ରାଉରକେଲା: ଖବରକାଗଜ ବିତରକମାନଙ୍କୁ ମିଳୁନି ସରକାରୀ ମାନ୍ୟତା । ସେନେଇ ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ଗତବର୍ଷ ମେ ମାସ ଦୁଇ ତାରିଖରେ ଭୁବନେଶ୍ବରରେ ରାଉରକେଲା ହକର୍ସ ଆସୋସିଏସନ୍ ଓ ଖବର କାଗଜ ବିତରଣ ମହାସଂଘ ପକ୍ଷରୁ ଏକ ମହାସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ସମସ୍ତ ପ୍ରମୁଖ ଖବରକାଗଜ ମାଲିକ ଓ ସେମନଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ କରାଯାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ଆସୋସିଏସନ୍ ପକ୍ଷରୁ ଦାବି କରାଯାଇଛି ।
ଗତବର୍ଷ ହୋଇଥିବା ମହାସମ୍ମିଳନୀରେ ରାଜ୍ୟର ସମସ୍ତ ଖବର କାଗଜ ବିତରକମାନଙ୍କ ପାଇଁ ରାଜ୍ୟ ସରକାର କଲ୍ୟାଣ ବୋର୍ଡ଼ ଗଠନ କରିବା ସହିତ ସ୍ଵାସ୍ଥ୍ୟ ବୀମା, ବାସଗୃହ ଯୋଗାଇ ଦେବା, ସାମାଜିକ ସୁରକ୍ଷା, ପେନସନ, ପରିଚୟପତ୍ର ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଖବରକାଗଜ ବିତରକମାନଙ୍କ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ 5T ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଓଡ଼ିଶାର ଖବରକାଗଜ ବିତରକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା, ବାସଗୃହ, ସ୍ଵାସ୍ଥ୍ୟ ବୀମା, ପରିଚୟପତ୍ର ଓ କଲ୍ୟାଣ ବୋର୍ଡ଼ ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଇତି ମଧ୍ୟରେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କର ପ୍ରତିଶ୍ରୁତି ରକ୍ଷା କରିନଥିବା ନେଇ ଆଜି ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଅପରାହ୍ନରେ ସ୍ଥାନୀୟ ଶ୍ରମିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।