ଭୁବନେଶ୍ବର: ଶିଳ୍ପ ମହାକୁମ୍ଭରୁ ଓଡିଶାକୁ ଛୁଟିବ ନିବେଶ ସମ୍ଭାର । ଆଜିଠୁ ଆରମ୍ଭ ହୋଇଥିବା ‘ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା’ ସମ୍ମିଳନୀର ପ୍ରଥମ ଦିନରେ ସ୍ବାକ୍ଷର ହେଉଛି ୫୪ ଚୁକ୍ତିନାମା । ବିଭିନ୍ନ ଶିଳ୍ପ ସମୂହ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡିଶାକୁ ଆସିବାକୁ ଯାଉଛି । ଏହା ଭିତରୁ ସବୁଠୁ ବଡ ଚୁକ୍ତି ‘ଆଦାନୀ’ ଗ୍ରୁପ ସହ ସ୍ବାକ୍ଷର କରିଛି ଓଡିଶା ।
- ପ୍ରଥମ ଦିନରେ ସାଢେ 4 ଲକ୍ଷ କୋଟି ଟଙ୍କାର ନିବେଶ ହାତେଇଲା ସମ୍ମିଳନୀ
୫୪ଟି ଏମଓୟୁରୁ ପ୍ରାୟ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଆସିଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସୂଚନା ଅନୁଯାୟୀ ଆଦାନୀ ଗ୍ରୁପ ସହ ୨ ଲକ୍ଷ ୨୮ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣା ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର । ସେହିପରି କେନ୍ଦୁଝରରେ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ ସହ ଏମଓୟୁ ହୋଇଛି । ଏଥିରେ ପ୍ରାୟ ୩୦ ରୁ ୪୦ ହଜାର କୋଟି ପୁଞ୍ଜିନିବେଶ ହେବ। ଆଜି ସ୍ବାକ୍ଷରିତ ହୋଇଥିବା ମୋଟ ଚୁକ୍ତିନାମାରେ ଓଡିଶା ମୋଟ ସାଢେ 4 ଲକ୍ଷରୁ ଅଧିକ ଟଙ୍କାର ନିବେଶ ପାଇଛି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।
- ବଡ ନିବେଶ କଲେ ଆଦାନୀ, ଜିନ୍ଦଲ ଓ ବିର୍ଲା
୨.୨୮ ଲକ୍ଷ କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି ଆଦାନୀ ଗ୍ରୁପ । କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ ଚୁକ୍ତି ହୋଇଛି ।JSPL ଗ୍ରୁପ ଅନୁଗୁଳସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି JSPL ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଚୁକ୍ତି ସ୍ବାକ୍ଷର କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
- ବିଭିନ୍ନ କାର୍ଯ୍ୟକ୍ଷମ ପ୍ଲାଣ୍ଟର ବଢିବ ଉତ୍ପାଦନ କ୍ଷମତା
ସେହିପରି ବିଭିନ୍ନ କ୍ଷେତ୍ରରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବ । ରାଜ୍ୟରେ ଥିବା ବିଭିନ୍ନ ମେଗା ପ୍ଲାଣ୍ଟର କ୍ଷମତା ମଧ୍ୟ ବୃଦ୍ଧି ହେବ । ବିଭିନ୍ନ କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି ଅନେକ ଜଣାଶୁଣା ବହୁଦେଶୀୟ ଶିଳ୍ପ ସଂସ୍ଥା । ଏନେଇ ଆଜି ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଶିଳ୍ପ ସଂସ୍ଥା ଚୁକ୍ତିନାମା କରିଛନ୍ତି । ବେଦାନ୍ତ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍ (JSPL) ଓ ଆଦିତ୍ୟ ବିର୍ଲା ଗ୍ରୁପ ପ୍ରମୁଖ ନିବେଶ ନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି ।
