ସମ୍ବଲପୁର:ଘରର ଚାରି କାନ୍ଥରୁ ବାହାରି ସ୍ବାବଲମ୍ବୀ ମହିଳା । ଘର ଚଳାଇବାକୁ ପୁରୁଷ ରୋଜଗାରକୁ ଅପେକ୍ଷା ନକରି ନିଜ ଟଙ୍କାରେ ପରିବାର ଚଳାଉଛନ୍ତି । ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରିଛନ୍ତି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକର ନିଶାନଭଙ୍ଗା ପଞ୍ଚାୟତର ବାବୁଚକୁଳି ଗାଁର ବଜରଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା 10 ଜଣ ମହିଳା । ପ୍ରାୟ 2 ଏକର ଜମିରେ ଡ୍ରାଗନ ଫ୍ରୁଟ ଚାଷ କରି ହଜାର ହଜାର ଟଙ୍କା ରୋଜଗାର କରି ନିଜର ଆର୍ଥିକ ସ୍ଥିତିକୁ ସୁଧାରି ପାରିଛନ୍ତି । ପରିବାର ପ୍ରତିପୋଷଣ ଭଲ ଭାବେ କରିବା ସହ ନିଜ ପିଲାଙ୍କୁ ପାଠ ପଢାଉଛନ୍ତି । ଦିନେ ରୋଷେଇ ଘର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ, ଏବେ ତାଙ୍କ ମୁହଁରେ ଡ୍ରାଗନ ଫ୍ରୁଟ ଚାଷ ହସ ଫୁଟାଇଛି ।
ମହିଳାଙ୍କ ଡ୍ରାଗନ ଫ୍ରୁଟ ଚାଷ:
dragon fruit Farming (ETV BHARAT ODISHA) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଏକ ଉପାନ୍ତ ଗାଁ ହେଉଛି ବାବୁଚକୁଳି । 2017 ମସିହାରେ ଏହି ଗାଁର 10 ଜଣ ମହିଳା ବଜରଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ଏହି ଗୋଷ୍ଠୀର ରଞ୍ଜିତା ଖଡିଆ ନାମକ ଜଣେ ମହିଳାଙ୍କ ସ୍ୱାମୀ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ବେଳେ ସେ ଥରେ ଘରକୁ ଛୁଟିରେ ଆସିଥିବା ବେଳେ ମହିଳା ମାନଙ୍କୁ ଡ୍ରାଗନ ଫ୍ରୁଟ ଚାଷ ଓ ଏଥିଲେ ଲାଭ ବିଷୟରେ କହିଥିଲେ । ଏହାପରେ ମହିଳା ମାନେ ଚାଷ ପ୍ରତି ମନ ବଳାଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଡ୍ରାଗନ ଫ୍ରୁଟ୍ ଚାଷ କରି ପ୍ରେରଣା ସାଜିଲେ କୃଷିମନ୍ତ୍ରୀ, ଦୁବାଇକୁ କରୁଛନ୍ତି ରପ୍ତାନୀ - Deputy CM cultivating dragon fruit
ଏହା ମଧ୍ୟ ପଢନ୍ତୁ-ନୂଆପଡ଼ା ମାଟିରେ ଡ୍ରାଗନ ଫ୍ରୁଟ ଚାଷ, ଲାଭବାନ ହେଉଛନ୍ତି ଗଣପତି ନାଏକ
dragon fruit Farming (ETV BHARAT ODISHA) 2 ଏକର ଜମିରେ 1056 ଟି ଡ୍ରାଗନ ଫ୍ରୁଟ ଚାରା:
ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ଏକ ମିଟିଂ କରି ରେଙ୍ଗାଲି ବ୍ଲକର ଓଡିଶା ଜୀବିକା ମିଶନର ଏମବିକେ ଓ ସିଆରପିଙ୍କୁ ଭେଟି ଋଣ ଆଣିଥିଲେ । ଏମବିକେ ଓ ସିଆରପିଙ୍କ ସହାୟତାରେ ପଞ୍ଚାୟତରୁ ଦେଢ଼ ଲକ୍ଷ ଓ ବ୍ୟାଙ୍କରୁ 3 ଲକ୍ଷ ଋଣ ଆଣି ଜଣେ SHG ସଦସ୍ୟଙ୍କ ପ୍ରାୟ 2 ଏକର ଜମିରେ ବାଡ଼ି ତିଆରି କରିଥିଲେ । ପଞ୍ଚାୟତ ତରଫରୁ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଏମାନଙ୍କୁ 1000 ଚାରା ଯୋଗାଇ ଦିଆଯାଇଥିଲା । ବୋରୱେଲ ଓ ପାଇପ ବ୍ୟବସ୍ଥା ପାଇଁ ଟଙ୍କା କମ ପଡିବାରୁ ପୁଣି ଉଦ୍ୟାନ କୃଷି ବିଭାଗ ପକ୍ଷରୁ 2 ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଇ ଦେଇଥିଲେ ଓଏଲଏମର ଏମବିକେ ଓ ସିଆରପି l ଏହା ପରେ 1056 ଟି ଡ୍ରାଗନ ଫ୍ରୁଟ ଚାରା ଲଗେଇ ଆରମ୍ଭ ହୋଇଥିଲା ଚାଷ l ଏଥିପାଇଁ ଏହି ମହିଳା ମାନେ ନିଜେ ଶ୍ରମ ଦାନ କରିବା ସହ 3 ଜଣ ଶ୍ରମିକ ନିୟୋଜିତ କରିବା ସହ ଜଣେ ରାତ୍ରି ଜଗୁଆଳି ରଖିଥିଲେ l
