ଓଡିଶା

odisha

ଡେଙ୍ଗୁରେ ଆଖି ବୁଜିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ - Jual Oram wife passes away

By ETV Bharat Odisha Team

Published : Aug 18, 2024, 7:55 AM IST

Updated : Aug 18, 2024, 3:48 PM IST

Jual Oram wife passes away: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ । ଡେଙ୍ଗୁ ଜ୍ବରରେ ପୀଡିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ । ଅଧିକ ପଢନ୍ତୁ

Jual Oram wife passes away
Jual Oram wife passes away (ETV BHARAT ODISHA)

ଭୁବନେଶ୍ବର:ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ବୟସ ହୋଇଥିଲା । ଡେଙ୍ଗୁରେ ପୀଡିତ ହେବା ପରେ ପ୍ରାୟ ଏକ ସପ୍ତାହେ ଧରି ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶରୀରର ପ୍ଲେଟଲେଟ ହ୍ରାସ ପାଇବାରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଗତକାଲି ରାତି ପ୍ରାୟ 10ଟା 30 ସମୟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଝିଙ୍ଗିଆ ଓରାମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହ ଶେଷଦର୍ଶନ ମଧ୍ୟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରମା ମଧ୍ୟ ଡେଙ୍ଗୁରେ ପୀଡିତ ଅଛନ୍ତି ।

ଡେଙ୍ଗୁରେ ଆଖି ବୁଜିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ (ETV BHARAT ODISHA)

ଶେଷଦର୍ଶନ କଲେ ମୁଖ୍ୟମନ୍ତ୍ରୀ:

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି,‘‘ଆମ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କଲି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।’’

ଏହା ମଧ୍ୟ ପଢନ୍ତୁ-ବରିଷ୍ଠ ସାମ୍ବାଦିକ ପ୍ରଫେସର ପ୍ରଦୀପ ମହାପାତ୍ରଙ୍କ ବିୟୋଗ, ରାଜ୍ୟରେ ପ୍ରଥମେ ଆରମ୍ଭ କରିଥିଲେ ରଙ୍ଗୀନ ପତ୍ରିକା - Pradip Mohapatra Passes away

ଡେଙ୍ଗୁରେ ପୀଡିତ ଅଛନ୍ତି ଜୁଏଲ:

ଉଭୟ ଜୁଏଲ ଓ ତାଙ୍କ ପତ୍ନୀ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜୁଏଲ ଓରମାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତ ହେବାରୁ ତାଙ୍କୁ ଆଇସିୟୁରୁ ଜେନେରାଲ ଓ୍ବାର୍ଡକୁ ଅଣାଯାଇଥିଲା । ଏବେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି । କିନ୍ତୁ ପତ୍ନୀ ଝିଙ୍ଗିଆଙ୍କ ଶରୀରରେ ପ୍ଲେଟଲେଟ ମାତ୍ରା କମିବାରୁ ତାଙ୍କ ସ୍ଥିତି ସଙ୍କଟାପନ୍ନ ହୋଇଥିଲା । ଗତକାଲି ରାତିରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ପତ୍ନୀଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ଜୁଏଲ ।

ଆଜି ଶେଷକୃତ୍ୟ:

ଡେଙ୍ଗୁରେ ଆଖି ବୁଜିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ (ETV BHARAT ODISHA)

ଗତକାଲି ରାତିରେ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହେବା ପରେ ଶେଷ ଦର୍ଶନ ପାଇଁ ଲୁମ୍ବିନି ବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବିଜେପି ନେତା ତାଙ୍କର ଶେଷଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଶେଷଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ଆଜି ସୁନ୍ଦରଗଡର କେନ୍ଦୁଡିହିରେ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କର ଦୁଇ ଝିଅ ମଧ୍ୟ ରହିଛନ୍ତି । ଜୁଏଲ ଓରମାଙ୍କ ରାଜନୈତିକ ଯାତ୍ରା ପଛରେ ଝିଙ୍କିଆଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି ।

କେନ୍ଦୁଡିହିରେ ପହଞ୍ଚିଲା ମରଶରୀର:

ଶେଷକୃତ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ ମରଶରୀର ଆଜି ସକାଳ ୧୦ ଘଟିକା ସମୟରେ ନିଜ ଗାଁକେନ୍ଦୁଡିହିରେ ପହଞ୍ଚିଥିଲା । ଜିଲ୍ଲାପାଳ, ଉପଜିଲ୍ଲାପାଳ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ସହ ଶତାଧିକ ଜନ ସାଧାରଣ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ମୃତ୍ୟୁ ପରେ ବଣାଇ, ସୁନ୍ଦରଗଡ଼ ସମେତ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।

'ମୋ ପତ୍ନୀ ମୋ ପାଇଁ ସବୁକିଛି ଥିଲେ ':

ଏନେଇ ଜୁଏଲ ଓରାମ କହିଛନ୍ତି," ଗତକାଲି ମୋ ଧର୍ମପତ୍ନୀଙ୍କ ଦେହାନ୍ତ ହୋଇଯାଇଛି । ସେ ଡେଙ୍ଗୁରେ ପୀଡିତ ଥିଲେ । ତାଙ୍କର ପୂର୍ବରୁ ଲଙ୍ଗସରେ ଫିବ୍ରୋସିସ ହୋଇଥିଲା । ଡେଙ୍ଗୁ ହେବା ପରେ ଶରୀର ଅଧିକ ଅସୁସ୍ଥ ହୋଇପଡ଼ିଥିଲା । ପରେ ରକ୍ତବାନ୍ତି ହେଲା, ଡାକ୍ତର ମାନେ ଚେଷ୍ଟା କରିବା ପରେ ବିଫଳ ହୋଇଥିଲେ । ମୋ ପତ୍ନୀ ମୋ ପାଇଁ ସବୁକିଛି ଥିଲେ । ମୋ ସଫଳ ରାଜନୀତି ଜୀବନରେ ତାଙ୍କର ସବୁଠୁ ଅଧିକ ଯୋଗଦାନ ରହିଛି । ମୁଁ ଚାହୁଁଛି ଆସନ୍ତା ୭ ଜନ୍ମ ଯାଏଁ ମୋ ସହ ତାଙ୍କର ସମ୍ପର୍କ ଯୋଡି ହେଇଥାଉ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 18, 2024, 3:48 PM IST

ABOUT THE AUTHOR

...view details