ଦେବଗଡ: ସହର ନିକଟରେ ରହିଛି ପ୍ରଧାନପାଟ ଜଳପ୍ରପାତ । ଏହା ଯେ କେବଳ ଏକ ମନୋରମ ପର୍ଯ୍ୟଟନସ୍ଥଳୀ ତା’ ନୁହେଁ ବରଂ ଏହା ଦେବଗଡ଼ ସହରବାସୀଙ୍କ ଜୀବନରେଖା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଜଳପ୍ରପାତରୁ ନିର୍ଗତ ଜଳରାଶି ସହରବାସୀଙ୍କ ପାଇଁ ପାନୀୟ ଜଳର ଏକ ବଡ ଉତ୍ସ । ପ୍ରଧାନପାଟ ଝରଣାର ଜଳକୁ ଜନସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ବିଶୋଧନ କରାଯାଇ ପାଇପ ଯୋଗେ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି । ମାତ୍ର ଅତ୍ୟନ୍ତ ଉଦବେଗର ବିଷୟ ହେଲା, ଆଜକୁ କିଛି ବର୍ଷ ହେଲା ପ୍ରଧାନପାଟ ଜଳପ୍ରପାତର ଜଳଧାରା କ୍ରମାଗତ ଶୁଖିବାରେ ଲାଗିଛି । ଏହାର ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଉଛି । ଫଳରେ ଦେବଗଡ଼ ସହରରେ ଏବେ ପାନୀୟଜଳ ସଙ୍କଟ ଦେଖାଦେଇଛି ।
ସୂଚନା ଅନୁଯାୟୀ, ଦେବଗଡ଼ ସହରବାସୀଙ୍କ ପାଇଁ ଦୈନିକ 3.6 ଏମଏଲଡ଼ି ପାନୀୟଜଳର ଆବଶ୍ୟକତା ରହିଥିବା ବେଳେ, ସେଥିମଧ୍ୟରୁ ଏହି ଜଳପ୍ରପାତରୁ ସଂଗୃହୀତ ହେଉଛି ମାତ୍ର 1 ଏମଏଲଡି ଜଳ । ଏହାକୁ ବାଦ ଦେଲେ ଗଭୀର ନଳକୂପରୁ ମାତ୍ର 1.4 ଏମଏଲଡି ଜଳ ସଂଗୃହୀତ ହେଉଛି । ମୋଟ ଉପରେ କହିବାକୁ ଗଲେ ସହରବାସୀଙ୍କୁ ଏବେ ପ୍ରାୟ ମାତ୍ର 2.4 ଏମଏଲଡି ଜଳ ମିଳୁଛି । ଯାହାକି ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହେଁ । ଗୋଟିଏ ପଟେ ପ୍ରଧାନପାଟର ଜଳ ଶୁଖି ଆସୁଥିବା ବେଳେ, ଅନ୍ୟପଟେ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି । ଫଳରେ ଗ୍ରୀଷ୍ମ ପ୍ରାରମ୍ଭରୁ ସହରରେ ଜଳ ସଙ୍କଟ ଦେଖାଗଲାଣି । ଜଙ୍ଗଲ ସମ୍ପଦ ଦ୍ରୁତ ଅବକ୍ଷୟ ସହିତ ପ୍ରଧାନପାଟ ଝରଣା ଉତ୍ସର ପୁନରୁଦ୍ଧାର କରାଯାଉନଥିବା କାରଣରୁ ଏହି ପ୍ରପାତ ଶୁଖିଯିବାକୁ ବସିଥିବା ପରିବେଶବିତ୍ ଚିନ୍ତାବ୍ୟକ୍ତ କରିଛନ୍ତି ।