ଭୁବନେଶ୍ବର:ରାଜ୍ୟରେ ବଢୁଛି ମଦ ବ୍ରିକି । ଗୃହରେ ମଦ ବିକ୍ରି ତଥ୍ୟ ମାଗିଲେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରା । ସେପଟେ ମଦ ବୋତଲର ବିକଳ୍ପ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ସନାତନ ମହାକୁଡ । ରାଜ୍ୟରେ ବର୍ତ୍ତମାନ କେତେ ଠିପି ଖୋଲା, ଠିପି ବନ୍ଦ ମଦ ଦୋକାନ ଏବଂ ବାର୍ ରହିଛି ? ସରକାରୀସ୍ତରରେ କେତେ ଦେଶୀମଦ ଦୋକାନ ଖୋଲାଯାଇଛି ? ଗତ 10 ବର୍ଷ ଭିତରେ ଅବକାରୀ ବିଭାଗ କେଉଁ ସୂତ୍ରରୁ କେତେ ରାଜସ୍ୱ ସଂଗ୍ରହ କରିଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ପ୍ରଶାନ୍ତ ବେହେରା ।
- ଏମିତି କହିଲେ ଅବକାରୀ ମନ୍ତ୍ରୀ...
ଏହାର ଉତ୍ତରରେ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି," ରାଜ୍ୟରେ ବର୍ତ୍ତମାନ ୧୦୭୩ଟି ଠିପିବନ୍ଦ ମଦ ଦୋକାନ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି । ତେବେ ୭୬୨ଟି ଠିପିଖୋଲା ମଦ ଦୋକାନରୁ ୫୦୯ଟି ବାର ଲାଇସେନ୍ସ ଅଛି । ସରକାରୀ ସ୍ତରରେ ୧୭୯ଟି ଦେଶୀ ମଦ ଦୋକାନ ଏବଂ ୪୮୨ ମହୁଲି ଦେଶୀମଦ ଦୋକାନ ଅଛି । ଗତ ଅବକାରୀ ଆଇନ୍ ଅନୁଯାୟୀ ବିଭିନ୍ନ ସୂତ୍ରରୁ ରାଜସ୍ୱ ଆଦାୟ ହୋଇଛି । ଗତବର୍ଷ ୨୦୨୨-୨୩ ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ମସିହାରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଛି ।"
- ଦେଶୀ ମଦର ବଢିଛି ଚାହିଦା:
ସେ ଆହୁରି ମଧ୍ୟ କହିଛନ୍ତି," ୨୦୨୨-୨୩ ମସିହାରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ମସିହାରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ଲିଟର ବଲକ ଲିଟର ବିକ୍ରି ହୋଇଛି । ସେପଟେ ଦେଶୀ ମଦର ମଧ୍ୟ ବଢିଛି ଚାହିଦା । ୨୦୨୨-୨୩ ମସିହାରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ମସିହାରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି । "