ଭୁବନେଶ୍ବର:ରାଜ୍ୟରେ ଖରା ଦିନକୁ ଦିନ ବଢ଼ିବାରେ ଲାଗୁଛି । ଦିନ ୧୦ଟା ହେଲେ ଘରୁ ବାହାରିବା ମୁସ୍କିଲ । ଫେବୃଆରୀରେ ଶୀତ ଯାଉ ଯାଉ ଖରା ମାଡ଼ି ଆସିଲାଣି । ଗଲା କିଛି ଦିନ ଧରି ରାଜ୍ୟବାସୀଙ୍କୁ ଖରା କଲକଲ କରୁଛି । ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ SRC ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅଙ୍ଗନବାଡି ଓ ସ୍କୁଲରେ ପାଣି ଓ ଓଆରଏସ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତକାଲି ରାଜଧାନୀ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଏନେଇ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ SRC ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ହିଟ୍ୱେଭକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ହିଟୱେଭରୁ ବର୍ତ୍ତିବାକୁ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ମାର୍ଗଦର୍ଶିକା ଜାରି କରିଛନ୍ତି ।
ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିବ । ସ୍କୁଲ ଓ କଲେଜରେ ପର୍ଯ୍ୟାପ୍ତ ଓଆରଏସ ରଖାଯିବା ସହ ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀ ଯେପରି ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସମସ୍ତ ଅଭିଭାବକଙ୍କୁ ସଚେତନ କରାଯିବା ଦରକାର ଯେ ସେମାନଙ୍କ ପିଲାମାନେ ସ୍କୁଲ, କଲେଜ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନେଇ ଯାଆନ୍ତୁ । ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହାର ପ୍ରଚାର କରାଯିବ ।
ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ ପ୍ରବାହ ସତର୍କତାମୂଳକ ଟିପ୍ସ ଦେବା ପାଇଁ ସ୍କୁଲ ସମୟରେ କିଛି ସମୟ ଦେବାକୁ ମଧ୍ୟ ପରାମର୍ଶ ଦିଆଯିବ।ଏପଟେ ଅଙ୍ଗନବାଡି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ । ଅଙ୍ଗନଵାଡ଼ି କେନ୍ଦ୍ରରେ ପାଣିର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏହାସହ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ପ୍ୟାକେଟ ମଧ୍ୟ ଉପଲବ୍ଧ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିସପେନ୍ସରୀ, ପିଏଚସି, ସିଏଚ୍ସି ଏବଂ ଉପଖଣ୍ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍, ଓଆରଏସ୍ ସଂରକ୍ଷଣ କରାଯିବ ।