ଓଡିଶା

odisha

ETV Bharat / state

କାର୍ତ୍ତିକ ପୂର୍ବରୁ ଆକାଶଛୁଆଁ ପରିବା ଦର: ଟମାଟୋ ୮୦, ବିନ୍ସ ୧୨୦, ଧନିଆ ୩୦୦ ପାର୍

ପୁଣି ପରିବା ବଜାରରେ ନିଆଁ । ୧୦୦ ଛୁଇଁଲାଣି ଅଧିକାଂଶ ପରିବା ଦର । ରସୁଣ-କଞ୍ଚାଲଙ୍କା-ଧନିଆ ପତ୍ର ଟପିଲାଣି ୩୦୦ ଟଙ୍କା । ମନ୍ତ୍ରୀ କହିଲେ ' କାର୍ତ୍ତିକ ପାଇଁ ' ।

By ETV Bharat Odisha Team

Published : 4 hours ago

କାର୍ତ୍ତିକ ଆରମ୍ଭ ହୋଇନି, ଆକାଶଛୁଆଁ ପରିବା ବଜାର: ବାଇଗଣ, ପୋଟଳ, ଟମାଟୋ ୮୦, ରସୁଣ ୩ଶହ ପାର
କାର୍ତ୍ତିକ ଆରମ୍ଭ ହୋଇନି, ଆକାଶଛୁଆଁ ପରିବା ବଜାର: ବାଇଗଣ, ପୋଟଳ, ଟମାଟୋ ୮୦, ରସୁଣ ୩ଶହ ପାର (ETV Bharat Odisha)

ନିଆଳି/କଟକ: କାର୍ତ୍ତିକ ମାସ ଆରମ୍ଭ ହୋଇନି, ମାତ୍ର ଏବେଠାରୁ ନିୟନ୍ତ୍ରଣ ବାହାରକୁ ଗଲାଣି ପରିବା ବଜାର । ବାଇଗଣ, ପୋଟଳ, ଟମାଟୋ ୮୦ ଟଙ୍କା ଛୁଇଁଲାଣି ତ, ରସୁଣ ୩ ଶହ ପାର କଲାଣି । ହଜାରେ ଟଙ୍କା ଧରି ହାଟକୁ ଗଲେ ବି ଭର୍ତ୍ତି ହେଉନି ବ୍ୟାଗ । କେଜି 50 ଟଙ୍କା ତଳକୁ ହାଟରେ ପରିବା ନାହିଁ । ନିଆଳି ହାଟରେ ଦେଖିବାକୁ ମିଳିଛି ଏପରି ସ୍ଥିତି । ବ୍ୟବସାୟୀଙ୍କ କହିବା କଥା ସେମାନେ ଚଢା ଦରରେ କିଣୁଛନ୍ତି, ଚଢାରେ ବିକ୍ରି କରିବାକୁ ବାଧ୍ୟ ମଧ୍ୟ ହେଉଛନ୍ତି । ଦର ଅଧିକ ରହୁଥିବାରୁ ପୂର୍ବ ପରି ବେପାର ମଧ୍ୟ ହେଉନି ।

କଟକ ଜିଲ୍ଲା ନିଆଳି ସପ୍ତାହିକ ବଜାରରେ ଆଳୁ, ପିଆଜ, ରସୁଣ ଓ ଅଦାଠାରୁ ଆରମ୍ଭ କରି କଞ୍ଚାପରିବା ଏବେ ଆକାଶଛୁଆଁ । ଯାହାକୁ ନେଇ ପ୍ରଭାବିତ ଉଭୟ ବ୍ୟବସାୟୀ ଓ ଗ୍ରାହକ । ଗ୍ରାହକଙ୍କ କିଣିବା ସାଙ୍ଗକୁ ବ୍ୟବସାୟୀଙ୍କର ବିକ୍ରି ମଧ୍ୟ କିମିଛି । ହାଟର ଜଣେ ପରିବା ବ୍ୟବସାୟୀ ଅଜୟ ନାୟକ କହିଛନ୍ତି," ଦର ଅଧିକ ଯୋଗୁଁ ଗ୍ରାହକ ମୁହଁ ମୋଡୁଛନ୍ତି । କିଲୋ ଯାଗାରେ ଅଧକିଲୋ ନେବାକୁ ବାଧ୍ୟ ହେଉଛନ୍ତି । ଦରବୃଦ୍ଧି ଯୋଗୁଁ ବ୍ୟବସାୟ ଉପରେ ପ୍ରଭାବ ପଡୁଛି । ସ୍ଥାନୀୟ ପନିପରିବା କମ ଓ ବାହାର ଅଞ୍ଚଳରୁ ଅଧିକ ପରିବା ଆସୁଥିବାରୁ ଦର ବୃଦ୍ଧି ପାଉଛି । ଏଥିପ୍ରତି ସରକାର ପଦକ୍ଷେପ ନେବା ଉଚିତ୍‌ ।’’

