ ପୋଲିସର ନିଜର ମିତ୍ର କରି ବସ୍ତି ମିତ୍ର ଭାବେ ତାଙ୍କ ଜରିଆରେ ପୋଲିସ ଖବର ସଂଗ୍ରହ କରୁଥିଲା ।ଏହା ଦ୍ବାରା ପୋଲିସର ମିତ୍ର ମାନଙ୍କୁ ନେଇ ବସ୍ତିରେ ଏକ ନାଚ ଗୀତ ଓ ଖେଳ କୁଦ ଓ ସମାଜ ସଂସ୍କାର ମୂଳକ ପଦକ୍ଷେପ ଜରିଆରେ ଏକ ପଦକ୍ଷେପ ନେବା ଆରମ୍ଭ କରିଥିଲା । ହେଲେ ଅପରାଧ ତତ୍ତ୍ବ ଉପରେ ନଜର ରଖିବା ଆଳର ଧିରେ ଧିରେ ପୋଲିସ ମିତ୍ର ଜରିଆରେ ସାହି ବା ବସ୍ତି ଭିତରୁ ଅପରାଧିକ ଖବର ସଂଗ୍ରହ କରି କରି ଶେଷରେ କିଛି ଅପରାଧିଙ୍କ ଶତ୍ରୁତାର ଶିକାର ହୋଇଥିଲେ ପୋଲିସ ମିତ୍ର ।
ଜୀବନ ପ୍ରତି ବିପଦ ଅଛି ମୃତ ସହଦେବଙ୍କ ପତ୍ନୀ:
ସେପଟେ ଏନେଇ ମୃତ ସହଦେବଙ୍କ ପତ୍ନୀ କହିଛନ୍ତି, ‘ପାଞ୍ଚ ଜଣ ଗିରଫ ହୋଇଛନ୍ତି ଆହୁରି ତିନି ଜଣ ଧରା ହୋଇନାହାନ୍ତି । ଆମ ବସ୍ତିରେ ବହୁତ ଆକାରରେ ବ୍ରାଉନସୁଗାର ବିକ୍ରି ହେଉଥିଲା । ତାକୁ ବିରୋଧ କରୁଥିଲେ ସେଥିପାଇଁ ତାଙ୍କୁ ହତ୍ୟାକାଣ୍ଡ କରିଛନ୍ତି । ସେ ମଧ୍ୟ ପୋଲିସ ମିତ୍ର ଥିଲେ । ଆମ ଜିବନ ପ୍ରତି ବିପଦ ଅଛି । ଆଜି ମୋ ସ୍ବାମୀକୁ ମାରିଦେଲେ କାଲି ମୋତେ ମୋ ଛୁଆକୁ ମଧ୍ୟ ମାରିପାରନ୍ତି । ସେମାନଙ୍କ ବେପାର ବନ୍ଦ ହୋଇଯିବାରୁ ସେମାନେ ଏପରି ହତ୍ୟାକାଣ୍ଡ ଘଟାଇଲେ । ପୋଲିସ ମିତ୍ର ଥାଇ କଣ ସପୋର୍ଟ ମିଳିଲା କିଛି ନାହିଁ। ମୋର ସ୍ବାମୀ ଯାଇକି ପ୍ରୋଟେକସନ ମାଗିଥିଲେ । ହେଲେ ସାର ଅଛନ୍ତି ମୋ ସ୍ବାମି ନାହାନ୍ତି । ପୋଲିସକୁ ସହଯୋଗ କରି ମୋ ସ୍ବାମୀ ଜିବନ ତ ଚାଲିଗଲା ନା । ଦୋଷୀ ଯିଏ ସିଏ ତ ବୁଲୁଛି କଣ ନ୍ୟାୟ ମିଳିଲା ।’
ଇଟିଭି ଭାରତ, ଭୁବନେଶ୍ବର