ରାଉରକେଲା:ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି ତଥା ମିନି ଇଣ୍ଡିଆର ସ୍ବାସ୍ଥ୍ୟବସ୍ଥା କେମିତି ଅଛି ? ଏଠାକାର ଲୋକେ ଠିକ ଭାବେ ସ୍ବାସ୍ଥ୍ୟସେବା ପାଉଛନ୍ତି ତ ? ରାଉରକେଲା ସରକାରୀ ହସ୍ପିଟାଲକୁ ଦେଖିଲେ ଏଭଳି ପ୍ରଶ୍ନ ମନରେ ଆସିବା ସ୍ବାଭାବିକ । କିନ୍ତୁ ରାଜ୍ୟ ସରକାରଙ୍କ ମନରେ ଏହାକୁ ନେଇ ଆଉ ଇଚ୍ଛା ଶକ୍ତି ନଥିବା ନେଇ ଜଣା ପଡୁଛି । ଗତ ୨୦୧୯ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ RGHକୁ ୪ ଶହ ବେଡ୍ ବିଶିଷ୍ଟ କରିବାକୁ ଘୋଷଣା କରିଥିଲେ । ମାତ୍ର ସେ ଘୋଷଣା ଏବେ ବି ଫାଇଲ ତଳେ ପଡି ରହିଛି । ତଳେ ଶୋଇ ଚିକିତ୍ସା ହେଉଛନ୍ତି ରୋଗୀ । ନା ସରକାର ନା ଜିଲ୍ଲା ପ୍ରଶାସନ କାହାରି ଏହା ପ୍ରତି ନିଘା ନାହିଁ ।
ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ହସ୍ପିଟାଲ । ଏଠାକାର ଆଉଟ ଡୋରରେ ପ୍ରତିଦିନ ଏକ ହଜାରରୁ ଅଧିକ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି । ହେଲେ ଡାକ୍ତର ଅଭାବରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ । ଜେନେରାଲ ୱାର୍ଡ ଠାରୁ ଆରମ୍ଭ କରି ମାତୃ ଓ ଶିଶୁ ବିଭାଗ ସବୁଠାରେ ଏହି ବିକଳ ଚିତ୍ର । ତେବେ ରାଉରକେଲା ସରକାରୀ ହସ୍ପିଟାଲରେ ବହୁ ବର୍ଷ ଧରି ଏହିଭଳି ସମାନ ଚିତ୍ର ଦେଖିବାକୁ ମିଳିଛି । ଖରା, ବର୍ଷା ଶୀତ ସବୁବେଳେ ଏଭଳି ତଳେ ପଡି ରହି ଚିକିତ୍ସା ହେବାକୁ ବାଧ୍ୟ ହେଉଛନ୍ତି ରୋଗୀ । ଶହ ଶହ ରୋଗୀ ଏଭଳି ଭାବରେ ବେଡ ଅଭାବ ଯୋଗୁଁ ଭୋଗୁଛନ୍ତି ସମାନ ଅବସ୍ଥା । ବାରମ୍ବାର ରୋଗୀ ଅଭିଯୋଗ କଲେ ମଧ୍ୟ ସମାନ ଅବସ୍ଥା ।