ଭୁବନେଶ୍ବର: ରାଜଧାନୀରୁ ବେକାବୁ ହେଲାଣି ଅପରାଧ । ମାନୁ ନାହାନ୍ତି ଆଇନ କାନୁନ୍ କି ପୋଲିସ ସୁରକ୍ଷା। ଘର କି ବାହାରେ ଦୋକାନ ବଜାର ଠୁ ଷ୍ଟାର ହୋଟେଲ ରେ ପହଞ୍ଚିଲେଣି ଅପରାଧୀ । ଏକାକି ନୁହେଁ ସଦଳବଳ ହୋଇ ପଶି ଲୋକଙ୍କ ଉପସ୍ଥିତିରେ ଲୁଟୁଛନ୍ତି ଦାମୀ ଗହଣା ଓ ଟଙ୍କା ବ୍ୟାଗ। ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅଞ୍ଚଳର ଏକ ତାରକା ହୋଟେଲରେ ବିବାହ ସମୟରେ ୧୭ ଭରି ସୁନା ଗହଣା ଚୋରିର ଘଟଣା ସାମ୍ନାକୁ ଆସିଛି ।
- ନେଇଗଲେ 17 ଭରିର ସୁନା ଗହଣା
ମୈତ୍ରୀ ବିହାର ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଏକ ତାରକା ହୋଟେଲରେ ଝିଅ ବାହାଘର ସମୟରେ ଗହଳିର ସୁଯୋଗ ଦେଖି କିଛି ଦୁର୍ବୁତ୍ତ ମାନେ ଅତିଥି ବେଶରେ ଆସି ବିବାହ ମଣ୍ଡପର ଷ୍ଟେଜ ପାଖରୁ ଏକ ବ୍ୟାଗ ନେଇ ଛୁ ମାରିଛନ୍ତି । ଯେଉଁଥିରେ ୧୬ରୁ ୧୭ ଭରି ଗହଣା ରହିଛି । ସେହିପରି ନଗଦ ୨ ରୁ ୩ ଲକ୍ଷ ଟଙ୍କା ନେଇ ଛୁ ମାରିଛନ୍ତି ଦୁର୍ବୃତ୍ତ । ଫଳରେ ବାହାଘର ସମୟରେ ଏଭଳି ଚୋରି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ବଢିଛି।
![ଭୁବନେଶ୍ବର ଲୁଟ ସିସିଟିଭି ଚିତ୍ର](https://etvbharatimages.akamaized.net/etvbharat/prod-images/03-02-2025/od-bbs-01-marriage-lotera-avb-7203832_03022025171242_0302f_1738582962_111.jpg)
ଅଭିଯୋଗକାରୀ ଏସ କେ ମିଶ୍ର କହିଛନ୍ତି ‘‘ଅନୁମାନ କରୁଛୁ ୧୫ରୁ ୧୭ ଭରିର ସୁନା ସହ ଟଙ୍କା ଚୋରି ହୋଇଛି। ପ୍ରଥମେ ତାଙ୍କ ପତ୍ନୀ ଦେଖିବାକୁ ପାଇଥିଲେ ବ୍ୟାଗ ନାହିଁ । ଷ୍ଟେଜ ଯେଉଁଠି ବର ପ୍ରଥମେ ବରଣି ପାଇଁ ଯାଇଥିଲେ ପରେ ଝିଅ ମଧ୍ୟ ପୂଜା ବରଣିରେ ଯାଇଥିଲେ। ସେହି ସମୟରେ ସେମାନେ ଏଭଳି ଲୁଟ ପାଟ କରିଛନ୍ତି। ୧୭ ଭରି ସୁନା ସହ ବାହାଘର ଗିଫ୍ଟ କାର୍ଡ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ରୁ ୩ ଲକ୍ଷ ଟଙ୍କା ହେବ । ଆମେ ତୁରନ୍ତ ପୋଲିସ ଓ ହୋଟେଲ ମ୍ୟାନେଜମେଣ୍ଟକୁ ଜଣାଇଥିଲୁ ’’।
ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ, ‘‘ସେମାନେ ଯେମିତି ଆସିଥିଲେ ଆମେ ଭାବିଲୁ ବର ପକ୍ଷର ଲୋକେ। କନ୍ୟା ପକ୍ଷ ମଧ୍ୟ ଭାବିଥିଲେ ବର ପକ୍ଷର କେହି ଆସିଛନ୍ତି । ସେହି ମଉକାରେ ସେମାନେ ଦୁଇ ଜଣ ଏପରି ଆସି ଲୁଟ ପାଟ କରିଛନ୍ତି। ଯାହା ସିସିଟିଭିରେ ଜଣାପଡୁଛି ଆମେ ଯେଉଁ ବ୍ୟାଗ ରଖିଥିଲୁ ସେହି ବ୍ୟାଗ ସେମାନେ ନେଇ ଯାଇଛନ୍ତି। ଆମେ ତ ଏବେ ବହୁ ଟେନସନରେ ଅଛୁ । ସେହି ବ୍ୟାଗରେ ଥିବା ଏକ ମୋବାଇଲ ମଧ୍ୟ ନେଇଯାଇଛନ୍ତି। ଏନେଇ ଆମେ ପୋଲିସକୁ ଜଣାଇଛୁ ପୋଲିସ ତଦନ୍ତ କରୁଛି । ପୋଲିସ ଉପରେ ଭରସା ଅଛି ଆମ ଜିନିଷ ଖୁବଶୀଘ୍ର ମିଳିବ ବୋଲି ଆଶା କରିଛୁ।’’
ଏହା ମଧ୍ୟ ପଢନ୍ତୁ ଓଡ଼ିଶାକୁ ୧୦,୫୯୯ କୋଟି ରେଳ ବଜେଟ, କେନ୍ଦ୍ର ଦେଲା ରେକର୍ଡ ଟଙ୍କା
ଏହା ମଧ୍ୟ ପଢନ୍ତୁ ଚେତାଇଲେ ବିଧାୟକ ବାବୁ: ଖଣ୍ଡଗିରି ଯାତ୍ରାରେ ବୁଲିବ ଠେଙ୍ଗା, ଅଶ୍ଲୀଳ ନୃତ୍ୟ କଲେ ବାଜିବ ପାହାର
- ସିସିଟିଭିରେ ଲୁଟେରାଙ୍କ ଚିତ୍ର
ସିସିଟିଭିରୁ ଜଣାପଡୁଛି ସେମାନେ ଦୁଇ ଜଣ ଫର୍ମାଲ ପ୍ୟାଣ୍ଟ ସାର୍ଟ ପିନ୍ଧି ଆସୁଛନ୍ତି। ସମ୍ଭ୍ରାନ୍ତ ଘରର ଲୋକ ଭଳି ସେମାନେ ହୋଟେଲ ଭିତରକୁ ପ୍ରବେଶ କରୁଛନ୍ତି। ଏପରିକି ବିବାହ ସମୟରେ ଭିଡ଼ରେ ମଧ୍ୟ ଅତିଥିଙ୍କ ଭଳି ବର କନ୍ୟାଙ୍କ ପାଇଁ ହୋଇଥିବା ଷ୍ଟେଜ ଉପରକୁ ଯାଉଛନ୍ତି । ଯେଉଁ ବ୍ୟାଗରେ ସେସବୁ ଗହଣା ବା ଟଙ୍କା ରଖାଯାଇଛି ସେହି ସବୁକୁ ସିଧା ଲୋକଙ୍କ ଉପସ୍ଥିତିରେ ଉଠାଇ ଧରି ଆଣି ବାହାରକୁ ଆସୁଛନ୍ତି । ଅନ୍ୟ ଏକ ଅପରାଧିକୁ ବ୍ୟାଗ ହସ୍ତାନ୍ତର କରି ଧ୍ୟାନ ହଟାଇଲା ଭଳି ସେଠାରୁ ଖସି ଯାଉଛନ୍ତି। ଅର୍ଥାତ୍ ଲୁଟେରା ବିଭିନ୍ନ ମଣ୍ଡପ ଓ ହୋଟେଲରେ ଆୟୋଜିତ ହେଉଥିବା ବିବାହ ମଣ୍ଡପ ଦେଖି ଟାର୍ଗେଟ କରୁଛନ୍ତି।।ବିଶେଷ କରି ବିବାହ ସମୟରେ ଆୟୋଜନକାରୀର ବ୍ୟସ୍ତତା ଭିତରେ ଗହଣା ବା ଅଳଙ୍କାର ବା ଟଙ୍କା ରଖାଯାଉଥାବା ବ୍ୟାଗ କୁ ନେଇ ଛୁ ମାରୁଛନ୍ତି।
![ଭୁବନେଶ୍ବର ଲୁଟ ସିସିଟିଭି ଚିତ୍ର](https://etvbharatimages.akamaized.net/etvbharat/prod-images/03-02-2025/od-bbs-01-marriage-lotera-avb-7203832_03022025171242_0302f_1738582962_436.jpg)
ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି ‘‘ଗତ କାଲି ମୈତ୍ରୀ ବିହାର ଥାନା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି । ଯାହାକୁ ନେଇ ସେ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛୁ। ପୁର୍ବରୁ ମଧ୍ୟ ଏଭଳି ଘଟଣା ନଜର ରହିଛି। ତେଣୁ ଯେହେତୁ ଏବେ ସିଜନ୍ ଆସିଛି ବିଭିନ୍ନ ବିବାହ ଓ ବ୍ରତଘର ଓ ଅନ୍ୟାନ୍ୟ କାର୍ଯକ୍ରମର ଅନେକ ସ୍ଥାନରେ ଏଭଳି ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରାଯାଉଛି। ଏହି ସମୟରେ ଜନସାଧାରଣଙ୍କୁ ଡିସିପ ନିବେଦନ କରିଛନ୍ତି ଯେ ନିଜର ଗୁରୁତ୍ବପୂର୍ଣ୍ଣ ଦାମୀ ଜିନିଷ ବା ଟଙ୍କା ପ୍ରତି ଅବହେଳା ପୁର୍ଣ୍ଣ ନ ହୋଇ ଜଣେ ବରିଷ୍ଠ ବା ମୁରବି ଲୋକଙ୍କୁ ଏହାର ଦାୟିତ୍ବ ଦିଅନ୍ତୁ । ଯାହା ଦ୍ବାରା ଏପରି ଚୋରି ରୋକାଯାଇ ପାରିବ।
- ପୂର୍ବରୁ ବି ବିବାହ ମଣ୍ଡପରୁ ହୋଇଛି ଚୋରି
ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଜାଗମରାରେ ରହୁଥିବା ଦିନେଶ ମହାନ୍ତି ଏକ ପ୍ରମୁଖ ତାରକା ହୋଟେଲରେ ନିଜ ଝିଅ ବିବାହ ଘର କାର୍ଯକ୍ରମ ବେଳେ କେହି ବ୍ୟାଗରେ ଥିବା ସୁନା ଚେନ, ମୁଦି, ଟଙ୍କା ଥିବା ବ୍ୟାଗକୁ ନେଇ ଛୁ ମାରିଥିଲା। ଏନେଇ ମୈତ୍ରୀବିହାର ଥାନାରେ ସେତେବେଳେ ଅଭିଯୋଗ ହୋଇଥିଲା। କମିସନରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ସିସିଟିଭି ଆଧାରରେ ତନାଘନା କରୁଥିଲା। ଏପରିକି ତା ପୁର୍ବରୁ ସମାନ ଢଙ୍ଗରେ କଟକ ଓ ପୁରୀ ବାଇପାସ୍ ରୋଡରେ ଥିବା ଏକାଧିକ ମଣ୍ଡପକୁ ସମାନ ଢଙ୍ଗରେ ବିବାହ ବେଳେ ମଣ୍ଡପରୁ ଚୋରି ହୋଇଥିଲା । ସେତେବେଳେ ବଡେ ମିଆ ଛୋଟେ ମିଆ ଗ୍ୟାଙ୍ଗ ସକ୍ରିୟ ଥିବା ପୋଲିସ ସିସିଟିଭି ଫୁଟେଜରୁ ମିଳିଥିଲା। ଗତ ୨୩ ଜାନୁଆରି 2022ରେ ମଧ୍ୟ କଟକ ପୁରୀ ବାଇପାସରେ ଥିବା ଏକ ମଣ୍ଡପରୁ ଛୋଟ ପିଲା ଓ ଜଣେ ବଡ ବ୍ୟକ୍ତି ମିଶି ଚୋରି କରୁଥିବାର ଫୁଟେଜ ପୋଲିସକୁ ମିଳିଥିଲା । ସେତେବେଳେ ପୋଲିସ ଏହି ଗ୍ୟାଙ୍ଗ ପ୍ରତି ନଜର ଅନ୍ଦାଜ କରିଥିଲା। ଯାହାର ପରିଣାମ ସ୍ଵରୁପ ଏବେ ପୁଣି ବିଭିନ୍ନ ତାରକା ଓ ବଡବଡ ବିବାହ ମଣ୍ଡପ ଦେଖି ଲୁଟୁଛନ୍ତି ଲୁଟେରା ଓ ଅପରାଧି।