ଓଡିଶା

odisha

ETV Bharat / state

ସୁନ୍ଦରଗଡ଼ରେ ମୁଣ୍ଡ ନେଉଛି ଅସହ୍ୟ ତାତି ! ରାଉରକେଲାରେ ସ୍ଥିତି ସାଙ୍ଘାତିକ - Sunstroke death in Rourkela - SUNSTROKE DEATH IN ROURKELA

Sunstroke death in Rourkela: ରାଜ୍ୟରେ ବଢ଼ୁଛି ଅଂଶୁଘାତଜନିତ ମୃତ୍ୟୁ । ସୁନ୍ଦରଗଡ଼଼ ଜିଲ୍ଲା ତଥା ରାଉରକେଲା ସହରରେ ଅସମ୍ଭାଳ ହେଲାଣି ସ୍ଥିତି । ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଅସ୍ବାଭାବିକ ଭାବରେ ମୋଟ ୧୮ଟି ଜୀବନ ଗଲାଣି । ଅଧିକ ପଢ଼ନ୍ତୁ

Sunstroke death in Rourkela
Sunstroke death in Rourkela (ETV Bharat Odisha)

By ETV Bharat Odisha Team

Published : May 31, 2024, 6:34 PM IST

ରାଉରକେଲା: ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା । କଲବଲ କରୁଛି ତାତି ସାଙ୍ଗକୁ ପ୍ରବଳ ମାତ୍ରାରେ ଗୁଳୁଗୁଳି । ଦିନରେ ପ୍ରବଳ ଖରା ଏବଂ ରାତି ହେଲେ ଅସହ୍ୟ ଗୁଳୁଗୁଳିରେ କଲବଲ ସାରା ରାଜ୍ୟ । ବିଶେଷ କରି ସୁନ୍ଦରଗଡ଼଼ ଜିଲ୍ଲା ତଥା ରାଉରକେଲା ସହରରେ ସ୍ଥିତି ଅସମ୍ଭାଳ ହେଲାଣି । ଏହାରି ମଧ୍ୟରେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଅସ୍ବାଭାବିକ ମୃତ୍ୟୁ ଘଟଣା । ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଅସ୍ବାଭାବିକ ଭାବରେ ମୋଟ ୧୮ଟି ଜୀବନ ଗଲାଣି । କେବଳ ରାଉରକେଲା ସହରରେ ୧୨ ଜଣ ପ୍ରାଣ ହରାଇଥିବାବେଳେ ସୁନ୍ଦରଗଡ଼ ସହରରେ ୬ ଜଣଙ୍କର ଅସ୍ବାଭାବିକ ଭାବରେ ଜୀବନ ଯାଇଥିବା ସୂଚନା ମିଳିଛି ।

ରାଉରକେଲାରେ ସ୍ଥିତି ସାଙ୍ଘାତିକ (ETV Bharat Odisha)

ଏଭଳି ସ୍ଥିତିରେ ରାଉରକେଲାକୁ ଆସି ସୁନ୍ଦରଗଡ଼ ଜିଲ୍ଲାପାଳ ହର୍ଷଦ ପରାଗ ଗଭାଳି ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ରାଉରକେଲାରେ ଗତକାଲି ଦିନ ସାଢ଼େ ଗୋଟାଏରୁ ବର୍ତ୍ତମାନ ମଧ୍ୟରେ ୧୨ ଜଣଙ୍କର ଅସ୍ବାଭାବିକ ଭାବରେ ମୃତ୍ୟୁ ଘଟିଛି । ସେହିଭଳି ସୁନ୍ଦରଗଡ଼ରେ ମଧ୍ୟ ଅସ୍ବାଭାବିକ ଭାବରେ ଗତକାଲିଠାରୁ ଆଜି ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହେଲାଣି । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଅଂଶୁଘାତଜନିତ ମୃତ୍ୟୁ ସୁନ୍ଦରଗଡ଼ ଜିଲ୍ଲାରେ କେବଳ ରାଉରକେଲାରେ ହିଁ ହୋଇଛି । ଯେଉଁ ୪ ଜଣ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ ଗତକାଲି ଦିନ ଗୋଟାଏରେ ଭର୍ତ୍ତି ହୋଇଥିଲେ, ସେମାନଙ୍କ ମଧ୍ୟରୁ ଗତକାଲି ୨ ଜଣଙ୍କର ହସ୍ପିଟାଲରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି ଜିଲ୍ଲାପାଳ।

ଅନ୍ୟପଟେ ଯେଉଁ ୮ଟି ମୃତଦେହ ରାଉରକେଲା ସରକାରୀ ହସ୍ପିଟାଲକୁ ମୃତ୍ୟୁ ପରେ ଆସିଥିଲା ଏବଂ ଏଠାରେ ମୃତ ଘୋଷଣା କରାଗଲା, ସେଗୁଡ଼ିକର ଆଜି ମୃତଦେହ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ହର୍ଷଦ ପରଗ ଗାଭାଲି । ସୁନ୍ଦରଗଡ଼ ସହରରେ ବା ଜିଲ୍ଲାର ଅନ୍ୟ କୌଣସି ସ୍ଥାନରେ କେହି ଅଂଶୁଘାତରେ ମୃତ୍ୟୁବରଣ କରିନଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ହେଲେ ଜିଲ୍ଲାରେ ଯେଉଁମାନଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଛି, ସେମାନଙ୍କର ମଧ୍ୟ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ତେବେ ବର୍ତ୍ତମାନ ହିଟଷ୍ଟ୍ରୋକ୍‌ ୱାର୍ଡକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆକ୍ଟିଭ କରାଯାଇଛି ।

ଡାକ୍ତର ମହଜୁଦ ରହି କିଭଳି ଭାବରେ ସମସ୍ତଙ୍କୁ ସୁସ୍ଥ କରାଯିବ ସେନେଇ ପଦକ୍ଷେପ ନେଉଛନ୍ତି । ପୋଷ୍ଟମର୍ଟମ ଲାଗି ମଧ୍ୟ ସ୍ପେଶାଲ ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି । ତେବେ ଖାସ କରି ଚାଷୀ ଏବଂ ଖରାରେ କାମ କରୁଥିବା ଏବଂ ବୟସ୍କ ଲୋକଙ୍କ ଖରାରେ ନବାହାରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ଅଗ୍ନିବର୍ଷା ! ଅଂଶୁଘାତରେ ୮ ଜଣଙ୍କ ମୃତ୍ୟୁ ସନ୍ଦେହ, ପ୍ରଶାସନର ଖଣ୍ଡନ - Unnatural Death In Sambalpur

ଏହାରି ଭିତରେ ଅନ୍ୟ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ରୋଗୀଙ୍କୁ ଚିକିତ୍ସା କରୁ କରୁ ଜଣେ ମହିଳା ଡାକ୍ତର ଟଳି ପଡିଥିବା ଦେଖିବାକୁ ମିଳୁଛି । ଅସହ୍ୟ ଗରମ ଯୋଗୁଁ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଉକ୍ତ ମହିଳା ଡାକ୍ତର । ଡାକ୍ତରଙ୍କ ନାଁ ହେଉଛି ନୀଳିମା ପଣ୍ଡା । ସେ ସୁନ୍ଦରଗଡ଼ NTPC ହସ୍ପିଟାଲରେ କାର୍ଯ୍ୟରତ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details