ପୁରୀ: ଗତକାଲି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ଗ୍ରାମବାସୀ । ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ସ୍ଥାନାନ୍ତରଣ ଘଟଣା ନେଇ ଗ୍ରାମବାସୀ ପ୍ରତିବାଦ କରିଥିବା ସୂଚନା ମିଳିଛି । ବିନା ନୋଟିସ୍ରେ ଅନ୍ତେବାସୀଙ୍କୁ କିପରି ପୁରୀ ଉତ୍କଳ ବାଳାଶ୍ରମକୁ ସ୍ଥାନାନ୍ତରଣ କରାଯାଇଛି ସେନେଇ ସେମାନେ ଅଭିଯୋଗ କରିଛନ୍ତି । ତେବେ ଅନ୍ତେବାସୀ ମାନଙ୍କୁ ଆଶ୍ରମକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ୟପଟରେ ପିଲାମାନଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ସେଠାରୁ ନିଆଯାଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।
ପୁରୀ ସଦର ବ୍ଲକ୍ କେରାଣ୍ଡିପୁର ପଞ୍ଚାୟତ ଅନ୍ତର୍ଗତ ଉତ୍ତରହଣା ଗାଁରେ ରହିଛି ସାଇ ବାଳାଶ୍ରମ । ଏହି ଆଶ୍ରମ ସାଧାରଣରେ ନୁରି ହୋତା ଆଶ୍ରମ ନାଁରେ ବେଶୀ ପରିଚିତ । ୧୯୭୮ ମସିହାରେ ଏହି ପଞ୍ଚାୟତର ସରପଞ୍ଚ ଥିବା ନରସିଂହ ହୋତା ଏହି ଆଶ୍ରମକୁ ଆରମ୍ଭ କରିଥିଲେ । ଏକ କୁଡିଆ ଘରେ ମାତ୍ର ୫ ଜଣ ପିଲାଙ୍କୁ ନେଇ ଏହି ବାଳାଶ୍ରମ ଆରମ୍ଭ ହୋଇଥିଲା । ୪୫ ବର୍ଷ ତଳେ ମାତ୍ର ୫ଜଣ ଅନାଥ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବାଳାଶ୍ରମ ଆଜି ଅନେକ ସୁନାମ ଅର୍ଜନ କରିଛି । ସେଠାରେ ସାଧାରଣତଃ ଗରୀବ ଏବଂ ଅନାଥ ପିଲାଙ୍କର ଲାଳନ ପାଳନ କରାଯିବା ସହ ଉପଯୁକ୍ତ ଶିକ୍ଷା ମଧ୍ୟ ଦିଆଯାଉଛି । ଆଶ୍ରମ ନିକଟରେ ସ୍କୁଲ ଓ ହସ୍ପିଟାଲ ରହିଛି । ଆଶ୍ରମ ପରିଚାଳନା ଓ ପିଲାଙ୍କ କଥା ବୁଝିବା ପାଇଁ ୧୮ଜଣ କର୍ମଚାରୀ ମଧ୍ୟ ଅଛନ୍ତି । ତେବେ ତରବରିଆ ଭାବେ ବିନା ନୋଟିସ୍ରେ ଚନ୍ଦନପୁର ଥାନା ପୋଲିସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନ ସମସ୍ତ ପିଲାଙ୍କୁ ସାଇ ବାଳାଶ୍ରମରୁ ଉତ୍କଳ ବାଳାଶ୍ରମକୁ ନେଇ ଆସିଛନ୍ତି ।