କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ । ଉଭୟ ଶାରିରୀକ ଓ ମାନସିକ ସୁସ୍ଥତା ହିଁ ଉତ୍ତମ ସ୍ବାସ୍ଥ୍ୟର ପରିଚୟ । ହେଲେ ଆଜିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲୋକମାନଙ୍କ ଜୀବନଶୈଳୀ ବଦଳିଯାଇଛି । ଖାଦ୍ୟାଭ୍ୟାସ ବଦଳିଛି । ସକାଳୁ ରାତି ପର୍ଯ୍ୟନ୍ତ ଧାଁ ଦୌଡ ଭିତରେ ସେମାନ ନିଜ ସ୍ବାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାରେ ଅବହେଳା କରୁଛନ୍ତି । ଯେଉଁଥିପାଇଁ ସମ୍ପ୍ରତି ନାନା ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ତେବେ ସୁସ୍ଥ ରହିବାକୁ ହେଲେ ପ୍ରଥମେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । କାରଣ ଖାଦ୍ୟ ସିଧାସଖଳ ଆମ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ ।
ଯଦି ଆପଣ ଉତ୍ତମ ସ୍ବାସ୍ଥ୍ୟ ଓ ନିରୋଗ ଶରୀର ଚାହୁଁଛନ୍ତି ତାହେଲେ ଏହି ନୂତନ ବର୍ଷରେ ନିଜ ଖାଦ୍ୟପେୟରେ 3ଟି ପରିବର୍ତ୍ତନ କରନ୍ତୁ ।
ଜଙ୍କଫୁଡ୍କୁ ନାଁ କୁହନ୍ତୁ:
ଆଜିର ସମୟରେ ଜଙ୍କଫୁଡ୍ ଖାଇବା ସାଧାରଣ କଥା । କେବଳ ପିଲା ନୁହଁନ୍ତି ବୟସ୍କମାନେ ମଧ୍ୟ ଅତ୍ୟଧିକ ଜଙ୍କଫୁଡ ସେବନ କରୁଛନ୍ତି । ଯଦିଓ ଏହି ଖାଦ୍ୟ ପାଟିକୁ ସୁଆଦିଆ କିନ୍ତୁ ଏଥିରେ ପୋଷକ ତତ୍ତ୍ବ ଖୁବ୍ କମ୍ । ଏହି ଖାଦ୍ୟପଦାର୍ଥରେ ଅତିରିକ୍ତ ଚିନି, ଟ୍ରାନ୍ସ ଫ୍ୟାଟ ଓ ସୋଡିୟମ ରହିଥାଏ ଯାହା ମୋଟାପା, ଡାଇବେଟିସ ଓ ହୃଦରୋଗର ପ୍ରମୁଖ କାରଣ ହୋଇଥାଏ । ଏହି ନୂଆବର୍ଷରୁ ବଜାରରେ ମିଳୁଥିବା ତେଲ ଛଣା ଖାଦ୍ୟ ଓ ପ୍ରୋସେସଡ୍ ଫୁଡ ସେବନ ସୀମିତ କରିବାକୁ ଚେଷ୍ଟା କରନ୍ତୁ। ଏହା ବଦଳରେ ଆପଣ ଘରେ ପ୍ରସ୍ତୁତ ସନ୍ତୁଳିତ ଖାଦ୍ୟ ଖାଇବାର ଅଭ୍ୟାସ କରନ୍ତୁ ।
ପର୍ଯ୍ୟାପ୍ତ ପାଣି ପିଅନ୍ତୁ:
ଆମ ଭିତରୁ ଅନେକ ଲୋକ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇନଥାନ୍ତି ଯେଉଁଥିପାଇଁ ଡିହାଇଡ୍ରେସନ ହୋଇଥାଏ । ପାଣି ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ପାଚନ କ୍ରିୟା ଉନ୍ନତ କରେ ଏବଂ ତ୍ବଚାରେ ଚମକ ବଢାଏ । ନୂଆବର୍ଷରୁ ଦିନକୁ ଅତିକମରେ 8ରୁ 10 ଗ୍ଲାସ ପାଣି ପିଇବାକୁ ଅଭ୍ୟାସ କରନ୍ତୁ । ଯଦି ପାଣି ପିଇବାକୁ ଭୁଲି ଯାଉଛନ୍ତି ତେବେ ଫୋନରେ ରିମାଇଣ୍ଡର ସେଟ୍ କରନ୍ତୁ ।
ରାତିରେ ହାଲୁକା ଖାଦ୍ୟ ଖାଆନ୍ତୁ:
ଭାରି ଓ ବିଳମ୍ବରେ କରାଯାଉଥିବା ଭୋଜନ ପାଚନ ତନ୍ତ୍ର ଉପରେ ବହୁତ ଖରାପ ପ୍ରଭାବ ପକାଏ । ଏହାଦ୍ବାରା ଏସିଡିଟି, ମୋଟାପା, ନିଦ୍ରା ସମସ୍ୟା ହୋଇପାରେ । ତେଣୁ ରାତିରେ ସବୁବେଳେ ହାଲୁକା, ପୌଷ୍ଟିକ ଖାଦ୍ୟ ଖାଇବା ଉଚିତ୍ । ମନେରଖନ୍ତୁ, ଶୋଇବାର 2-3 ଘଣ୍ଟା ପୂର୍ବରୁ ରାତ୍ରିଭୋଜନ କରିବେ । ଆପଣ ରାତିରେ ରୁଟି, ଡାଲି, ସନ୍ତୁଳା, ସାଲାଡ୍ ଓ ସୁପ୍ ସେବନ କରିପାରିବେ ।
ଦୂରେଇ ରହିବ ରୋଗ:
ନୂତନ ବର୍ଷରୁ ନିଜ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବାର ଭଲ ସମୟ । ଉପରୋକ୍ତ 3ଟି ସହଜ କିନ୍ତୁ ପ୍ରଭାବଶାଳୀ ଅଭ୍ୟାସ ପାଳନ କରିବା ଦ୍ବାରା ଆପଣ କେବଳ ରୋଗରୁ ରକ୍ଷା ପାଇବେ ନାହିଁ ବରଂ ଏକ ଉନ୍ନତ ଓ ସୁସ୍ଥ ଜୀବନ ଅତିବାହିତ କରିପାରିବେ । ତେଣୁ ଏହି ବର୍ଷ ଆରମ୍ଭରୁ ନିଜ ଖାଦ୍ୟ ଥାଳିରେ ପରିବର୍ତ୍ତନ କରନ୍ତୁ ଏବଂ ଏକ ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ ।
(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ ।)