ପୁରୀ: ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତକୁ ନେଇ ଉତ୍ସବ ମୁଖରିତ ପୁରୀ ସହର । ପବିତ୍ର ଶ୍ରୀରାମ ନବମୀରୁ ଆରମ୍ଭ ହେଇଥିବା ସାହିଯାତରେ ରାମାୟଣ କଥାବସ୍ତୁକୁ ନେଇ ପରିବେଷିତ ହୋଇଥାଏ । ତେବେ ସେତୁବନ୍ଧ ପ୍ରତିଷ୍ଠା ପରେ ସାହିଯାତରେ ରାବଣବଧ ଲୀଳା ଅନୁଷ୍ଠିତ ହୋଇଥାଏ । ଆଜି ପାରମ୍ପରିକ ସାହିଯାତର ମୁଖ୍ୟ ଚରିତ୍ର ରାବଣଙ୍କ ବଧ ସହ ଯାତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଂଶବିଶେଷ ସାହି ଯାତ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ । ପୁରୀରେ ସାହିଯାତ ଚୈତ୍ର ଶୁକ୍ଳ ଅଷ୍ଟମୀ ଠାରୁ ବୈଶାଖ କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ।
ତେବେ ଚଳିତ ବର୍ଷ ବାଲିସାହି ପକ୍ଷରୁ ରାବଣ ଭୂମିକାରେ ଦୁଇଜଣ ଅବତୀର୍ଣ୍ଣ ହୋଇଥିଲେ । ମହାବୀର ସୁବୁଦ୍ଧି ରାବଣ ଭୂମିକାରେ ଶ୍ରୀମନ୍ଦିର ନିକଟକୁ ଯାଇଥିଲେ । ବର୍ଷକରେ ଗୋଟିଏ ଦିନ ମହାପ୍ରଭୁଙ୍କ ମନ୍ଦିର ସିଂହାସନ ନିକଟକୁ ମନ୍ଦାରମାଳ ଯାଇ ସିଂହାସନ ସ୍ପର୍ଶ ହୋଇ ଆସିବା ପରେ ରାବଣଙ୍କୁ ପ୍ରଦାନ କରାଯାଇଥିଲା । ଅଭିଶାପରୁ ରାବଣ ଭଳି ରାକ୍ଷସ ଚରିତ୍ରରେ ଜନ୍ମ ନେଇଥିବାରୁ ବଧ ହେବା ନେଇ ପ୍ରାର୍ଥନା କରିଥିଲେ ସେ । ହିଞ୍ଜଳଜାଗାର ବଳଭଦ୍ର ମହାସୁଆର ରାତି ଯାତରେ ରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ପ୍ରତୀକାତ୍ମକ ଭାବେ ବାଲିସାହିରୁ ଯୁଦ୍ଧ ରାବଣ ବାହାରି ସାହି ପରିକ୍ରମା କରିଥିଲେ । ବଚନିକା ସହ କୁହାଟରେ ରାବଣଙ୍କ ଅଭିନୟ ଓ ବୀରପାହୁଲ ଦେଖିବାକୁ ସାହିମାନଙ୍କରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାସିନ୍ଦାମାନେ ଅପେକ୍ଷା କରି ରହିଥିଲେ।
ଏହା ମଧ୍ୟ ପଡ଼ନ୍ତୁ.. ଆରମ୍ଭ ହେଲା ସାହିଯାତ, ବୀର ବାଦ୍ୟରେ କମ୍ପୁଛି ଶ୍ରୀକ୍ଷେତ୍ର - SAHI JATA
