ଢେଙ୍କାନାଳ:ଆଜି(ଗୁରୁବାର) ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଢେଙ୍କାନାଳର ମହିମା ଧର୍ମର ମୁଖ୍ୟ ପୀଠ ମହିମା ଗାଦି ଠାରେ ଶେଷ ହୋଇଛି ପ୍ରସ୍ତୁତି । ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଏହି ଯୋରନ୍ଦା ମହିମା ଗାଦି ମୁହାଁ ହୋଇଛନ୍ତି । ମାଘ ଶୁକ୍ଳ ଚତୁର୍ଦଶୀ(ଗୁରୁବାର) ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଏହି ମେଳାକୁ ମହିମା ସାଧୁ ମାନେ ତିନି ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା ।
ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ 151ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମହିମା ସାଧୁ । ଗାଦି ମନ୍ଦିର ପରିସରରେ ଅଖଣ୍ଡ ଧୁନି ଜାଳିବା ସାଙ୍ଗକୁ ସାରାବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦି ମନ୍ଦିର ଚତୁପାର୍ଶ୍ଵରେ ବିଶାଳକାୟ ଝଡବତୀ ଜାଳିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ବକଳ ଧରି ମହିମା ସାଧୁ । ଫଳରେ ସାରା ବିଶ୍ୱରେ ପ୍ରସାରିତ ଏହି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମା ଗାଦିକୁ ଦେଶ ବ୍ୟାପି ମହିମା ସାଧୁ ଓ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିବାରେ ଲାଗିଛି । ଏନେଇ ସଜେଇ ହୋଇଛି ମହିମା ଗାଦି ।
ମାଘ ମେଳା ପାଇଁ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଗାଦି ଚଳଚଞ୍ଚଳ ହେବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଜନ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ମେଳାରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀ ମାନେ ମଧ୍ୟ ମେଳା ସାମିଲ ହେବେ । ସେପଟେ ଟ୍ରାଫିକ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦିର ମଧ୍ୟ ପ୍ରସ୍ତୁତି ଚାଲିଛି ।