ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ଆସନ୍ତାକାଲି ଖେଳାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଏହା ଶେଷ ମ୍ୟାଚ । ଯଦି ଭାରତ ଏହି ମ୍ୟାଚ ଜିତେ ତେବେ ସିରିଜ ବରାବର ରହିବ, ଯଦି ଅଷ୍ଟ୍ରେ୍ଲିଆ ବିଜୟୀ ହୁଏ ତେବେ ସିରିଜ ବିଜୟ ସହ କଙ୍ଗାରୁ ଦଳ ସିଧା WTC ଫାଇନାଲରେ ପହଞ୍ଚିବ । ମ୍ୟାଚର ଫଳାଫଳ ଉପରେ ଭାରତ ଡବ୍ଲୁଟିସି ଫାଇନାଲ ରେସରେ ରହିବ ନା ନାହିଁ ତାହା ସ୍ପଷ୍ଟ ହେବ । ସମ୍ମାନ ବଞ୍ଚାଇବା ପାଇଁ ଜୋରଦାର ପ୍ରୟାସ କରିବ ଟିମ୍ ଇଣ୍ଡିଆ ।
ସିଡନୀ ଗ୍ରାଉଣ୍ଡରେ ଶୁକ୍ରବାର ସକାଳ ୫ଟା ସମୟରେ ମ୍ୟାଚ ଆରମ୍ଭ ହେବ । 4ଟା 30 ମିନିଟରେ ଟସ୍ ପଡ଼ିବ । ଷ୍ଟାର ସ୍ପୋର୍ଟ୍ସ ଚ୍ୟାନେଲରେ ଏହାର ସିଧାପ୍ରସାରଣ ହେବ । ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ୫ଟିକିଆ ଟେଷ୍ଟ ସରିଜର ପ୍ରଥମ ୪ଟି ମ୍ୟାଚ ଶେଷ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ 2-1ରେ ଆଗୁଆ ରହିଛି ।
ବର୍ଷା ସାଜିପାରେ ବାଧକ:
ପଞ୍ଚମ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ ପାଇଁ ସିଡନୀ କ୍ରିକେଟ ଗ୍ରାଉଣ୍ଡ ପ୍ରସ୍ତୁତ । ଦୁଇ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ତୟାର । ତେବେ ସିଡନୀରେ ବର୍ଷା ବାଧକ ସାଜିବାର ଆଶଙ୍କା ରହିଛି । ପାଣିପାଗ ପୂର୍ବ ଆକଳନ ଅନୁସାରେ ମ୍ୟାଚର ପ୍ରଥମ ଦିନରେ କାଉଁଳିଆ ପାଗ ସହ ବର୍ଷା ହେବାର ୨୫ ପ୍ରତିଶତ ସମ୍ଭାବନା ରହିଛି । ସେହିପରି ମ୍ୟାଚର ଶେଷ ଦୁଇ ଦିନ ଅର୍ଥାତ ଚତୁର୍ଥ ଏବଂ ପଞ୍ଚମ ଦିନରେ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି । ତେବେ ପାଣିପାଗକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ଶେଷ ମ୍ୟାଚ ଖେଳିବେନି ଆକାଶଦୀପ:
ଶେଷ ଟେଷ୍ଟ ପାଇଁ କଙ୍ଗାରୁ ଦଳ ଏକାଦଶ ଘୋଷଣା କରିଥିବା ବେଳେ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ । ଆଶା କରାଯାଉଛି ଏକାଦଶରେ ବଡ ପରିବର୍ତ୍ତନ ହୋଇପାରେ । କାହିଁକି ନା ଦଳର ବ୍ୟାଟିଂ ବିଭାଗ ପୂର୍ବ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଯେଉଁ କାରଣରୁ ମେଲବର୍ଣ୍ଣ ଟେଷ୍ଟରେ ହାରିଥିଲା ଭାରତ । ତେଣୁ ପୂର୍ବ ଭୁଲକୁ ସୁଧାରି ପୁଣି ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ରୋହିତ ବାହିନୀ । ମ୍ୟାଚ ପୂର୍ବରୁ ଭାରତୀୟ ଦଳ ପାଇଁ ଅଶୁଭ ଖବର । ଶେଷ ମ୍ୟାଚରେ ଉପସ୍ଥିତ ରହିବେନି ଦ୍ରୁତ ବୋଲର ଆକାଶଦୀପ । ତାଙ୍କ ପିଠିରେ ଯନ୍ତ୍ରଣା କାରଣରୁ ସେ ମ୍ୟାଚ ଖେଳିବେ ନାହିଁ ବୋଲି ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
🚨 AKASHDEEP RULED OUT OF THE SYDNEY TEST MATCH...!!! 🚨 pic.twitter.com/GRsmF4jyT8
— Mufaddal Vohra (@mufaddal_vohra) January 2, 2025
ଫର୍ମକୁ ଫେରିବେ କି ରୋହିତ-ବିରାଟ-ଋଷଭ ?