- ଜିନ୍ଦଲ କରିବ ଏକ ଲକ୍ଷ କୋଟିର ନିବେଶ
ବିଶିଷ୍ଟ ଉଦ୍ୟୋଗୀ ତଥା ‘JSPL’ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି," ଓଡିଶା ମୋର କର୍ମଭୂମି । ଓଡିଶା ଏକ ବିକଶିତ ହେଉ ଆମେ ଆଶା କରିବୁ । ଆଗକୁ ଆମେ ନିବେଶ କରିବା ସହ ଓଡିଶା ସରକାରଙ୍କ ସହ ମିଶି କାର୍ଯ୍ୟ କରିବୁ । ଆଜି 1 ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଚୁକ୍ତି କରିଛୁ । 45 ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ । 2 ଲକ୍ଷ ଲୋକ ପରୋକ୍ଷ ଭାବେ ନିଯୁକ୍ତି ପାଇବେ । ଆସନ୍ତା ବର୍ଷକ ମଧ୍ୟରେ ଅନୁଗୁଳ ଷ୍ଟିଲ୍ ପ୍ଲାଣ୍ଟ ସମ୍ପ୍ରସାରଣ ହେବ । ଉତ୍ପାଦନ କ୍ଷମତା 6 ମିଲିଅନ ଟନକୁ 12 ମିଲିଅନ ଟନ୍ କରାଯିବ । 2030 ପୂର୍ବରୁ ଏହାକୁ 2 ଗୁଣା ବଢ଼େଇ 25 ମିଲିଅନ ଟନ୍ କରାଯିବ । ଯାହା ଗୋଟିଏ ସ୍ଥାନରେ ବଡ଼ ଷ୍ଟିଲ୍ ପ୍ଲାଣ୍ଟ ହେବ । ଏହା ଆମର ସ୍ବପ୍ନ ଓ ପରିକଳ୍ପନା । ଓଡିଶାର ଅର୍ଥନୀତିକୁ ସୁଦୃଢ କରିବା ଲାଗି ଆଜି ମଧ୍ୟ କୋଟି କୋଟି ଟଙ୍କା ଟ୍ୟାକ୍ସ ଦେଉଛୁ । ଆଗକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଆହୁରି ବଢିବ । କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଆମେ ଚେଷ୍ଟା କରିବୁ ।’’
- ପୂର୍ବ ନିବେଶ ରାଶିକୁ 2 ଗୁଣା କରିବା ବିର୍ଲା ଗ୍ରୁପ
ସେହିପରି ପ୍ରତିଷ୍ଠିତ ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା କହିଛନ୍ତି,"ଓଡିଶାରେ ଆମେ ଦୀର୍ଘ ସମୟ ଧରି ନିବେଶ କରି ଆସିଛୁ । ଏଠାରେ ଆମେ ବହୁ ବର୍ଷ ହେଲା ଅଛୁ । ଆମେ ଓଡିଶାରେ 50 ହଜାର କୋଟି ଟଙ୍କା ନିବେଶ କରିସାରିଛୁ । ଓଡ଼ିଶାରେ ଆମେ ଆଉ 50 ହଜାର କୋଟି ନିବେଶ କରିବ ଯୋଜନା ରଖିଛୁ । ଆଲୁମିନିୟମ ରିଫାଇନାରୀ ଓ ଆଲୁମିନିୟମ ସ୍ମେଲଟିଙ୍ଗ ଶିଳ୍ପ ପ୍ରତିଷ୍ଠା କରିବୁ । ଏହି ଦୁଇଟି କ୍ଷେତ୍ରରେ ଆମେ ଆଗକୁ ନିବେଶ କରିବାକୁ ଯାଉଛୁ ।’’ ଓଡିଶାର ଶିଳ୍ପ ଉପଯୋଗୀ ଭିତ୍ତିଭୂମି ସହ ବିର୍ଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟିତ, ଓଡ଼ିଶାକୁ ଆଉଟଷ୍ଟାଣ୍ଡିଂ କହିଲେ ପ୍ରଧାନମନ୍ତ୍ରୀ ମୋଦି 'ଉତ୍କର୍ଷ ଓଡ଼ିଶା'ରେ ୫ ଲକ୍ଷ କୋଟିଠୁ ଢେର ଅଧିକ ପୁଞ୍ଜିନିବେଶ ସମ୍ଭାବନା: ମୁଖ୍ୟମନ୍ତ୍ରୀ |
