ରାଉରକେଲା:ସହରରେ କେବେ କାର୍ଯ୍ୟକ୍ଷମ ହେବ ଟ୍ରାଫିକ ସଗନାଲ ସହ ସିସିଟିଭି କ୍ୟାମେରା । ଲାଗିବାର ଦେଢ଼ ବର୍ଷ ବିତିବା ପରେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ସିସିଟିଭି ଏବଂ ଟ୍ରାଫିକ ସିଗନାଲ । ଲୋକଙ୍କ ପାଇଁ ହୋଇଥିବା ପ୍ରକଳ୍ପ ବର୍ତ୍ତମାନ ବନ୍ଦ ହୋଇ ପଡିଛି । କାର୍ଯ୍ୟରେ ଆସୁନି ଟ୍ରାଫିକ ସିଗନାଲ ଏବଂ ସିସିଟିଭି କ୍ୟାମେରା । ବର୍ତ୍ତମାନ କୋଟି କୋଟି ଟଙ୍କାର ପ୍ରକଳ୍ପ ଖାଉଛି ଖତ । 2023ରେ ହକି ବିଶ୍ବକପ୍ ପୂର୍ବରୁ ସହରରେ ସିସି କ୍ୟାମେରା ଓ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ କାମ ସାରିବାକୁ ସରକାରଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା । ତେଣୁ କରି ତରବରିଆ ଭାବେ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ସହରର ପ୍ରମୁଖ ଛକରେ ଲଗାଯାଇଥିଲା ।
ହକି ବିଶ୍ୱକପ ମ୍ୟାଚ୍ ସମୟରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେଲା । ମାତ୍ର ଦୁଇରୁ ତିନି ଦିନ ଏହି ଟ୍ରାଫିକ ସିଗନାଲ ଏବଂ ସିସିଟିଭି ସହରର ପ୍ରମୁଖ ଛକ ହନୁମାନ ବାଟିକା, ପାନପୋଷ ହକି ଛକ, ଗାନ୍ଧିଛକ, ଛେଣ୍ଡ ଛକ, ରାଉରକେଲା ଏୟାରପୋର୍ଟ ଛକ ଭଳି ୧୦ଟି ଛକରେ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ଜଳିଲା । ହକି ମ୍ୟାଚ୍ ସରିବା ପରେ ପ୍ରମୁଖ ଛକରେ ଜଳୁଥିବା ଏସବୁ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ଲିଭିଗଲା । ଆଜିକୁ ପ୍ରାୟ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ଛକରେ ଟ୍ରାଫିକ୍ ସିଗ୍ନାଲ୍ ଲାଇଟ୍ ଜଳୁନି କି ସିସିଟିଭି କ୍ୟାମେରା ମଧ୍ୟ କାର୍ଯ୍ୟ କରୁନାହିଁ ।
ସୂଚନାଯୋଗ୍ୟ ଯେ ରାଉରକେଲା ୱାନ୍ ଅଫିସରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର( ଆଇସିସିସି) କାର୍ଯ୍ୟକ୍ଷମ ନ ହୋଇଛି ସେ ପର୍ଯ୍ୟନ୍ତ ଟ୍ରାଫିକ୍ ସିଗ୍ନାଲ ଲାଇଟ୍ ସ୍ବୟଂ ଚାଳିତ ହେବ ନାହିଁ ବୋଲି ଜଣାପଡ଼ିଛି । ଠିକା ସଂସ୍ଥା ଏବଂ ରାଉରକେଲା ପ୍ରଶାସନର ଅବହେଳାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଯେତେବେଳେ ପ୍ରଥମ କରି ସିସିଟିଭି କ୍ୟାମେରା ଏବଂ ଟ୍ରାଫିକ ସିଗନାଲ ଲାଗିଲା ରାଉରକେଲା ସହରବାସୀ ଭାବିଲେ ଯେ ଏଥର ରାଉରକେଲା ସହରରେ ଅମାନିଆ ଗାଡି ଚାଳକ ସାବଡ଼ ହେବେ । ଛକ ଛକରେ ଦୁର୍ଘଟଣା ଘଟୁଛି ତାହା ଦୂର ହେବ ଏବଂ ଟ୍ରାଫିକ ସିଗନାଲ ଯୋଗୁଁ ଲୋକେ ମଧ୍ୟ ସୁରକ୍ଷିତ ଭାବେ ଗାଡି ଚଳାଇବେ ଏବଂ ସିସିଟିଭି କ୍ୟାମେରା ଲାଗିବ ଦ୍ୱାରା ସହରରେ କ୍ରାଇମ ଏବଂ ଅସମାଜିକ କାର୍ଯ୍ୟ ଉପରେ ରୋକ ଲାଗିବ । ହେଲେ ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଫେଲ ମାରିଛି ବୋଲି ଅଭିଯୋଗ କରିଛନ୍ତି ସହରବାସୀ ।