ବଲାଙ୍ଗୀର:ପେଶାରେ ଡ଼ାକ୍ତର ହେଲେ ନିଶା ତାଙ୍କର ଅଭିନୟ କରିବା । ଡାକ୍ତରୀ ସେବା ସହ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜ ଅଭିନୟରେ ଲୋକଙ୍କୁ ବେଶ ମନୋରଞ୍ଜନ କରାଇ ଏବେ ଚର୍ଚ୍ଚାରେ ବଲାଙ୍ଗୀରର ଜଣେ ଡାକ୍ତର । କେବଳ ଏତିକି ନୁହଁ ପାରମ୍ପରିକ ଲୋକକଳାକୁ ଉଜ୍ଜିବୀତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସେ । ଛୋଟ ଦିନରୁ ନାଟକ ପ୍ରତି ରୁଚିଥିବାବେଳେ ନିଜେ ନାଟକରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି ।
ଆଜିର ଆଧୁନିକ ଯୁଗରେ ଲୋକେ ମୋବାଇଲ, କମ୍ପ୍ୟୁଟର ଓ ଇଣ୍ଟରନେଟରେ ମଜ୍ଜି ରହୁଥିବା ବେଳେ ଲୋକ କଳା ଠାରୁ ମୁହଁ ଫେରାଇ ଦେଲେଣି । ଯାହା ଫଳରେ ହଜିବାକୁ ବସିଲାଣି ପାରମ୍ପରିକ ଲୋକକଳା । ତେବେ ଏହାକୁ ବଜାୟ ରଖିବା ଓ ବିକାଶ ପାଇଁ ଆଗେଇ ଆସିଛନ୍ତି ଜିଲ୍ଲାର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ସ୍ତ୍ରୀ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ରୁଦ୍ର ନାରାୟଣ ପଟେଲ । ଯିଏ ଦିନରେ ରୋଗୀ ସେବା କରି ରାତିରେ ନାଟକରେ ଅଭିନୟ କରି ଲୋକଙ୍କ ମନ ଜିତିଛନ୍ତି ।
ବଲାଙ୍ଗୀରର ଜଗନ୍ନାଥ ପଡ଼ା ରାମଲୀଳା ୧୫୦ବର୍ଷ ପୁରୁଣା ହୋଇଥିବା ବେଳେ ସାରା ଜିଲ୍ଲାରେ ଏହା ପ୍ରସିଦ୍ଧି ଲାଭ କରିଥିଲା । ହେଲେ ଗତ ୧୮ବର୍ଷରୁ ଏହି ପରମ୍ପରାରେ ବାଧା ଆସିବାରୁ ଏହା ବନ୍ଦ ହୋଇଯାଇଥିଲା । ଏପରି ସମୟରେ କଳା ପ୍ରେମୀ ଡ଼ାକ୍ତର ରୁଦ୍ର ନାରାୟଣ ପଟେଲ ନିଜ ମାଆ ମାଟିର ଏହି କଳା ବିକାଶ ପାଇଁ ଆଗକୁ ଆସିଥିଲେ ଏବଂ ନିଜେ ସେ ଏହାପାଇଁ ଅନେକ ଚେଷ୍ଟା କରି ଗତ କିଛି ବର୍ଷ ହେବ ଏହାର ସଫଳ ଆୟୋଜନ କରିଆସୁଛନ୍ତି । ସେ କେତେବେଳେ ରାବଣ ତ କେତେବେଳେ ରାମ ଭଳି ଅନେକ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି ।