ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଚୋର । ଅନ୍ତବସ୍ତ୍ର ସୋ' ରୁମରୁ ଅଭିନୟ ଉପାୟରେ କରିଛନ୍ତି ଚୋରି । କାରରେ ଆସି କିଣାକିଣି ଆଳରେ ଟଙ୍କା ଚୋରି କରିଛନ୍ତି ପତିପତ୍ନୀ । ଏଭଳି ଘଟଣା ଲିଙ୍ଗରାଜ ଥାନା ଅଞ୍ଚଳର ରବିଟକିଜ ଛକ ଉପରେ ଥିବା ରେବା ଗାର୍ମେଣ୍ଟସ ସୋରୁମରେ ଗତକାଲି (ସୋମବାର) ଘଟିଯାଇଛି । ତେବେ ଏହି ସବୁ ଦୃଶ୍ୟ କଏଦ ହୋଇଥିଲା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ । ଯାହାର ଅଭିଯୋଗ ନେଇ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ସୋ ରୁମ କର୍ମଚାରୀ।
ସୋରୁମ କର୍ମଚାରୀ ଶଙ୍କର୍ଷଣ ମହାନ୍ତିଙ୍କ ସୂଚନା ମୁତାବକ, ସୋମବାର ଅପରାହ୍ନ ୧ଟା ସମୟରେ ଏକ କାର ଯୋଗେ ସୋରୁମରେ ପହଞ୍ଚିଥିଲେ ଏହି ଦମ୍ପତି । ଉଭୟ ମୁହଁରେ ମାସ୍କ ଲଗାଇଥିଲେ ଏବଂ ପୁରୁଷ ଜଣଙ୍କ ମୁଣ୍ଡରେ କ୍ୟାପ ପିନ୍ଧିଥିଲେ । ପରେ ମହିଳା ଜଣଙ୍କ ଅନ୍ତବସ୍ତ୍ର କିଣିବା ପାଇଁ କହିଥିଲେ । ଦୋକାନର କର୍ମଚାରୀ ଲଞ୍ଚ ବ୍ରେକରେ ଯାଇଥିବାରୁ ଶଙ୍କର୍ଷଣ କ୍ୟାସ କାଉଣ୍ଟର ଛାଡି ଜିନିଷ ଦେଖାଇଥିଲେ । ତେବେ ଜିନିଷ ଦେଖାଇବା ସମୟରେ ମହିଳା ଜଣଙ୍କ ବିଭିନ୍ନ ପ୍ରକାରର ଭେରାଇଟିର ଦେଖିବା ପାଇଁ କହି ସୋରୁମ କର୍ମଚାରୀଙ୍କର ଧ୍ୟାନ ଭଟକାଉଥିଲେ । କର୍ମଚରୀଙ୍କ କ୍ୟାସ କାଉଣ୍ଟରରୁ ନଜର ହଟିବା ପରେ ସାଥିରେ ଥିବା ପୁରୁଷ ଜଣଙ୍କ ହଠାତ କ୍ୟାସ କାଉଣ୍ଟର ନିକଟରେ ବୁଲାବୁଲି କରିଥିଲେ । ସୋରୁମ କର୍ମଚାରୀ ଜିନିଷ ଦେଖାଇବା ବ୍ୟସ୍ତତା ଭିତରେ ସୁଯୋଗ ପାଇ ପୁରୁଷ ଚୋର ଜଣଙ୍କ କ୍ୟାସ ଡ୍ର ଖୋଲି ୧୦ହଜାର ଟଙ୍କା ନେଇ ଛୁ ମାରିଥିଲେ । ଏପରିକି ମହିଳା ଜଣଙ୍କ କିଛି ଜିନିଷ ପସନ୍ଦ ହେଉନାହିଁ ସେ କିଛି ନିର୍ଦ୍ଦିଷ୍ଟ ଭେରାଇଟର ଖୋଜୁଛନ୍ତି କହି ସେଠାରୁ ପଳାଇଥିଲେ ।