କଳାହାଣ୍ଡି: ଗତ ୧୧ ତାରିଖରେ ଓଡିଶା ପିସିସି ସଭପତି ଭାବରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତ କରିଛନ୍ତି ଦଳର ହାଇକମାଣ୍ଡ । ଦାୟିତ୍ବ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସମସ୍ତ ନିଲମ୍ବିତ ନେତାଙ୍କ ଉପରୁ ନିଲମ୍ବନ ଉଠାଇ ଛନ୍ତି ଭକ୍ତ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଉପରୁ ମଧ୍ୟ ନିଲମ୍ବନାଦେଶ ଉଠାଇଛନ୍ତି ଭକ୍ତ ଚରଣ ଦାସ । ଭକ୍ତ ଚରଣ ଦାସ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।
୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ସେ ଜଣେ ଛାତ୍ର ନେତା ଭାବେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜନୀତିରେ ଯୋଗଦେଇଥିଲେ । ପରେ ଭକ୍ତ ଚରଣ ଦାସ ପରିବେଶ ସୁରକ୍ଷା ଓ ଚାଷୀଙ୍କ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ କରିଥିଲେ । ମାତ୍ର ୩୦ ବର୍ଷ ବୟସରେ ୧୯୮୯ ମସିହାରେ ସେ ଜନତା ପାର୍ଟି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ସମୟରେ ଭକ୍ତ ଚରଣ ଦାସ କଂଗ୍ରେସରେ ଯୋଗଦେଇଥିଲେ । ସେ ବିହାର ସମେତ ବିଭିନ୍ନ ରାଜ୍ୟର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ । ସେ କଂଗ୍ରେସର ମୁଖପାତ୍ର ମଧ୍ୟ ରହିଥିଲେ ।
ଏବେ ଦୀର୍ଘ ଦିନ ଧରି ଖାଲିପଡ଼ିଥିବା ରାଜ୍ୟ ପିସିସି ସଭାପତି ପଦରେ ତାଙ୍କୁ ଅଭିଷିକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପଦବୀ ପାଇଁ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଭକ୍ତ ଚରଣ ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।