- ଓଡିଶାର ଆଲୁମିନିୟମ ସମ୍ଭାରକୁ ବ୍ୟାପକ କରିବ ବେଦାନ୍ତ
ସେହିପରି ଅନ୍ୟତମ ଚର୍ଚ୍ଚିତ ଶିଳ୍ପ ସଂସ୍ଥା ବେଦାନ୍ତ ମଧ୍ଯ ଓଡିଶାରେ ଜାରି ରହିଥିବା ବିଭିନ୍ନ ଆଲୁମିନିୟମ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଯାଉଛି । ଫଳରେ ସଂସ୍ଥା ମୋଟା ଅଙ୍କର ପୁଞ୍ଜି ନିବେଶ କରିବ । ଓଡିଶାରେ ଆଲୁମିନିୟମ ଉତ୍ପାଦନ କରି ବିଭିନ୍ନ ଷ୍ଟାଟଅପ ଓ ଅନ୍ୟ ଶିଳ୍ପ ସଂସ୍ଥାର ଆଲୁମିନିୟମ ଆବଶ୍ୟକତା ପୂରଣ କରିବା ଦିଗରେ ଲକ୍ଷ୍ୟ ରହିଛି ବୋଲି ସଂସ୍ଥାର ମୁଖ୍ୟ ଅନୀଲ ଅଗ୍ରଓ୍ବାଲ କହିଛନ୍ତି ।
- ଓଡିଶା ପୃଥିବୀର ସ୍ବର୍ଗ: ବେଦାନ୍ତ ମୁଖ୍ୟ
ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି," ରାୟଗଡ଼ା ଦୁନିଆର ସ୍ଵର୍ଗ । ସେଠାକାର ଲୋକ ବହୁତ ଭଲ । ସେଠାରେ ନିବେଶ କରିବା ସହ ନିଯୁକ୍ତି ସୃଷ୍ଟି କରିବା ଆବଶ୍ୟକତା ଥିବା ଅନୁଭବ କଲି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବଡ଼ ସୁଯୋଗ ରହିଛି । ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥାପନ କରିହେବ । ରାୟଗଡ଼ାରେ ପ୍ରାଥମିକ ଆଲୁମିନିୟମ ପ୍ରସ୍ତୁତ କରିବୁ । 30 ଲକ୍ଷ ଟନ ବନାଉଛୁ । ଆଗକୁ ଆଉ 30 ଲକ୍ଷ ଟନ ବନେଇବା ପାଇଁ ଲକ୍ଷ୍ୟ ରଖିଛୁ । ଛୋଟ ଧରଣର ଷ୍ଟାର୍ଟ ଅପ୍, ଏସଏମ୍ଇ ଯାହା 5 କୋଟିରୁ 800 କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ଆମର ଇଚ୍ଛା ଅଛି ଏହିଭଳି 1 ହଜାର ଶିଳ୍ପ ଆସୁ । ଆମେ ସେମାନଙ୍କୁ ଶସ୍ତା ଶକ୍ତି ଓ ଆଲୁମିନିୟମ ଦେବୁ । ସବୁ ଜିନିଷ ଆଲୁମିନିୟମ ଶିଳ୍ପ ଉପରେ ନିର୍ଭରଶୀଳ ହେଉଛନ୍ତି । ରେଳବାଇ ବାଗେନ, ଜାହାଜ, ଏରୋସ୍ପେସ, ଅଟୋମୋବାଇଲ ଆଲୁମିନିୟମ ଆଡ଼କୁ ଯାଉଛି । ଆଲୁମିନିୟମ ଏଠାରୁ ଖନନ ହୋଇ ବାହାରକୁ ଯାଉଛି । ସେଠାରୁ ସାମଗ୍ରୀ ହୋଇ ଏଠାକୁ ଆସୁଛି । ସାମଗ୍ରୀ ଏଠାରେ ବନିବା ଦରକାର । ଆଗକୁ ଏହାହିଁ ହେବ । ଓଡିଶାରେ ଡବଲ ଇଞ୍ଜିନ ସରକାର ହୋଇଛି । ତେଣୁ ଓଡିଶା ବିକଶିତ ହେବାକୁ ଯାଉଛି ।’’
- ନବୀନ ଶାସନରେ 3 ଥର ଆୟୋଜିତ ହୋଇଥିଲା ମେକ-ଇନ ଓଡିଶା କନକ୍ଲେଭ
ପୂର୍ବରୁ ବିଜେଡି ସରକାର ସମୟରେ ଏହି ନିବେଶ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହାର ନାମ ରଖାଯାଇଥିଲା ‘ମେକ ଇନ୍ ଓଡିଶା କନକ୍ଲେଭ’ । ବର୍ଷ 2016 ରେ ପ୍ରଥମ ଏହି କନକ୍ଲେଭ୍ ଆୟୋଜିତ କରିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର । ସେହିବର୍ଷ ପ୍ରାୟ 2 ଲକ୍ଷ କୋଟିର ନିବେଶ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ସେହିପରି 2018 ମସିହାରେ ସମ୍ମିଳନୀର ପରବର୍ତ୍ତୀ ସଂସ୍କରଣ ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ 4 ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବ ଗ୍ରହଣ କରିଥିଲେ ରାଜ୍ୟ ସରକାର । 