ଓଡିଶା

odisha

By ETV Bharat Odisha Team

Published : Aug 27, 2024, 5:55 PM IST

ETV Bharat / state

ସମୁଦ୍ର କୂଳରେ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କିଓସ୍କ, ପ୍ରଶାସନ ଅବହେଳାକୁ ଉଠା ଦୋକାନୀଙ୍କ ଅସନ୍ତୋଷ - Kiosks Left Unused At Sea Beach

Kiosks getting damaged in Puri: କାମରେ ଆସୁନି ଉଠା ଦୋକାନୀଙ୍କ ପାଇଁ ତିଆରି ହୋଇଥିବା କିସ୍କୋ । ପୁରୀ ସମୁଦ୍ର କୂଳରେ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଉଠା ଦୋକାନ । ଅଧିକ ପଢନ୍ତୁ

KIOSKS GETTING DAMAGED
KIOSKS GETTING DAMAGED (Etv Bharat)

ପୁରୀ: ସରକାର କା ମାଲ୍‌ ଦରିଆ ମେ ଡାଲ .... ଯାହାର ଜ୍ବଳନ୍ତ ଉଦାହରଣ ହେଖିବାକୁ ମିଳିଛି ପୁରୀସମୁଦ୍ର କୂଳରେ । ଏଠାରେ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କିଓସ୍କ। ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରକେ ୧୨୦ ଟି କିଓସ୍କ ଏବେ ସମୁଦ୍ର କୂଳରେ ପଡି ରହିଛି। ଯାହାକୁ ନେଇ ଉଠା ଦୋକାନୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମୁଦ୍ର କୂଳରେ ଏଣେ ତେଣେ ବସୁଥିବା ଉଠା ଦୋକାନୀଙ୍କୁ ବ୍ୟବସ୍ଥିତ ଢଙ୍ଗରେ ବସାଇବା ପାଇଁ ତତ୍କାଳିନ ବିଜେଡି ସରକାର ଏହି କିଓସ୍କ ବ୍ୟବସ୍ଥା କରିଥିଲେ। ଏଥିପାଇଁ ଓବିସିସିକୁ ଦାୟିତ୍ଵ ଦିଆଯାଇଥିଲା ।

KIOSKS GETTING DAMAGED (Etv Bharat)

ଖତ ଖାଉଛି କିଓସ୍କ, ହଇରାଣ ହେଉଛନ୍ତି ଉଠା ଦୋକାନୀ:ପ୍ରଥମ ପର୍ଯ୍ୟାୟରେ ୧୨୦ଟି କିଓସ୍କ ସମୁଦ୍ର କୂଳକୁ ଅଣାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ କିଓସ୍କ ପକାଯିବାର ଯୋଜନା ମଧ୍ୟ କରାଯାଇଥିଲା । ଏହାକୁ ପାଇବା ଆଶାରେ ସମୁଦ୍ର କୂଳରେ ଉଠା ଦୋକାନୀ ଏବେ ନିରାଶ ହୋଇଥିବା ବେଳେ ଏଣେତେଣେ ବ୍ୟବସାୟ କରୁଛନ୍ତି। ଯାହା ଫଳରେ ବେଳାଭୂମିର ସୌନ୍ଦର୍ଯ୍ୟ ହାନି ହେବା ସହ ପର୍ଯ୍ୟଟକମାନେ ବୁଲାବୁଲି ସମୟରେ ନାକ ଟେକୁଛନ୍ତି। ଲକ୍ଷ ଲକ୍ଷ ଟଙ୍କାର କିଓସ୍କ ଏବେ ନଷ୍ଟ ହେବାକୁ ବସିଥିବା ବେଳେ ତୁରନ୍ତ ଉଠା ଦୋକାନୀଙ୍କୁ ଏହା ପ୍ରଦାନ କରିବାକୁ ଦାବି ହୋଇଛି।

କାମରେ ଆସୁନି କିଓସ୍କ :ବେଳାଭୂମିରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କୁ ବ୍ୟବସ୍ଥିତ କରିବା ପାଇଁ ୬ ଶହରୁ ଅଧିକ କିଓସ୍କ ନିର୍ମାଣ ପାଇଁ ପୂର୍ବ ସରକାରର ଯୋଜନା ଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ଦିଗବାରେଣି ଛକ ନିକଟ ବେଳାଭୂମିରେ ୧୨୦ ଟି କିଓସ୍କ ପକା ଯାଇଥିଲା। ତେବେ ଇତି ମଧ୍ୟରେ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ଅତିକ୍ରମ ହୋଇସାରିଥିଲା ବେଳେ ଏହା କୌଣସି କାର୍ଯ୍ୟରେ‌ ଲାଗିପାରି ନଥିବାରୁ ଅଧିକାଂଶ କିଓସ୍କ ଭାଙ୍ଗି ଯାଇଛି । ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତି ମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଏତିରେ ଲିପ୍ତ ରହୁଛନ୍ତି। ଯାହା ଫଳରେ ବେଳାଭୂମିରେ ବିଭିନ୍ନ ଅପରାଧ ବଢ଼ି ଚାଲିଛି।

