ବୌଦ୍ଧ:ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲା କଂଗ୍ରେସ । ବିଜେପି ଓ ବିଜେଡ଼ି ବିବାହ କଲା ଦଳ । ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଏଭଳି ନିଆରା ବିବାହ ଉତ୍ସବର ଆୟୋଜନ କରାଯାଇଛି । କେନ୍ଦ୍ରର ବିଜେପି ତଥା ରାଜ୍ୟର ବିଜେଡ଼ି ଶାସନରେ ବ୍ୟାପକ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ ଆଣି, ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି ।
ଆଜି ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ସବୁଆଡ଼େ ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଏହାଛଡା ଆଜି ବିଭିନ୍ନ ସ୍ଥାନରେ ଭାଲେନଟାଇନ୍ସ ଦିବସ ମଧ୍ୟ ପାଳନ କରାଯାଇଛି । ସେହିଭଳି ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି ଓ ବିଜେଡ଼ି ବିବାହ ଉତ୍ସବ ଆୟୋଜନ କରାଯାଇଛି । ବିଜେପି ଓ ବିଜେଡ଼ି ସରକାରଙ୍କ ଭିତିରି ସମ୍ପର୍କକୁ ନେଇ ଉଭୟ ଦଳର ନେତାଙ୍କ ମଧ୍ୟରେ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ବାଣ, ବାଜା, ରୋଷଣୀ ମଧ୍ୟରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ବରଯାତ୍ରୀ ଆସିବା ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବୌଦ୍ଧର ମ୍ୟୁଜିୟମ ଠାରୁ ବରଯାତ୍ରୀ ବାହାରି ଥିବାବେଳେ ସ୍ଥାନୀୟ କଚେରୀ ଛକ ଠାରେ ବିବାହ ମଣ୍ଡପ ପ୍ରସ୍ତୁତ କରାଯାଇଥିଲା ।
ସେପଟେ ଦଳ ଅଭିଯୋଗ କରିଛି ଉଭୟ ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଦୁର୍ନୀତିର ସମ୍ପର୍କ ରହିଥିବାବେଳେ କେବଳ ଭୋଟରଙ୍କୁ ଭକୁଆ କରିବାକୁ ଉଭୟ ଦଳ କାଦୁଅ ଫୋପାଡିବାର ଅଭିନୟ କରୁଛନ୍ତି । ସେହିଭଳି ଆଜି ରାଜ୍ୟସଭା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନାମକୁ ରାଜ୍ୟ ବିଜେଡ଼ି ସମର୍ଥନ ଜଣାଇବାକୁ ନେଇ କଂଗ୍ରେସ କଟାକ୍ଷ କରିଛି । ଆଜି କଂଗ୍ରେସ ଦଳର ଏଭଳି ଅଭିନବ ଶୈଳୀରେ ବିବାହ ଉତ୍ସବ ବେଶ ଆଲୋଚନାର ଖୋରାକ ଯୋଗାଇଥିଲା ।