2020 ରେ ପ୍ରସ୍ତାବିତ ସମ୍ମିଳନୀ କୋଭିଡ୍ ମହାମାରୀ କାରଣରୁ ବନ୍ଦ ରଖାଯାଇଥିଲା । ନବୀନଙ୍କ ଶାସନରେ 2022ରେ ଶେଷ ଥର ପାଇଁ ଏହି ନିବେଶ ସମ୍ମିଳନୀ ଆୟୋଜିତ ହୋଇଥିଲା । ସେଥର ପ୍ରାୟ 10 ଲକ୍ଷରୁ ଅଧିକ ପରିମାଣର ନିବେଶ ପ୍ରସ୍ତାବ ଆସିଥିଲା । ତେବେ ନିବେଶ ପାଇଁ ବ୍ୟାପକ ପ୍ରସ୍ତାବ ଆସିଥିଲେ ସୁଦ୍ଧା ଏହାର ପରବର୍ତ୍ତୀ ପ୍ରକ୍ରିୟା ଓ କାର୍ଯ୍ୟକାରିତା ପରବର୍ତ୍ତୀ ସମୟରେ ଧିମା ହୋଇଯାଇଥିବା ଦେଖିବାକୁ ମିଳିଥିଲା ।
- ବିଜେପି ସରକାରର ପ୍ରଥମ ନିବେଶ ସମ୍ମିଳନୀ
2024 ନିର୍ବାଚନ ପରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରେ ଏହି କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରାଯାଇଥିଲା ଓ ‘ଉତ୍କର୍ଷ ଓଡିଶା- ମେକ ଇନ ଓଡିଶା’ ରଖାଯାଇଥିଲା । ଚଳିତବର୍ଷ ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାର ପ୍ରଥମ ଥର ଏହି ନିବେଶ ସମ୍ମିଳନୀ ଆୟୋଜନ କରୁଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକାଧିକ ରାଜ୍ୟ ଓ ସିଙ୍ଗାପୁର ଗସ୍ତ କରି ଶିଳ୍ପସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରିତ କରିଥିଲେ ।
- ଆଶାଠାରୁ 5 ଗୁଣା ଅଧିକ ହେବ ଏଥର ନିବେଶ:-
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶାରେ ଥିବା ଶିଳ୍ପ ଉପଯୋଗୀ ଅନୁକୂଳ ବାତାବରଣ ଓ ଭିତ୍ତିଭୂମି ସମ୍ପର୍କରେ ନିବେଶକଙ୍କୁ ଅବଗତ କରିଥିଲେ । ଓଡିଶା ମାଟିରେ ଯେକୌଣସି କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠାର ଅପାର ସମ୍ଭାବନା ରହିଛି ଦର୍ଶାଇ ନିବେଶକଙ୍କୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ଗଣମାଧ୍ୟରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି, ସରକାର ଏହି ନିବେଶ 5 ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆଶା ରଖିଥିଲେ । ମାତ୍ର ଏହି ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ 5 ଗୁଣାରୁ ଅଧିକ ହୋଇପାରେ । ସେହିପରି ଏହି କାର୍ଯ୍ୟକ୍ରମ ଓଡିଶାକୁ ଶିଳ୍ପର ସମ୍ଭାର ଆଣିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।
ଇଟିଭି ଭାରତ, ଭୁବନେଶ୍ବର