ଖୋର୍ଦ୍ଧା/କେନ୍ଦ୍ରାପଡ଼ା/ସମ୍ବଲପୁର: ରାଜ୍ୟରେ ଆରମ୍ଭ ହେଲା ପକ୍ଷୀ ଗଣନା । ଶୀତ ଦିନ ଆସିଲେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥାଏ । ପ୍ରତି ବର୍ଷ ଭଳି ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକା, ଭିତରକନିକା ଓ ହୀରାକୁଦରେ ପକ୍ଷୀ ଗଣନା କରାଯାଇଥାଏ । ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟ । ଏଥିରେ ପକ୍ଷୀ ବିଶେଷଜ୍ଞ ଏବଂ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଛନ୍ତି ।
- ଚିଲିକାରେ ପକ୍ଷୀ ଗଣନା
ଚିଲିକା ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜ ଯଥା ଟାଙ୍ଗୀ, ବାଲୁଗାଁ, ସାତପଡ଼ା, ନୂଆପଡ଼ା, ରମ୍ଭା ଚିଲିକା ଅଞ୍ଚଳରେ ପକ୍ଷୀଙ୍କ ସଂଖ୍ୟା ଗଣନା କରାଯାଉଛି । ୧୩୦ ଜଣ ଗଣନାକାରୀଙ୍କୁ ନେଇ ଗଠନ ହୋଇଛି ୨୧ଟି ଟିମ୍ । ଚିଲିକାର ଜଳ ଓ ସ୍ଥଳ ଭାଗରେ ଥିବା ପକ୍ଷୀଙ୍କର ଗଣନା କରାଯାଉଛି । ଅବସରପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, CDA କର୍ମଚାରୀ, OUATର ଅଧାପକ/ ପ୍ରଫେସର ଏବଂ ଛାତ୍ରଛାତ୍ରୀ, ଅଣ ସରକାରୀ ସଂସ୍ଥା ( NGO ) କର୍ମକର୍ତ୍ତା, ଟୁରିଷ୍ଟ ଗାଇଡ୍, ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଏହି ପକ୍ଷୀ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏପରିକି ବମ୍ବେ ନାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟି (BNHS)ର ବରିଷ୍ଠ ଗବେଷକ, ବିଶେଷଜ୍ଞମାନେ ମଧ୍ୟ ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ୧୮ଟି ଡଙ୍ଗା ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛି ।

- କିପରି ହେବ ପକ୍ଷୀ ଗଣନା ?
ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ପର୍ଯ୍ୟଟକ ବାରଣ ଏବଂ ପକ୍ଷୀ ରହୁଥିବା ସ୍ଥାନଗୁଡ଼ିକରେ ମାଛଧରା ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି ବନ୍ୟପ୍ରାଣୀ ବିଭାଗ । ବାଇନକୁଲାର, ବନ୍ୟପ୍ରାଣୀ ବିଭାଗର ବାର୍ଡ୍ସ ବୁକ୍ ଏବଂ ଅନ୍ୟାନ୍ୟ ଟେକ୍ନିକାଲ୍ ଯନ୍ତ୍ରାଂଶରେ ପକ୍ଷୀଙ୍କ ସଂଖ୍ୟା ଗଣନା ହେବ । ଚଳିତ ବର୍ଷ ସମଗ୍ର ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି, ତାହା ଜଣାପଡ଼ିବ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି ନା' କମିଛି ତାହାର ଟିକିନିଖି ହିସାବ କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ ।
- ହୀରାକୁଦରେ ପକ୍ଷୀ ଗଣନା
ରାଜ୍ୟର ସର୍ବବୃହତ ଜଳ ଭଣ୍ଡାର ହୀରାକୁଦରେ ମଧ୍ୟ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚଳିତ ବର୍ଷ ହୀରାକୁଦ ଜଲଭଣ୍ଡାରର 550 ବର୍ଗ କିଲୋମିଟର ଅଞ୍ଚଳରେ ପକ୍ଷୀ ଗଣନା କରାଯିବ l ଏନେଇ ହୀରାକୁଦ ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି, "ପକ୍ଷୀ ଗଣନା ପାଇଁ 21ଟି ସେକ୍ଟରରେ ବିଭକ୍ତ କରାଯାଇଛି l ଏଥିରେ ମୋଟ 40ଟି ଟିମ ନିୟୋଜିତ ହୋଇଛନ୍ତି । 32ଟି ବନ ବିଭାଗର ଟିମ ଥିବାବେଳେ 8ଟି ସପୋର୍ଟିଂ ଟିମ ଅଛନ୍ତି l ଜିପିଏସ ସିଷ୍ଟମ ବ୍ୟବହାର କରାଯାଇ ଗଣନା କରାଯିବ l ଏଥିରେ 70ଟି ବାଇନାକୁଲାର ବ୍ୟବହାର ହେବ l ସେହିପରି 32ଟି ବୋଟ ବ୍ୟବହାର ହୋଇଛି l "

