ଓଡିଶା

odisha

ରାତିରେ ବାସନ ଧୋଇବାକୁ ଯାଇଥିଲେ ମହିଳା; ନଦୀରେ ଟାଣି ନେଲା କୁମ୍ଭୀର, ସକାଳୁ ମିଳିଲା କ୍ଷତାକ୍ତ ମୃତଦେହ - Kendrapara crocodile attack

By ETV Bharat Odisha Team

Published : Aug 13, 2024, 2:31 PM IST

Woman died in crocodile attack: ନଈକୁ ବାସନ ମାଜିବାକୁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର । ବହୁ ଖୋଜାଖୋଜି ପରେ ସକାଳୁ ମିଳିଲା କ୍ଷତାକ୍ତ ମୃତଦେହ । ଅଧିକ ପଢନ୍ତୁ

ବାସନ ଧୋଇବାକୁ ଯାଇଥିଲେ ମହିଳା; ନଦୀରେ ଟାଣି ନେଲା କୁମ୍ଭୀର
ବାସନ ଧୋଇବାକୁ ଯାଇଥିଲେ ମହିଳା; ନଦୀରେ ଟାଣି ନେଲା କୁମ୍ଭୀର (ETV Bharat Odisha)

କେନ୍ଦ୍ରାପଡା:ପୁଣି କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣ । ନଈକୁ ବାସନ ମାଜିବାକୁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଅଳପୁଆଡିଆ ଗାଁରେ ଏହି ଅଘଟଣ ଘଟିଛି । ମୃତ ମହିଳା ହେଲେ ମୁଞ୍ଜୁଲତା ଭଞ୍ଜ । କାଲିଠୁ ସେ ନିଖୋଜ ଥିବାବେଳେ ଆଜି (ମଙ୍ଗଳବାର) ସକାଳେ ନଦୀରୁ ତାଙ୍କର କ୍ଷତାକ୍ତ ମୃତଦେହ ଠାବ ହୋଇଛି ।

ରାତିରେ ବାସନ ଧୋଇବାକୁ ଯାଇଥିଲେ ମହିଳା; ନଦୀରେ ଟାଣି ନେଲା କୁମ୍ଭୀର, ସକାଳୁ ମିଳିଲା କ୍ଷତାକ୍ତ ମୃତଦେହ (ETV Bharat Odisha)

ସୂଚନା ଅନୁଯାୟୀ, ମଞ୍ଜୁଲତା ଓ ଆଉ ଦୁଇ ଜଣ ମହିଳା ସାଥି ହୋଇ ପ୍ରତିଦିନ ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଓ ଘରର ବାସନକୁସନ ଧୁଆଧୋଇ କରିବାକୁ ଯାଇଥାନ୍ତି । ହେଲେ ଗତକାଲି ସନ୍ଧ୍ୟାରେ ମଞ୍ଜୁଲତା ନଦୀକୁ ଆଗୁଆ ଚାଲି ଯାଇଥିଲେ । ପରେ ଆଉ ଦୁଇ ଜଣ ମହିଳା ନଦୀକୁ ଯାଇଥିବା ବେଳେ ମଞ୍ଜୁଲତାଙ୍କୁ ନପାଇ ନଦୀକୂଳରେ ତାଙ୍କର ଚପଲ ଓ ବାସନ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ଦୁଇ ମହିଳା ଗାଁରେ ମଞ୍ଜୁଲତାଙ୍କ ନିଖୋଜ ଖବର ଦେଇଥିଲେ । ଏହାପରେ ଗାଁ ଲୋକେ ରୁଣ୍ଡ ହୋଇ ନଦୀରେ ଖୋଜାଖୋଜି କଲା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ତେଣୁ ମଞ୍ଜୁଲତାଙ୍କୁ ବାସନ ମାଜିବା ବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରିଥିଲେ ଲୋକେ ।

ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ଦଳ ସନ୍ଧ୍ୟାରେ ବ୍ରାହ୍ମଣ ନଦୀରେ ବହୁ ଖୋଜାଖୋଜି କରିଥିଲେ ହେଁ ମହିଳାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ସକାଳୁ ବ୍ରାହ୍ମଣୀ ପଠା ନିକଟରେ ଅର୍ଥାତ୍ କୁମ୍ଭୀର ଟାଣିନେଇଥିବା ସ୍ଥାନରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା କୁଳସାହି ପାଖରୁ ଅଗ୍ନିଶମ ବାହିନୀଙ୍କ ଦ୍ଵାରା ମଞ୍ଜୁଲତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ସମୟରେ ମଞ୍ଜୁଲତାଙ୍କ ଶରୀରର ଅଧା ଅଂଶ କୁମ୍ଭୀର ଖାଇ ଦେଇଥିବା ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସାତକୋଶିଆ କୁମ୍ଭୀର ଆକ୍ରମଣରେ ନାବାଳକ ମୃତ, ୬ ଲକ୍ଷ ସହାୟତା ରାଶି ଘୋଷଣା - crocodile attack in satkosia

ସ୍ଥାନୀୟ ବାସିନ୍ଦା ଗଗନ ମହାଳିକ କହିଛନ୍ତି, ''ମଞ୍ଜୁଲତା ଜଣେ ଧର୍ମପରାୟଣା ମହିଳା ଥିଲେ । ପୂର୍ବ ସୋମବାର ଦିନ ପାଣିଭାର ନେଇ ଆରଡି ଯାଇଥିଲେ ହେଲେ ଏଇ ସୋମବାର ଜଳରେ ହଜିଗଲେ ।" ଅନ୍ୟପଟେ "ବାରମ୍ବାର ବାରଣ ସତ୍ତ୍ୱେ ମାଆ ନଦୀକୁ ଯାଉଥିବା," କହିଛନ୍ତି ମୃତ ମହିଳାଙ୍କ ପୁଅ ।

ସେହିପରି ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ, "ନଦୀରେ ମାଛ ଯେମିତି ନଦୀକୂଳରେ ଲୋକମାନେ ସେମିତି । ନଦୀକୁଳରେ ବସବାସ କରୁଥିବା ଲୋକେ ବିଭିନ୍ନ କାର୍ଯ୍ୟ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲାରେ ଗାଧୁଆ ତୁଠ ସଂଖ୍ୟା ଅତି ନଗଣ୍ୟ । ବନ୍ୟା ଆସିଲେ ଏହା ନଦୀର ତଳ ଅଞ୍ଚଳ ହୋଇଥିବା କାରଣରୁ କୁମ୍ଭୀର ଭୟ ରହିଥାଏ ।'' ତେଣୁ ବନବିଭାଗ ପକ୍ଷରୁ ସଚେତନତା ଜରୁରୀ ବୋଲି କହିଛନ୍ତି । କେବଳ ଏହି ଗୋଟିଏ ଘଟଣା ନୁହେଁ, ଗତ କିଛି ଦିନ ହେଲା କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣର ଅନେକ ଘଟଣା ସାମ୍ନାକୁ ଆସୁଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details