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମାଧବ ମହାପାତ୍ରଙ୍କ ସୂଚନା ଅନୁଯାୟୀ ବାଲିସାହିର ରାବଣଙ୍କ ଅଭିନୟ ଦେଖିବା ଲାଗି ସବୁ ସାହିବାସିନ୍ଦାଙ୍କ ମନରେ ଉତ୍ସାହ ଥାଏ । ତେଣୁ ରାବଣ ଚରିତ୍ରରେ ଅବତୀର୍ଣ୍ଣ ହେଉଥିବା ବ୍ୟକ୍ତିଙ୍କୁ ବହୁ ନିଷ୍ଠା ଓ ସମର୍ପଣରେ ତାଲିମ ନେବାକୁ ପଡ଼ିଥାଏ । ଏହି ଅବସରରେ ରାବଣଙ୍କ ପଛେ ପଛେ ଦୁର୍ଗାମେଢ଼, କାଳୀମେଢ଼, ନବଶିରା, ସପ୍ତଶିରା, ଆକର୍ଷଣକୁ ସାହି ବାସିନ୍ଦା ଉପଭୋଗ କରିଛନ୍ତି । ଶ୍ରୀମନ୍ଦିରର ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବାଲିସାହିରୁ ରାବଣ ଆସି ଜଗମୋହନ ନିକଟରେ ଦଣ୍ଡାୟମାନ ହୋଇଥିଲେ । ଆଜ୍ଞାମାଳ ସିଂହାସନ ଛୁଆଁ ହୋଇ ତାଙ୍କୁ ଦିଆଯାଇଥିଲା । ପରେ ସେ ହରଚଣ୍ଡୀ ସାହି ପରିଭ୍ରମଣ କରି ଯମେଶ୍ଵରଙ୍କ ମନ୍ଦିରରେ ଥିବା ନିକୁମ୍ଭିଲା ବଟମୂଳରେ ଯୁଦ୍ଧ ପାଇଁ ଯଜ୍ଞ କରିଥିଲେ। ପରେ ଭଗବତୀ କୋଟରୁ ସ୍ଵର୍ଗ ନିଶୁଣି ଓ ଶକ୍ତି ନାମକ ବର ପାଇ ଶ୍ରୀରାମଙ୍କ ସହ ଯୁଦ୍ଧ କରିବା ପାଇଁ ଯାଇଥିଲେ।
ହରଚଣ୍ଡୀସାହି- ଯମେଶ୍ଵର, ମଣିକର୍ଣ୍ଣିକାସାହି-ବଡ଼ଆଖଡ଼ା - ଭଗବତୀ କୋଟ-ଉତ୍ତରଦ୍ଵାର-ଦୋଳବେଦି ରାବଣ ଜଗନ୍ନାଥବଲ୍ଲଭରେ ପହଞ୍ଚିଥିଲେ । ସେଠାରେ ବାଲିସାହି ପକ୍ଷରୁ ରାବଣବଧ ଲୀଳା ଅନୁଷ୍ଠିତ ହୋଇଥିଲା । ତେବେ ମୃତ୍ୟୁ ପରେ ରାବଣଙ୍କ ସ୍ଵର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି । ପୁରୀ ସାହି ଯାତ ଭାଇଚାରର ପ୍ରତୀକ ହୋଇଥିବାରୁ ଏହି ସାହି ଯାତରେ ଖୁଣ୍ଟିଆ ଜାଗା, ହିଂଜଳଗଡ଼ ଜାଗା, ଲୁହାଗଡ଼ ଜାଗା, ପଞ୍ଚାୟତ ଜାଗା, ଦୁବେଇ ଜାଗା, ନାଗାକୋଟ ଜାଗା, କାଳିକାକୋଟ ଜାଗା, ଗୁରୁଜଙ୍ଗ ଜାଗାର ଯୁବକ ମାନେ ସାମିଲ ହୋଇଥିଲେ । ଆସନ୍ତା ମେ ମାସ ୧ ତାରିଖରେ ରାମାଭିଷେକ ଓ ପତିଆରା ହନୁମାନ ନୀତି ଗୌଡ଼ବାଡ଼ ସାହି ପକ୍ଷରୁ ଅନୁଷ୍ଠିତ ହେବ ।
ଇଟିଭି ଭାରତ, ପୁରୀ