ରାଉରକେଲା: ମଦ ପିଇ ଝଗଡା କରିବା ପଡ଼ିଲା ମହଙ୍ଗା । ବନ୍ଧାହେଲେ ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକଙ୍କ ସହ ଦୁଇ ସହଯୋଗୀ । ସୂଚନା ଅନୁଯାୟୀ, ଗତକାଲି (ସୋମବାର) ଯୁବ କଂଗ୍ରେସ ସମ୍ପାଦକ ପ୍ରଦୀପ ବେହେରା ଏବଂ ତାଙ୍କ ସହଯୋଗୀ ବିଳମ୍ବିତ ରାତିରେ ନୟାବଜାର ଅଞ୍ଚଳର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଭଙ୍ଗାରୁଜା କରିବା ଅଭିଯୋଗ ଆସିଥିଲା । ପରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ପ୍ରଦୀପଙ୍କ ସମେତ ଆଉ ୨ ଜଣଙ୍କୁ ଗିରଫ କରିଥିଲା । ଆଜି ତାଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।
ପ୍ରଦୀପଙ୍କ ସହିତ ଗିରଫ ହୋଇଥିବା ଆଉ ଦୁଇଜଣ ଅଭିଯୁକ୍ତ ହେଲେ ରାହୁଲ ପ୍ରସାଦ ଓ ଦୀନେଶ ବେହେରା । ସମସ୍ତଙ୍କ ଘର ନୟାବଜାର ଅଞ୍ଚଳରେ । ନୟାବଜାର ଅନ୍ତର୍ଗତ ରାଉରକେଲା ମହାନଗର ନିଗମ ୱାର୍ଡ ନମ୍ବର ୩୩ର ସୁଚିତ୍ରା ମାଝୀ ଭବାନୀପୁର ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ଅଭିଯୋଗ ମୁତାବକ ଦୀନେଶ, ବାପୁନି ଓ ରାହୁଲ ମିଶି ରାତି ୧ଟାରେ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ । ଅଙ୍ଗନବାଡ଼ିର ୩ଟି ଝରକା ତାଡ଼ି ଦେଇଥିଲେ । ପରେ ଶୌଚାଳୟର ପାଣି ଟ୍ୟାପ୍, ଲାଇଟ, ମୋଟର ଆଦି ଭଙ୍ଗାରୁଜା କରିଥିଲେ । ଗାଳିଗୁଲଜ କରୁଥିବା ବେଳେ ଜିତେନ କାରୁଆ, ଶୁଭମ ମୁଣ୍ଡା, ସୁଧୀର ସାଣ୍ଡିଲ ଉପସ୍ଥିତ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।