ବୌଦ୍ଧ: ଆଇନ ଶୃଙ୍ଖଳାକୁ ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ତଥା ସରକାରୀ କଳର ଅପବ୍ୟବହାରକୁ ନେଇ ବର୍ଷିଲେ ବିଜେଡ଼ି ନେତା । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ । ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଚୋରି ଡକାୟତି ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ଆଣିଲେ ଅଭିିଯୋଗ । ସେହିପରି ପୋଲିସର ନିଷ୍କ୍ରିୟତାକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ସେ । ଏପରିକି ଜିଲ୍ଲାର ଲଘୁ ଖଣିଜ ସମ୍ପଦର ଖୁଲମ ଖୁଲା ଲୁଟ ଚାଲିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
'ପୋଲିସ ସମ୍ପୂର୍ଣ୍ଣ ହାତ ବାନ୍ଧି ବସିଛି':
ପ୍ରଦୀପ ଅମାତ କହିଛନ୍ତି,"ବୌଦ୍ଧ ଜିଲ୍ଲା ଏକ ଶାନ୍ତି ପ୍ରିୟ ଜିଲ୍ଲା । ବୌଦ୍ଧ ସହର ଏକ ଶାନ୍ତି ପ୍ରିୟ ସହର । ୨୦୨୩ ପୂର୍ବରୁ କୌଣସି ପ୍ରକାଶ ଅଶାନ୍ତି ହୋଇନଥିଲା କିନ୍ତୁ ଆଜି ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବେଆଇନ ଗଞ୍ଜେଇ ଚାଷ ଠାରୁ ନେଇ ଷ୍ଟୋନ କ୍ରସର ଓ ବାଲି ଘାଟରୁ ଚାଲିଛି ବେଧଡକ ଲୁଟ୍ । ଜିଲ୍ଲା ସଦର ଆଦର୍ଶ ଥାନା ଅଞ୍ଚଳରେ ମନ୍ଦିର ଚୋରି ଓ ଏଟିଏମ ଲୁଟ ଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ସମ୍ପୂର୍ଣ୍ଣ ହାତ ବାନ୍ଧି ବସିଛି । ମହାନଦୀରୁ ବାଲି ଲୁଟ ଓ ବେଆଇନ ଷ୍ଟୋନ କ୍ରସର ଦ୍ୱାରା ବ୍ୟାପକ ଲଘୁ ଖଣିଜ ଲୁଟ ହେଉଛି । ବିଭିନ୍ନ ଘାଟରୁ ପ୍ରତ୍ୟେକ ଦିନ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ଆଦୌ ଦୃଷ୍ଟି ଦେଉନାହିଁ ।
ଏହା ମଧ୍ୟ ପଢନ୍ତୁ... ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ, ରକ୍ତ ଭିଜା ସାର୍ଟ କେଉଁଠି ? - NABA DAS MURDER CASE ଏହା ମଧ୍ୟ ପଢନ୍ତୁ...ବୈକୁଣ୍ଠ ଧାମରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଆଶ୍ରମ - BAIKUNTHA DHAM DEMOLISHED |
ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ବୌଦ୍ଧ:
ସେ ଆହୁରି ମଧ୍ୟ କହିଛନ୍ତି "ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ପାଲଟିଛି ବୌଦ୍ଧ । ଯେଉଁ ମାତ୍ରାରେ ଗଞ୍ଜେଇ ଗଛ କଟା ଯାଉଛି, ତାହା କେବଳ ଲୋକ ଦେଖାଣିଆ ଅଟେ । ମାତ୍ର ୧୦ରୁ ୧୫ ଭାଗ ଗଛ କଟାଯାଉଛି । ସେପଟେ ଚୋରା ମଦ କାରବାର ମଧ୍ୟ ବୃଦ୍ଧି ପାଇଛି । ଗୋ ଚାଲାଣ ମଧ୍ୟ ବୃଦ୍ଧି ପାଇଛି । ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଏଭଳି ଅପରାଧିକ କାର୍ଯ୍ୟକଳାପର ଖୁବଶୀଘ୍ର ପର୍ଦ୍ଦାଫାସ ହେଉ । ଦୋଷୀଙ୍କ ଦଣ୍ଡ ଦିଆଯାଉ । ନଚେତ୍ ଆମେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବୁ । "
ଇଟିଭି ଭାରତ, ବୌଦ୍ଧ