ଭୁବନେଶ୍ବର: ବିମାନ ବନ୍ଦରରୁ ଜବତ ହେଲା ୩ଟି ହରିଣ ସିଙ୍ଗ । ଗତକାଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୩ଟି ହରିଣ ସିଙ୍ଗ ଜବତ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ ଦୁବାଇରୁ ଭୁବନେଶ୍ଵର ବିମାନ ଯୋଗେ ଆସୁଥିବା ଜଣେ ଯୁବକଙ୍କ ଠାରୁ ଧରାପଡ଼ିଛି ଏହି ହରିଣ ସିଙ୍ଗ । ଖବର ପାଇ ଭୁବନେଶ୍ବର ବିମାନ ବନ୍ଦରରୁ କଷ୍ଟମ ବିଭାଗ ଉକ୍ତ ଯୁବକ ଜଣଙ୍କଠାରୁ ଏହି ସିଙ୍ଗ ଜବତ କରିବା ସହ ଯୁବକ ଜଣଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି ।
ଜଣେ ଫରେଷ୍ଟ ଅଧିକାରୀଙ୍କ ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଦୁବାଇରୁ ଭୁବନେଶ୍ଵରକୁ ସିଧାସଳଖ ବିମାନ ଯୋଗେ ଜଣେ ଓଡ଼ିଆ ଯୁବକ ଆସିଥିଲେ । ଭୁବନେଶ୍ବରରେ ଲଗେଜ ଯାଞ୍ଚ ବେଳେ ସେ ତାଙ୍କ ସହ ୩ଟି ହରିଣ ସିଙ୍ଗ ଧରି ଆସୁଥିବା ଜଣାପଡ଼ିଥିଲା । ପରେ ସେଠାରୁ ତାଙ୍କୁ କଷ୍ଟମ ଅଫିସର ପଚାରାଉଚରା ପାଇଁ ନେବା ସହିତ ତାଙ୍କ ପାଖରେ ଥିବା ତିନୋଟି ସିଙ୍ଗକୁ ଜବତ କରିଛି । ଏହି ଘଟଣା ପରେ କଷ୍ଟମ ବିଭାଗ ଫରେଷ୍ଟ ଅଧିକାରୀଙ୍କୁ ବିମାନ ବନ୍ଦରରେ ଜବତ ହୋଇଥିବା ହରିଣ ସିଙ୍ଗକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇଥିଲେ । ସିଟି ଫରେଷ୍ଟ ଅଧିକାରୀ ଏହାର ପରୀକ୍ଷା ପରେ ଏହାକୁ ଅସଲି ହରିଣ ସିଙ୍ଗ ବୋଲି ଚିହ୍ନଟ କରିଥିଲା । ଉକ୍ତ ହରିଣ ସିଙ୍ଗ ଏବେ କଷ୍ଟମ ବିଭାଗ ପାଖରେ ରହିଥିବା ଜଣାପଡ଼ିଛି । ଉକ୍ତ ଯୁବକଙ୍କର ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ବୟସ 36 ବର୍ଷ ବୋଲି ଜଣାପଡ଼ିଛି । ତାଙ୍କ ପଖରୁ ଜବତ ହୋଇଥିବା ତିନୋଟି ସିଙ୍ଗର ଲମ୍ବ 40 ସେଣ୍ଟି ମିଟର, 38 ସେଣ୍ଟି ମିଟର ଏବଂ 31 ସେଣ୍ଟି ମିଟର ରହିଥିବା ସୂଚନା ମିଳିଛି ।