ବର୍ଷକରେ 2 କ୍ୱିଣ୍ଟାଲ ଉତ୍ପାଦନ:
dragon fruit Farming (ETV BHARAT ODISHA) 2022ରେ ଆରମ୍ଭ ହୋଇଥିବା ଏହି ଚାଷରୁ ଚଳିତ ବର୍ଷ ଜୁଲାଇ ମାସରୁ ପ୍ରଥମ ଫଳ ଉତ୍ପାଦନ ଆରମ୍ଭ ହୋଇଥିଲା l ଆଉ ଚଳିତ ବର୍ଷ 2 କ୍ୱିଣ୍ଟାଲ ଡ୍ରାଗନ ଫ୍ରୁଟ ଉତ୍ପାଦନ କରିଥିଲେ ମହିଳା l ଏଥିରୁ ସେମାନେ ପ୍ରାୟ 50 ହଜାର ଟଙ୍କା ରୋଜଗାର କରିଥିଲେ l ତେବେ ଏଥିରେ କି ଲାଭ ହେଲା ବୋଲି ମନରେ ପ୍ରଶ୍ନ ଉଠିବ କିନ୍ତୁ କଥାଟା ହେଲା ଏହି ଗଛ 20 ବର୍ଷ ଯାଏଁ ଏମିତି ଫଳ ଉତ୍ପାଦନ କରୁଥାଏ l ସେଥିପାଇଁ ଏହି ମହିଳା ମାନେ ନିଜର ପ୍ରଥମ ଉତ୍ପାଦନରେ ବହୁତ ଖୁସି l
ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ କୁହନ୍ତି, "ଘରେ ଥିବା ବେଳେ ଆମେ ରୋଜଗାର କରିପାରୁ ନଥିଲୁ l ଏବେ ରୋଜଗାର କରି ପିଲା ମାନଙ୍କ ଓ ନିଜ ପାଇଁ ବି କିଛି କରି ପାରୁଛୁ l ଘରର ଖର୍ଚ୍ଚ ଉଠେଇ ପାରୁଛୁ l ଆମେ ଏହି ଚାଷ କରି ବହୁତ ଖୁସି ଲାଗୁଛି l"
dragon fruit Farming (ETV BHARAT ODISHA) ଆଉ ଜଣେ ସଦସ୍ୟ ସୁଷମା ଖଡିଆ ଖୁସି ବ୍ୟକ୍ତ କରି କୁହନ୍ତି, "ଚାଷ କରି ଭଲ ଲାଗୁଛି, ଆଉ ଟିକେ ଉନ୍ନତି କରିବା ପାଇଁ ଆମେ ଚେଷ୍ଟା କରୁଛୁ, ଆଗକୁ ବଢିବାକୁ ଚେଷ୍ଟା କରୁଛୁ । ''
ମହିଳା ମାନଙ୍କୁ ସହାୟତା କରିଥିବା ରେଙ୍ଗାଲି ନିଶାନଭଙ୍ଗା ଗ୍ରାମ ପଞ୍ଚାୟତର ଏମବିକେ କଲ୍ୟାଣୀ ବିଶ୍ୱାଳ କୁହନ୍ତି, " ପ୍ରଥମେ ଏମାନେ ତାଙ୍କ SHGରେ ମିଟିଂ କଲେ ଯେ କିଛି ବି ଆମେ ଜୀବିକା କରିବା ସେ ଯାହା ବି ହେଉ l ରଞ୍ଜିତା ଖଡିଆଙ୍କ ସ୍ୱାମୀ ଗାଁକୁ ଆସି ମହିଳାଙ୍କୁ ଡ୍ରାଗନ ଫ୍ରୁଟ ଚାଷ ବିଷୟରେ କହିଥିଲେ । ତାପରେ ସେମାନେ ସେମାନେ ମୋ ପାଖକୁ ଆସି ଚାଷ ବିଷୟରେ କହିଥିଲେ । ମୁଁ ଏଥି ପାଇଁ ସମର୍ଥନ କରିଥିଲି । ସବୁ ବିଭାଗ ସହ ଯୋଗା ଯୋଗ ବି କରେଇବି କହିଲି l ମିଟି୍ଂରେ GPLPରେ ଆମେ ପାସ କରେଇଲୁ l ତାଙ୍କୁ ବ୍ୟାଙ୍କ ସହ ଯୋଗା ଯୋଗ କରେଇ 3 ଲକ୍ଷ ଋଣ କରେଇଲୁ l ତାପରେ ପଞ୍ଚାୟତ ସହ ଯୋଗାଯୋଗ କରେଇ ପ୍ରଥମ କିସ୍ତିରେ 50 ହଜାର ଟଙ୍କା ଦେଇଥିଲି l ତାପରେ ସେଥିରେ ସେମାନେ ଚାରା କିଣିଲେ l ପରେ ପୁଣି 1 ଲକ୍ଷ ଲୋନ ଦେଲି l ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉଦ୍ୟାନ କୃଷି ବିଭାଗର ଏକ ସ୍କିମ ଜରିଆରେ 2 ଲକ୍ଷ ଋଣ ଦିଆଯାଇଛି l "
dragon fruit Farming (ETV BHARAT ODISHA) ଇଟିଭି ଭାରତ, ସମ୍ବଲପୁର