କାର୍ତ୍ତିକ ଆରମ୍ଭ ହୋଇନି, ନିୟନ୍ତ୍ରଣ ବାହାରେ ପରିବା ବଜାର: ବାଇଗଣ, ପୋଟଳ, ଟମାଟୋ ୮୦, ରସୁଣ ୩ଶହ ପାର (ETV Bharat Odisha)
  • ସରକାର ପଦକ୍ଷେପ ନେବାକୁ ବ୍ୟାବସାୟୀଙ୍କ ଦାବି

ଏହା ମଧ୍ୟ ପଢନ୍ତୁ :- ପରିବା ବଜାରରେ ନିଆଁ, ଗ୍ରାହକଙ୍କୁ କନ୍ଦାଉଛି ପିଆଜ-ଟମାଟୋ - Vegetables Price Hike

ଏହା ମଧ୍ୟ ପଢନ୍ତୁ :- Commercial LPG cylinder: ମାସ ଆରମ୍ଭରୁ ମହଙ୍ଗା ମାଡ, 39 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର - LPG price hike


ସେହିପରି ଆଳୁ ବ୍ୟବସାୟୀ ଗୁଣ୍ତିଚା ସାହୁ କହିଛନ୍ତି,"ରାଜ୍ୟ ବାହାରରୁ ଆଳୁ, ପିଆଜ, ରସୁଣ ଓ ଅଦା ଆସୁଥିବା ହେତୁ ଗତ ତିନି ମାସ ହେବ ଲଗାତାର ଭାବେ ଦର ବୃଦ୍ଧି ଘଟି ଚାଲିଛି । ଆଳୁ କିଲୋ ୩୦ରୁ ୩୫ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପିଆଜ ୫୦ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଛି । ଅଦା ଶହେ ଟଙ୍କା ଦରରେ ବିକ୍ରି ହେଉଛି । ରସୁଣ ୩ଶହ ଟଙ୍କା ପ୍ରତି କିଲୋ ବିକ୍ରି ହେଉଛି । ବ୍ୟବସାୟୀ ଅଧିକରେ କିଣୁଥିବାରୁ ଅଧିକ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।’’

କାର୍ତ୍ତିକ ଆରମ୍ଭ ହୋଇନି, ନିୟନ୍ତ୍ରଣ ବାହାରେ ପରିବା ବଜାର (ETV Bharat Odisha)

ହନ୍ତସନ୍ତ ଗ୍ରାହକ, ହଜାରେ ଟଙ୍କାରେ ଭର୍ତ୍ତି ହେଉନି ବ୍ୟାଗ :-

ଅନ୍ୟପଟେ ଚଢ଼ା ଦରକୁ ନେଇ ଖାଉଟି ମଧ୍ୟ ପ୍ରଭାବିତ ହେଉଛନ୍ତି । ବ୍ୟବସାୟୀ ବେପାରରେ କ୍ଷତି ସହୁଥିବା ବେଳେ ଖାଉଟିଟିଏ ଆବଶ୍ୟକ ପରିମାଣର ପରିବା କିଣି ପାରୁନି । ଶ୍ରୀଧର ପାତ୍ର ନାମକ ଜଣେ ଖାଉଟି କହିଛନ୍ତି," ନିଆଳି ହାଟ ଉପରେ ଆଖପାଖ ଅଞ୍ଚଳର ୬ଟି ବ୍ଲକର ଖାଉଟି, ଚାଷୀ ଓ ବ୍ୟବସାୟୀ ନିର୍ଭର କରିଥାନ୍ତି । ଗତ ତିନି ମାସ ହେବ ଦରବୃଦ୍ଧି ଯୋଗୁଁ ଆମ୍ଭେ ହନ୍ତସନ୍ତ ହେଲୁଣି । ବାଇଗଣ, ପୋଟଳ, ଟମାଟୋ ୮୦ ଟଙ୍କା କିଲୋ ଦରରେ ବିକ୍ରି ହେଉଥିବା ବେଳେ ବିନ୍ସ ୧୨୦ ଟଙ୍କାରେ ବିକ୍ରି ହେଉଛି । କଖାରୁ, ଅମୃତ ଭଣ୍ତା ୩୦ ଟଙ୍କା ଦରରେ ବିକ୍ରି ହେଉଛି । ଜହ୍ନି, ଭେଣ୍ଡି, କାକୁଡି ୪୦ ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି । କଞ୍ଚା ଲଙ୍କା କିଲୋ ଓ ଧନିଆପତ୍ର କିଲୋ ୩ ଶହ ଟଙ୍କା ଦରରେ ବିକ୍ରି ହେଉଛି । ଫଳରେ ହଜାର ଟଙ୍କା ନେଇ ହାଟକୁ ଆସିଲେ ମଧ୍ୟ ବ୍ୟାଗ ଭର୍ତ୍ତି ହେଉନାହିଁ ।’’