ବେଳାଭୂମି ଉଠା ଦୋକାନୀ କହିଛନ୍ତି, ''ପୂର୍ବ ସରକାର ଆମକୁ ଥାଇଥାନ ପାଇଁ କହିଥିଲେ। ଏଣୁ ଆମେ ବେଳାଭୂମିରୁ ଉଠିଯାଇ କିଓସ୍କରେ ବ୍ୟବସାୟ ପାଇଁ ରାଜି ହୋଇଥିଲୁ । ବେଳାଭୁମୀରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଚାଲିଥିବାରୁ ଏହା ଶେଷ ପରେ ଆମକୁ କିଓସ୍କ ଦିଆଯାବ ବୋଲି ଆଶା କରିଥିଲୁ। ତେବେ ଇତି ମଧ୍ଯରେ ଦେଢ଼ ବର୍ଷ ହୋଇ ସାରିଥିବା ବେଳେ ଆମକୁ କିଓସ୍କ ଦିଆଯାଇନାହିଁ। ଏହା ଆମକୁ ଦିଆଗଲେ ଖରା, ବର୍ଷାରେ ଆମେ ଅସୁବିଧା ସମ୍ମୁଖୀନ ହେବୁନାହିଁ। ପୁରୀ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଶୀଘ୍ର କିଓସ୍କ ଉଠା ଦୋକାନୀଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲୁ। ନିର୍ବାଚନ ପରେ ସବୁ ବ୍ୟବସ୍ଥା ହେବ ବୋଲି କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଆମକୁ ଦୋକାନ ଘର ଦିଆଗଲା ନାହିଁ। ଲକ୍ଷ ଲକ୍ଷ ଟଙ୍କାର କିଓସ୍କ ଏବେ ସମୁଦ୍ର କୂଳରେ ବ୍ୟବହାର ନ ହୋଇ ନଷ୍ଟ ହେବାକୁ ବସିଛି। ଆମେ ନୂଆ ସରକାରଙ୍କୁ ଅନୁରୋଧ କରୁଛୁ ତୁରନ୍ତ ଏହି ସମସ୍ୟାର ସମାଧାନ କରି ବେଳାଭୂମିରେ ଉଠା ଦୋକାନ କରିଥିବା ଦୋକାନୀଙ୍କୁ କିଓସ୍କ ପ୍ରଦାନ କରନ୍ତୁ। ''

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି,''ପୁରୀ ବେଳାଭୂମିର ଉନ୍ନତୀ କରଣ କାର୍ଯ୍ୟ ଚାଲିଛି। ପର୍ଯ୍ୟଟକ ମାନେ ବୁଲାବୁଲି କରିବା ପାଇଁ ବିଚ୍ ରେ ପାଦ ଚଲା ରାସ୍ତା କରାଯାଇଛି। ଏହା ଉପରେ କୌଣସି ବ୍ୟବସାୟ ପାଇଁ ଅନୁମତି ଦିଆଯିବ ନାହିଁ। ବେଳାଭୁମିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଗାମୀ ଦିନରେ ଆହୁରି ପଦକ୍ଷେପ ନିଆଯିବା। ଏଣେ ତେଣେ ବସି ବ୍ୟବସାୟ କରିବା ଅନୁମତି ଦିଆଯିବାନାହିଁ। ବେଳାଭୂମିରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯକ୍ରମ ଆଗାମୀ ଦିନରେ କରାଯିବ। ବେଳାଭୂମିରେ ଅନେକ କଟକଣା ନିୟମ ରହିଛି। ତାକୁ ଦୃଷ୍ଟିରେ ରଖି ଲୋକଙ୍କ ଜୀବନ ଜୀବିକା ଯେଭଳି ପ୍ରଭାବିତ ନ ହୁଏ ସେ ଦିଗରେ ଧ୍ୟାନ ଦିଆଯିବ। ତେବେ କିଓସ୍କ ଗୁଡିକ କେଉଁ ସ୍ଥାନରେ ପଡ଼ିବ ସେ ନେଇ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବା। ''

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details