ଭୁବନେଶ୍ବର: ଆଦିବାସୀଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ ହେଲା । ପ୍ରଥମ ଥର ଆଦିବାସୀଙ୍କୁ ମିଳିଲା ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଏହି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଭୁବନେଶ୍ବର ଆଦିବାସୀ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଏକଦିବସୀୟ ସ୍ବତନ୍ତ୍ର ଉନ୍ନୟନ ପରିଷଦର ମହାସମାବେଶରେ ପ୍ରଥମ ପର୍ଯ୍ୟାୟରେ ୭ ଜଣ ଆଦିବାସୀଙ୍କୁ ଏହି ପଟ୍ଟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଓ ଆଦିବାସୀ ଜନଜାତିର ଅଧିକାରକୁ ନେଇ ଏହି ପଟ୍ଟା ବଣ୍ଟନ କରାଯାଇଛି ।
ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର 'ଜାହିରା' ଆଦିବାସୀ ସମ୍ପ୍ରଦାୟର ୭ ଜଣଙ୍କୁ ସାମୂହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଥିଲେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ଏକ ନୂତନ ଯୁଗର ଅଧ୍ୟାୟ ଆରମ୍ଭ କରିଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ଆଉ ୧୦୦ ଜଣଙ୍କୁ ଆଜି ଦିନରେ ପଟ୍ଟା ଦିଆଯାଇଛି । ମୟୂରଭଞ୍ଜ ସମେତ ରାୟଗଡା, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏହି ପଟ୍ଟା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ମହାସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି "ଜନଜାତି କଳା ଓ ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି । ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ । ଏସ୍ଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି । ୧୩ଟି ଆଦିମ ଜନଜାତି ବା ପିଭିଟିଜି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଆମେ ଏସ୍ଡିସିମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଛୁ ।"
ଆଦିବାସୀ ଜନଜାତି କଳା, ସଂସ୍କୃତି ଓ କ୍ରୀଡାର ସୁରକ୍ଷା ଓ ପ୍ରସାର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଥାଏ । ଏହି କ୍ରମରେ ଆଦିବାସୀ ଜନଜାତିର ବିକାଶକୁ ନେଇ ସାଂସ୍କୃତିକ କ୍ଲବ, ହାଟ, ସାଂସ୍କୃତିକ ମହୋତ୍ସବ ଭାଷା ସମାବେଶ, ଆଦିବାସୀ ସଂସ୍କୃତି ପରମ୍ପରା ଓ ଖେଳକୁ ପ୍ରୋତ୍ସାହିତ କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ବୋଲି କହିଛନ୍ତି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ । ୨୩ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହେଉଥିବାବେଳେ ଚଳିତ ବର୍ଷ ୧ ହଜାର ପଟ୍ଟା ବାଣ୍ଟିବାର ଯୋଜନା ରାଜ୍ୟ ସରକାର କରିଛନ୍ତି ବୋଲି କହିଛନ୍ତି ବିଭାଗୀୟ ସଚିବ ରୂପ ରୋଶନ ସାହୁ । ସେହିପରି ପ୍ରଥମ ଥର ପାଇଁ ପିଭିଟିଜି ବା ଆଦିମ ଜନଜାତିର ଲୋକମାନଙ୍କ ସହ ଗୋଟିଏ ଫ୍ରେମ୍ରେ ଫୋଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।