ଗତ ଦୁଇଟି ମ୍ୟାଚରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଋଷଭ ପନ୍ଥଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ରୋହିତ 4ଟି ମ୍ୟାଚ ଖେଳି ମାତ୍ର 31 ରନ କରିଛନ୍ତି । ବିରାଟ ପ୍ରଥମ ମ୍ୟାଚରେ ଶତକ କରିଥିବା ବେଳେ ବାକି ୩ଟିରେ ଆଶା ଅନୁଯାୟୀ ଖେଳାନାହାନ୍ତି । ଯେଉଁଥିପାଇଁ ଦଳର ପ୍ରଦର୍ଶନ ଭଲ ହେଲା ନାହିଁ ବୋଲି ସମାଲୋଚନା କରାଯାଉଛି । ସେହିପରି ଋଷଭ ମଧ୍ୟ ମେଲବର୍ଣ୍ଣରେ ଭଲ ସର୍ଟ ଖେଳିପାରି ନଥିଲେ । ଯେଉଁ ସମୟରେ ତାଙ୍କ ବ୍ୟାଟରୁ ରନ ଆସିବା ନେଇ ଆଶା କରାଯାଉଥିଲା ସେ ସମୟରେ ସେ ଆଉଟ ହୋଇଯାଇଥିଲେ । ତେବେ ଅନ୍ତିମ ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳୁଛି ନା ନାହିଁ ତାହା ପରେ ସ୍ପଷ୍ଟ ହେବ । ଘରୋଇ ଦଳ ଶେଷ ଟେଷ୍ଟ ମ୍ୟାଚ ପାଇଁ ଏକାଦଶ ଘୋଷଣା କରିସାରିଥିବା ବେଳେ ମେନ ଇନ ବ୍ଲୁ ଆସନ୍ତାକାଲି କରିବ ।
Learn a little bit more about Beau Webster before he receives Baggy Green No.469 in Sydney this week #AUSvIND pic.twitter.com/gnzbZYxh8z
— cricket.com.au (@cricketcomau) January 2, 2025
WTC ଫାଇନାଲ ପାଇଁ ଶେଷ ଆଶା ସିଡନୀ :
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ଶେଷ ହୋଇଛି । ଗୋଟିଏରେ ଭାରତ ଜିତିଥିବା ବେଳେ ୨ଟିରେ କଙ୍ଗାରୁ ଦଳ ଜିତିଛି ଓ ଗୋଟିଏ ମ୍ୟାଚ ଡ୍ର ରହିଛି । ଚତୁର୍ଥ ମ୍ୟାଚ ହାରିବା ପରେ ଭାରତ ଏବେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପହଞ୍ଚିବାର ସୁଯୋଗ ବହୁତ କମ ରହିଛି । ଯଦି ସିଡନୀ ଟେଷ୍ଟରେ ଭାରତ ବିଜୟୀ ହୁଏ ତେବେ WTC ଫାଇନାଲରେ ପହଞ୍ଚିବା ରେସରେ ରହିବ । