ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁରରେ ହେବାକୁ ଯାଉଛି ନିର୍ବାଚନ । ତେବେ ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ କରାଯାଇଛି l ଗତ 23 ତାରିଖ ସନ୍ଧ୍ୟାରୁ 26 ତାରିଖ ରାତି ପର୍ଯ୍ୟନ୍ତ 144 ଧାରା ଲାଗୁ ରହିବ ବୋଲି ଜିଲ୍ଲା ପ୍ରଶାସନ ଆଜି ଚିଠି ଜାରି କରି ସୂଚନା ଦେଇଛନ୍ତି । ଏନେଇ ଆଜି ଉତ୍ତରାଞ୍ଚଳ ପୋଲିସ ଆଇଜି ଅଫିସ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ, ଏସପି, ଉତ୍ତରାଞ୍ଚଳ ଆଇଜି ଓ ଉତ୍ତରାଞ୍ଚଳ ଆରଡିସି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ ନିର୍ବାଚନୀ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି l
ସମ୍ବଲପୁର ଜିଲ୍ଲାରେ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ସୁରୁଖୁରୁରେ ପରିଚାଳନା କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଚୂଡାନ୍ତ କରିଛି l ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଅବସରରେ ଜିଲ୍ଲାରେ ବିଭିନ୍ନ ବୁଥରେ ମୁଖ୍ୟତଃ ମତଦାତାଙ୍କ ପାଇଁ ସୁରୁଖୁରୁରେ ମତଦାନ ସାବ୍ୟସ୍ତ କରିବା ପାଇଁ କରାଯାଇଥିବା ସବୁ ବ୍ୟବସ୍ଥା ନେଇ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାରେ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 2800 ଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ଜିଲ୍ଲାର 60 ପ୍ରତିଶତ ବୁଥରେ ମତଦାନ ପ୍ରକ୍ରିୟାକୁ ୱେବ କାଷ୍ଟିଙ୍ଗ କରିବାର ବ୍ୟବସ୍ଥା କରାଯାଇଛି । ଏଥିସହ ଜିଲ୍ଲାରେ ଗତକାଲି ସନ୍ଧ୍ୟା ଠାରୁ 144 ଧାରା ଲାଗୁ କରାଯାଇଛି l ଏହା 26 ତାରିଖ ରାତି ପର୍ଯ୍ୟନ୍ତ ବଳବତ୍ତର ରହିବ ।