- ପୂର୍ବରୁ କେତେ ପକ୍ଷୀ ଆସିଥିଲେ ?
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ହୀରାକୁଦରେ 113 ପ୍ରକାରର ମୋଟ 3,42,343ଟି ପକ୍ଷୀ ଆସିଥିବାର ରେକର୍ଡ ରହିଛି l ଏହାସହ ଗତ 5 ବର୍ଷରେ ହୀରାକୁଦକୁ ଅଧିକ ପ୍ରକାରର ପକ୍ଷୀ ଆସୁଥିବା ତଥ୍ୟରୁ ଜଣାପଡିଛି l 2020ରେ 93 ପ୍ରକାର, 2021ରେ 98 ପ୍ରକାର, 2022ରେ 104 ପ୍ରକାର, 2023ରେ 108 ପ୍ରକାର, 2024ରେ 113 ପ୍ରକାର ପକ୍ଷୀ ଆସିଥିବା ସୂଚନା ରହିଛି l

- ଭିତରକନିକାରେ ପକ୍ଷୀ ଗଣନା
ଭିତରକନିକା ଜାତୀୟ ଉଦ୍ୟାନରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ, ରାଜନଗର ବନଖଣ୍ଡରେ ପକ୍ଷୀଗଣନା ପାଇଁ ୧୮ଟି ଟିମ ଗଠନ କରାଯାଇଛି । ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, "ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଣ, ଲକ୍ଷ୍ମୀପ୍ରସାଦ ଡିଆ, କାଳିଭଞ୍ଜ ଡିଆ, ମଗରକନ୍ଦା, ଚିଂଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ବତୀଘର, ରାଜଗଡ ପ୍ରଭୃତି ଅଞ୍ଚଳରେ ପକ୍ଷୀ ଗଣନା କରାଯାଉଛି । ଗୋଟିଏ ଟିମରେ ପାଞ୍ଚରୁ ଅଧିକ ସଦସ୍ୟ ରହିଥିବା ବେଳେ ଶହେରୁ ଊର୍ଦ୍ଧ୍ବ ବନ କର୍ମଚାରୀ ଓ ସ୍ବଚ୍ଛାସେବୀ ସଦସ୍ୟ ସାମିଲ ହୋଇଛନ୍ତି । ପ୍ରତି ଟିମକୁ ୱାକିଟକି, ବାଇନାକୁଲାର, ଜିପିଏସ, ଭିଏଚଏଫ ଆଦି ଦିଆଯାଇଛି । "

ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ଏହାର ଆଖପାଖ ଅଞ୍ଚଳରେ ୧୨୧ ପ୍ରଜାତିର ୧ ଲକ୍ଷ ୫୧ ହଜାର ୪୨୧ ପକ୍ଷୀ ଆସିଥିଲେ । ଚଳିତ ବର୍ଷ ଅଧିକ ପକ୍ଷୀ ଆସିଥିବା ନେଇ ଆଶା କରାଯାଉଛି । ପୁରା ଡିଭିଜନ ଅଧିନ ୫ଟି ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଜାରି ରହିଛି । "
ଇଟିଭି ଭାରତ, ଖୋର୍ଦ୍ଧା/କେନ୍ଦ୍ରାପଡ଼ା/ସମ୍ବଲପୁର