ରାଇରଙ୍ଗପୁର (ମୟୂରଭଞ୍ଜ): ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ଦ୍ବିତୀୟ ବାଘୁଣୀ ଜୀନତ୍ ଏକ ବାରହା ଶିକାର କରିଛି । ଗତକାଲି (ଶୁକ୍ରବାର) ରାତି ପ୍ରାୟ ୧୦ଟା ସମୟରେ ସଫ୍ଟ-ଏନକ୍ଲୋଜର ମଧ୍ୟରେ ଛଡା ଯାଇଥିବା ଏକ ବାରହାକୁ ଶିକାର କରି ଭକ୍ଷଣ କରିଛି ଜୀନତ୍ । ଶିକାରକୁ ଖାଇବା ପରେ ଜୀନତ ପାଣି ପିଇ ସ୍ବାଭାବିକ ଭାବେ ବିଶ୍ରାମ କରିଥିଲା । ଏଥିସହ ଜୀନତର ସ୍ବାସ୍ଥ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଠିକ୍ ରହିଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗୀନେନି କହିଛନ୍ତି ।
- ସମ୍ପୂର୍ଣ୍ଣ ସ୍ବାଭାବିକ ଅଛି ଜୀନତର ଗତିବିଧି:-
ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲା ସ୍ଥିତ ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତାଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯ ଶହ କିଲୋମିଟର ଯାତ୍ରା କରି ପୁଣି ଆଉ ଗୋଟିଏ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଛି । ଯାହାର ନାଁ ହେଉଛି ‘ଜୀନତ୍’ ଏବଂ ବୟସ ହେଉଛି ତିନି ବର୍ଷ । ଶିମିଳିପାଳ ଅଭୟାରଣ୍ୟର ଏକ ସ୍ବତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ବାଘୁଣୀକୁ ଅଣାଯିବା ପରେ ଶୁକ୍ରବାର ସକାଳ ୯ଟା ବେଳେ ଯମୁନାଘାଟି କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ-ଏନକ୍ଲୋଜରରେ ଛଡା ଯାଇଥିଲା । ଏନକ୍ଲୋଜର ଭିତରେ ବାଘୁଣୀ ଜୀନତ୍ ସୁସ୍ଥ ଭାବେ ଚଳ ପ୍ରଚଳ କରୁଥିବା ବେଳେ ଗତକାଲି (ଶୁକ୍ରବାର) ରାତିରେ ଏକ ବାରହା ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା । ବାଘୁଣୀଟି ବାରହାଟିକୁ ଶିକାର କରିବା ସହ ନିଜ ଆହାର ବନେଇଥିଲା । ଯାହା ଏକ ଭଲ ସଙ୍କେତ ।
- ଅଭ୍ୟସ୍ତ ହେବା ପରେ ଏନକ୍ଲୋଜରରୁ କୋର ଏରିଆରେ ଛଡାଯିବ
ତେବେ ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଖାପଖୁଆଇ ବାଘୁଣୀ ରହିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଜୀନତ୍ ଶିକାର କରିଥିବା ବେଳେ ସେ ସମ୍ପୂର୍ଣ ସୁସ୍ଥ ରହିଛି । ଏନକ୍ଲୋଜର ମଧ୍ୟରେ ସ୍ବାଭାବିକ ଭାବେ ଚଳପ୍ରଚଳ କରୁଛି । ସ୍ବତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ୍ ବାଘୁଣୀ ଜୀନତର ଗତିବିଧି ନିରୀକ୍ଷଣ କରୁଛନ୍ତି । ପରେ ଯମୁନା ଭଳି ଜୀନତକୁ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି ।
- ନିକଟରେ ଆସିଥିଲା ଯମୁନା:-
କିଛି ଦିନ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରର ତଡବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଯମୁନା ନାମକ ୨ବର୍ଷ ୭ ମାସର ଏକ ବାଘୁଣୀ ଅଣା ଯାଇଥିଲା । ତାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟର କବାଟଘାଇରେ ପ୍ରସ୍ତୁତ ଏକ ଏନକ୍ଲୋଜରରେ ରଖା ଯାଇଥିଲା । ସେଠାରେ ସେ ମଧ୍ୟ ଏକ ବାରହା ଶିକାର କରିଥିଲା । ପରେ କିଛି ଦିନ ଶିମିଳିପାଳର ଜଳବାୟୁ ସହିତ ଖାପ ଖୁଆଇ ରହିବା ପରେ ତାକୁ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଅରଣ୍ୟରେ ଛଡ଼ା ଯାଇଥିଲା । ତେବେ ବାଘୁଣୀ ଯମୁନାର ଗତିବିଧି ଉପରେ ମଧ୍ୟ ନଜର ରଖୁଛନ୍ତି ବନବିଭାଗର ଅଧିକାରୀ ମାନେ । ସେ ଏବେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ବୁଲା ବୁଲି କରୁଥିବା ଦେଖୁବାକୁ ମିଳିଛି ।
- ବାଘୁଣୀ ଯମୁନାକୁ ନେଇ ଜାରି ରହିଥିବା ଗୁଜବକୁ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଖଣ୍ଡନ:-