ଝାରସୁଗୁଡ଼ା: ୨୦୨୩ ମସିହାରେ ତତକାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ହେବାକୁ ବସିଥିଲେ ମଧ୍ୟ ଏଯାଏଁ ଘଟଣାର ସତ୍ୟାସତ୍ୟ ଉପରୁ ପରଦା ଉଠିନାହିଁ । ପ୍ରତ୍ୟେକ ଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାମଧ୍ୟରେ ସାକ୍ଷୀଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସାକ୍ଷୀଙ୍କ ସାର୍ଟ ରଙ୍ଗକୁ ନେଇ ପ୍ରଶ୍ନ ? :
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀ ତଥା ମୁଖ୍ୟ ସାକ୍ଷୀଙ୍କ ବୟାନକୁ ଘଟଣାକୁ ନୂଆ ମୋଡ଼ି ଦେଇଛି । ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ "ମୁଁ ହତ୍ୟାକାଣ୍ଡ ଦିନ ହଳଦିଆ ସାର୍ଟ ପିନ୍ଧିଥିଲି । କ୍ରାଇମବ୍ରାଞ୍ଚ ମୋଠାରୁ ସଂପୃକ୍ତ ସାର୍ଟ ଜବତ କରି ନେଇଥିଲା । କିନ୍ତୁ କାହିଁକି ତାହା ଧଳା ସାର୍ଟ ଲେଖାଯାଇଛି ସେ କଥା କ୍ରାଇମବ୍ରାଞ୍ଚ ଏବଂ ପୋଲିସ ବିଭାଗ କହିବ । ମୋତେ ତାହା ଜଣାନାହିଁ ।"
କୁଆଡ଼େ ଗଲା ଜବତ ସାର୍ଟ ?
ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ କହିଛନ୍ତି," କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ ସରିଯାଇଛି । ମୃତକଙ୍କ ପୋଷାକ ବିଷୟରେ ଜେରା ବେଳେ ତାଙ୍କୁ ପଚରା ଯାଇଥିଲା । ଗୁଳିବିଦ୍ଧ ସାର୍ଟ ତାଙ୍କୁ ଦିଆଯାଇ ନଥିବା କହିଥିଲେ । ଯେଉଁ ଚାର୍ଜସିଟ ପୋଲିସ ଦାଖଲ କରିଛି, ସେଥିରେ ଏସଏଫଏସଏଲକୁ ପୋଲିସ ଯେଉଁ ସିଜର ଲିଷ୍ଟ ପଠାଇଥିଲା ସେଥିରେ ଗୁଳି ବାଜିଥିବା ନବ ଦାସଙ୍କ ସାର୍ଟକୁ ପଠାଯାଇ ନାହିଁ ।"

ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ ," କୌଣସି ଟେଷ୍ଟ ପାଇଁ ନବ ଦାସଙ୍କ ସାର୍ଟକୁ ପଠାଯାଇ ନାହିଁ । ଆଗକୁ ଜେରା କରାଗଲେ ସେ ବିଷୟରେ ଜଣାପଡିବ । ଏପରିକି ରକ୍ତ ଭିଜା ସାର୍ଟ ଏବଂ ତଉଲିଆ ମଧ୍ୟ ଜବତ ତାଲିକାରେ ନାହିଁ । ଶୁଭେନ୍ଦୁ ପଟ୍ଟନାୟକଙ୍କ ହଳଦିଆ ରଙ୍ଗର ସାର୍ଟକୁ କ୍ରାଇମବ୍ରାଞ୍ଚ ଧଳା ରଙ୍ଗର ବୋଲି ଉଲ୍ଲେଖ କରିଛି । ତାହା ଜେରା ସମୟରେ ପଚରାଯିବ । ଜବତ ତାଲିକାରେ ଯାହା ଉଲ୍ଲେଖ କରାଯାଇଛି ଏବଂ ବୟାନ ରେକର୍ଡ ଅନୁସାରେ ଆମେ ଜେରା କରୁଛୁ । ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ ଯେ ଶୁଭେନ୍ଦୁ ପଟ୍ଟନାୟକଙ୍କ ସାର୍ଟ ଧଳା ନୁହଁ ହଳଦିଆ । ଯେହେତୁ ମାମଲାର ଟ୍ରାଏଲ ଚାଲିଛି ତଦନ୍ତ ଅଧିକାରୀଙ୍କୁ ଏହି ବିଷୟରେ ଜେରା କରାଯିବ ।"

ନବ ଦାସ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ, ରାଜ୍ୟ ସରକାର ସିବିଆଇ ତଦନ୍ତ କରାନ୍ତୁ ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି । ଏଭଳି ସ୍ଥିତିରେ ସାକ୍ଷୀଙ୍କ ବୟାନ ଏବଂ ଅଭିଯୁକ୍ତ ଗୋପାଳ ଦାସଙ୍କ ମନ୍ତବ୍ୟ ପରେ, ହତ୍ୟା ସମୟର ସିଜର ଲିଷ୍ଟକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ବିଶେଷ କରି ପ୍ରତ୍ୟକ୍ଷଦର୍ଶୀଙ୍କ ସାର୍ଟ ରଙ୍ଗ ମାମଲାକୁ ଅଧିକ ଜଟିଳ କରିଛି ।

ଇଟିଭି ଭାରତ,ଝାରସୁଗୁଡା