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ଟିକିଆ ଟେଷ୍ଟ ସିରିଜ ଉପରେ ନିର୍ଭର କରୁଛି । ମୋଟ ଉପରେ ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ମ୍ୟାଚ ଖେଳିବ ଓ ଶ୍ରୀଲଙ୍କା ୨ଟି ଖେଳିବ । ଯଦି ଅଷ୍ଟ୍ରେଲିଆ ଗୋଟିଏ ବି ମ୍ୟାଚ ଜିତିଯାଏ ତେବେ WTC ଫାଇନାଲରେ ପହଞ୍ଚିବା ସୁନିଶ୍ଚିନ୍ତ । ସେହିପରି ଯଦି ଶ୍ରୀଲଙ୍କା ଟେଷ୍ଟ ସିରିଜକୁ 1-0ରେ ଜିତିନିଏ ତେବେ ଭାରତ ଫାଇନାଲକୁ ପ୍ରବେଶ କରିବ । ଭାରତକୁ ଏବେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ଫଳାଫଳ ହିଁ ଭରସା । ଯଦି ସିଡନୀ ଟେଷ୍ଟ ହାରିଯାଏ ଭାରତ ତେବେ WTC ଫାଇନାଲ ସ୍ବପ୍ନ ବରବାଦ ।
ଅଷ୍ଟ୍ରେଲିଆ-ଭାରତ ହେଡ ଟୁ ହେଡ:
ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ସୁଦ୍ଧା 111 ଟେଷ୍ଟ ମ୍ୟାଚ ଖେଳାଯାଇଛି । 47ଟିରେ କଙ୍ଗାରୁ ଦଳ ଜିତଥିବା ବେଳେ 33ଟିରେ ଭାରତ ଜିତିଛି । ଗୋଟିଏ ମ୍ୟାଚ ଡ୍ର ରହିଛି । ଘରୋଇ ମାଟିରେ 23ଟି ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଘରୋଇ ଗ୍ରାଉଣ୍ଡରେ 32 ମ୍ୟାଚରେ ବିଜୟୀ ହୋଇଛି । ବିପକ୍ଷ ଦଳର ଗ୍ରାଉଣ୍ଡରେ ଖେଳି 10 ଓ ଅଷ୍ଟ୍ରେଲିଆ 14 ଟି ମ୍ୟାଚରେ ଜିତିଛି । ଯାହା ଆକଳନ କରାଯାଉଛି ଯଦି ଭାରତ ରଣନୀତିରେ ପରିବର୍ତ୍ତନ ନକରେ ତେବେ କଙ୍ଗାରୁ ଦଳ ହାତକୁ ମ୍ୟାଚ ଚାଲିଯିବାର ସମ୍ଭାବନା ରହିଛି ।
ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ରେକର୍ଡ:
- ଦୁଇ ଦଳ ମଧ୍ୟରେ 111 ଟେଷ୍ଟ ମ୍ୟାଚ ଖେଳାଯାଇଛି
- 47 ମ୍ୟାଚରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ
- 33 ମ୍ୟାଚ ଜିତିଛି ଭାରତ
- ଦୁଇ ଦେଶ ମଧ୍ୟରେ ୧ ମ୍ୟାଚ ଡ୍ର
- ଘରୋଇ ମାଟିରେ 23ଟି ମ୍ୟାଚ ଜିତିଛି ଟିମ୍ ଇଣ୍ଡିଆ
- ଅଷ୍ଟ୍ରେଲିଆ ଘରୋଇ ଗ୍ରାଉଣ୍ଡରେ 32 ଟେଷ୍ଟ ବିଜୟୀ
- ବିପକ୍ଷ ଦଳର ଗ୍ରାଉଣ୍ଡରେ ଖେଳି ଭାରତ 10 ଟେଷ୍ଟ ବିଜୟୀ ଏବଂ ଅଷ୍ଟ୍ରେଲିଆ 14 ମ୍ୟାଚରେ ବିଜୟୀ