ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହୋଇଛି ପାରଦ । କିଛି ଦିନର ବ୍ୟବଧାନ ପରେ ପୁଣିଥରେ ରାଜ୍ୟକୁ ଫେରିଛି ଶୀତ । ଓଡ଼ିଶାରେ ରାତିର ତାପମାତ୍ରା ହ୍ରାସ ପାଇଛି । ଫଳରେ ରାଜ୍ୟରେ ଶୀତ ଅନୁଭବ ହେଉଥିବା ବେଳେ ଥରୁଛି ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶା । ସେପଟେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ରାଜ୍ୟକୁ ଥଣ୍ଡା ଲହରୀ ଫେରିଥିବା ବେଳେ ଶୀତର ପ୍ରକୋପରେ ଥରୁଛି ଓଡ଼ିଶା । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଥିବା ବେଳେ ଏହାର ପ୍ରଭାବରେ ରାତିରେ ପାରଦ ଖସୁଛି । ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାରେ କିଛି ଅଞ୍ଚଳରେ ଶୀତ ଅନୁଭବ ହେଉଛି । ସେପଟେ ଓଡ଼ିଶାରେ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆସନ୍ତାକାଲି 11 ତାରିଖ ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ । ଏହି ଜିଲ୍ଲାଗୁଡ଼ିକରେ ହାଲୁକା ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପିଗ ବିଭାଗ ।