ବଲାଙ୍ଗୀର:ଜିଲ୍ଲାରେ ପୁଣି ଦାଦନ ଦୁଃଖ । ବଲାଙ୍ଗୀରର ୨ ଯୁବକ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ମୃତଦେହକୁ ଘରକୁ ଫେରାଇ ଆଣିବାକୁ ସରକାର ସାହାଯ୍ୟ ଲୋଡିଛନ୍ତି ପରିବାର ।
ପୁଣି ଦାଦନ ଦୁଃଖ:
ଦାଦନ ପ୍ରପୀଡ଼ିତ ବଲାଙ୍ଗୀର ଜିଲ୍ଲାରେ ପେଟ ପାଟଣା ପାଇଁ ଏବେବି ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଅନେକ ସମୟରେ ନିର୍ଯାତନା ଓ ଶ୍ରମିକର ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ବଲାଙ୍ଗୀର ସହରର ଦୁଇ ଯୁବକ ପେଟ ପାଟଣା ପାଇଁ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଚେନ୍ନାଇ ରେଳଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର:
ଶନିବାର ଚେନ୍ନାଇର ଏକ ରେଳ ଷ୍ଟେସନ ନିକଟରୁ ତାଙ୍କର ମୃତଦେହ ସ୍ଥାନୀୟ ଜିଆରପି ଉଦ୍ଧାର କରିଛି । ଉଭୟ ମୃତକ ବଲାଙ୍ଗୀର ହାଥିଶାଳ ପଡ଼ାର ହୋଇଥିବା ବେଳେ ଜଣେ 24 ବର୍ଷୀୟ ଉମେଶ ପାଣ୍ଡେ ଓ ଅନ୍ୟ ଜଣେ 25 ବର୍ଷୀୟ କୁନୁ ପାଣ୍ଡେ ବୋଲି ଜଣା ପଡ଼ିଛି । ଉଭୟ ପୂର୍ବରୁ ମଧ୍ୟ ତାମିଲନାଡୁ ଯାଇ ଦାଦନ ଶ୍ରମିକ ଭାବରେ ସେଠାରେ କାମ କରୁଥିଲେ ଏବଂ ଏଥର ନୂଆଖାଇରେ ଘରକୁ ଫେରିଥିଲେ । ପୁଣିଥରେ ସେମାନେ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ ।
ମାସକ ପରେ ପଡିଥାନ୍ତା ହାତଗଣ୍ଠି:
ମୃତ ଉମେଶ ପାଣ୍ଡେର ବିବାହ ମଧ୍ୟ ସ୍ଥିର ହୋଇଥିଲା । ଆଉ ମାସକ ପରେ ତାଙ୍କର ବିବାହ ହୋଇଥାନ୍ତା । ଯାହାର ଖର୍ଚ୍ଚ ପାଇଁ ସେ ତାମିଲନାଡୁ ଯାଇଥିଲେ । ପରିବାର ଲୋକଙ୍କ କହିବାନୁଯାୟୀ, ଶୁକ୍ରବାର ସକାଳୁ ତାମିଲନାଡୁରୁ ଫୋନ ଆସିଥିଲା । ତାଙ୍କର ଆଧାର କାର୍ଡ ଫଟୋ ସହ ତାଙ୍କର ମୃତଦେହର ଫଟୋ ପୋଲିସ ପଠାଇଥିଲା ।
ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ:
ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇ ନଥିବା ବେଳେ ପରିବାର ଲୋକେ ଉଭୟଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି । ସେହିପରି ଉଭୟଙ୍କ ମୃତଦେହ ଜିଲ୍ଲାକୁ ଫେରାଇ ଆଣିବା ପାଇଁ ସେମାନେ ସମର୍ଥ ନା ଥିବା ବେଳେ ସରକାରୀ ସାହାଯ୍ୟ ଲୋଡ଼ିଛନ୍ତି । ଅନ୍ୟପଟେ ବଲାଙ୍ଗୀର ପୌରାଧ୍ୟକ୍ଷା ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି । ସେମାନଙ୍କୁ ସବୁ ସାହାଯ୍ୟର ପ୍ରତିଶ୍ରୁତି ଦେବା ସହ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି ।