ଭୁବନେଶ୍ବର: ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର। ଏଣିକି ଉଚ୍ଚଶିକ୍ଷାନଷ୍ଠାନରେ ବର୍ଷକୁ ଦୁଇଥର ହେବ ନାମଲେଖା। ଛାତ୍ରଛାତ୍ରୀଙ୍କୁ ମିଳିବ ପାଠପଢ଼ାରେ ଅଧିକ ସପୋର୍ଟ ଏବଂ କ୍ୟାମ୍ପସ ନିଯୁକ୍ତି। ବିଦେଶରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ଭଳି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ନାମଲେଖା ହୋଇପାରିବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମୁଖ୍ୟ ଜଗଦେଶ କୁମାର କହିଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ ୟୁଜିସି ପକ୍ଷରୁ କୁହାଯାଇଛି । ଜୁଲାଇ- ଅଗଷ୍ଟ ଏବଂ ଜାନୁଆରୀ -ଫେବ୍ରୃଆରୀରେ ନାମଲେଖା ପ୍ରକ୍ରିୟା କରାଯିବ । ଯଦି ବର୍ଷକୁ ଦୁଇଥର ନାମଲେଖା ହୁଏ ବହୁ ଛାତ୍ରୀଛାତ୍ର ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।
ତେବେ ଯଦି କୌଣସି ଛାତ୍ରୀଛାତ୍ର ନାମଲେଖାରୁ ବଞ୍ଚିତ ହୋଇଥିବେ ତେବେ ସେମାନଙ୍କୁ ଆଉ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେମାନେ ସେହି ଶିକ୍ଷାବର୍ଷରେ ହିଁ ନାମଲେଖାଇ ପାରିବେ । ବୋର୍ଡ ରେଜଲ୍ଟ ପ୍ରକାଶ ହୋଇନଥିବା ତଥା ସ୍ୱାସ୍ଥ୍ୟ ସମସ୍ୟା କିମ୍ବା କୌଣସି ବ୍ୟକ୍ତିଗତ କାରଣରୁ କୌଣସି ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ନଥିଲେ ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଇପାରିବ। ସେହିଭଳି ବର୍ଷକୁ ଦୁଇଥର ନାମଲେଖା ହେଲେ କମ୍ପାନୀଗୁଡ଼ିକ ମଧ୍ୟ ବର୍ଷକୁ ଦୁଇଥର କ୍ୟାମ୍ପସ ନିଯୁକ୍ତି ଦେଇପାରନ୍ତି ବୋଲି ଶିକ୍ଷାବିତ ଜଳିଲ୍ ଖାଁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ଵାରା ଛାତ୍ରଛାତ୍ରୀ ମାନେ ଅଧିକ ଉପକାର ପାଇ ପାରିବେ। ଯେଉଁମାନେ ପ୍ରଥମ ଭାଗରେ ନାମ ଲେଖାଇ ପାରିନାହାନ୍ତି ସେମାନେ ଦ୍ଵିତୀୟ ପର୍ଯ୍ୟାୟରେ ନାମ ଲେଖାଇ ପାରିବେ। ଯାହା ଫଳରେ ଗୋଟିଏ ପିଲା ଆଉ ଏକ ବର୍ଷ ଡ୍ରପ କରିବାକୁ ପଡ଼ିବ ନାହିଁ।