କାର୍ତ୍ତିକ ଆରମ୍ଭ ହୋଇନି, ନିୟନ୍ତ୍ରଣ ବାହାରେ ପରିବା ବଜାର (ETV Bharat Odisha)

କେଉଁ ଦର କେତେ(କେଜି ମୂଲ୍ୟ) ?

  • ବାଇଗଣ - ୮୦ ଟଙ୍କା
  • ପୋଟଳ- ୮୦ ଟଙ୍କା
  • ଟମାଟୋ - ୮୦ ଟଙ୍କା
  • ବିନ୍ସ - ୧୨୦ ଟଙ୍କା
  • କଞ୍ଚା ଲଙ୍କା - ୩୦୦ ଟଙ୍କା
  • ଧନିଆ ପତ୍ର - ୩୦୦ ଟଙ୍କା
  • ରସୁଣ - ୩୦୦ ଟଙ୍କା
କାର୍ତ୍ତିକ ଆରମ୍ଭ ହୋଇନି, ନିୟନ୍ତ୍ରଣ ବାହାରେ ପରିବା ବଜାର (ETV Bharat Odisha)

ଏମିତି କହିଲେ ଯୋଗାଣ ମନ୍ତ୍ରୀ:-

କାର୍ତ୍ତିକ ଆରମ୍ଭ ହୋଇନି, ନିୟନ୍ତ୍ରଣ ବାହାରେ ପରିବା ବଜାର (ETV Bharat Odisha)

ସ୍ଥିତିକୁ ନେଇ ଭିନ୍ନ ମନ୍ତବ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଏହା କୌଣସି ଅଭାବ ସ୍ଥିତି ନୁହେଁ ବରଂ ଧର୍ମମାସ କାର୍ତ୍ତିକର ପ୍ରଭାବ । ଲୋକେ ଏବେ ନିରାମିଷ ମୁହାଁ ହେବାରୁ ଏପରି ଦରଦାମ ବଢିଛି ଓ ପ୍ରତିବର୍ଷ କାର୍ତ୍ତିକ ମାସରେ ଏପରି ସ୍ଥିତି ଦେଖିବାକୁ ମିଳେ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି,‘‘କାର୍ତ୍ତିକ ମାସ ଆସୁଥିବା ଯୋଗୁଁ ବଜାରରେ ପରିବା ଦର ବଢୁଛି । ଦର ନିୟନ୍ତ୍ରଣ କରିବା ପାଇଁ ଆମ ବିଭାଗ ଦୃଷ୍ଟି ରଖିଛି । ଚଢାଦରରେ ଯେପରି କୋୖଣସି ସାମଗ୍ରୀ ବିକ୍ରି କରାନଯିବ, ସେଥିପାଇଁ ବ୍ୟବସ୍ଥା ହୋଇଛି । ପୂର୍ବ ସରକାର ରାଜ୍ୟରେ କ୍ଲୋଲଷ୍ଟୋର ନିର୍ମାଣ କଲେନାହିଁ । ଆମ ସରକାର ୯୮ଟି କ୍ଲୋଲଷ୍ଟୋର ନିର୍ମାଣ କରିବ । ପରେ ପ୍ରତ୍ୟେକ ବ୍ଲକରେ କ୍ଲୋଲଷ୍ଟୋର ନିର୍ମାଣ ହେବ । ଆମ ସରକାର ଚାଷ ପ୍ରତି ଗୁରୁତ୍ବ ଦେଉଛି ।’’

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details