ଓଡିଶା

odisha

ETV Bharat / state

ସରୁନି ରେଙ୍ଗାଲି ବିସ୍ଥାପିତଙ୍କ ଦୁଃଖ: 44 ବର୍ଷ ପରେବି ମିଳୁନି ସ୍ଥାୟୀ ଜମିପଟ୍ଟା, ତେଜୁଛି ଅସନ୍ତୋଷ - Rengali Dam

Rengali Displacement issues: ରେଙ୍ଗାଲି ବିସ୍ଥାପିତଙ୍କ ଦୁଃଖ । ନଦୀ ବନ୍ଧ ଯୋଜନାକୁ 44 ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ବିସ୍ଥାପିତମାନଙ୍କୁ ମିଳୁନି ସ୍ଥାୟୀ ଜମିପଟ୍ଟା । ଯାହାକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିସ୍ଥାପିତ । ଅଧିକ ପଢନ୍ତୁ

Rengali Displacement
ରେଙ୍ଗାଲି ବିସ୍ଥାପିତଙ୍କ ଦୁଃଖ

By ETV Bharat Odisha Team

Published : Feb 9, 2024, 10:37 AM IST

ଦେବଗଡ:ସରୁନି ରେଙ୍ଗାଲି ବିସ୍ଥାପିତଙ୍କ ଦୁଃଖ ।ରେଙ୍ଗାଲି ନଦୀବନ୍ଧ ଯୋଜନାକୁ ଦୀର୍ଘ 44 ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ବିସ୍ଥାପିତମାନଙ୍କୁ ମିଳୁନି ସ୍ଥାୟୀ ଜମିପଟ୍ଟା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ସରକାରଙ୍କ ପାଖରୁ ସ୍ଥାୟୀ ଜମିପଟ୍ଟା ଖଣ୍ଡିଏ ପାଇବାକୁ ଚାତକ ଭଳି ଅନାଇ ରହିଛନ୍ତି ଦେବଗଡ଼ ଜିଲ୍ଲା ଫୁଲପଥର ଗ୍ରାମର 100 ରୁ ଉର୍ଦ୍ଧ୍ୱ ପରିବାର ।

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତର ଫୁଲପଥର ଗ୍ରାମରେ ବସବାସ କରନ୍ତି 100ରୁ ଉର୍ଦ୍ଧ୍ୱ ରେଙ୍ଗାଳି ବିସ୍ଥାପିତ ପରିବାର । 1980 ମସିହାରେ ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ୱାରା ନଈକୂଳ ଗ୍ରାମରୁ ବିସ୍ଥାପିତ ହୋଇ ଫୁଲପଥର ଗ୍ରାମରେ ବସବାସ କରି ଆସୁଛନ୍ତି ଏହି ପରିବାର । ସରକାର ଏହି ବିସ୍ଥାପିତ ପରିବାରଙ୍କୁ ଫୁଲପଥର ଗ୍ରାମରେ ଥଇଥାନ କରି ଯୋଗାଇ ଦେଇଥିଲେ ସାଢ଼େ ଛଅ ଏକର ଲେଖାଏଁ ଚାଷଜମି । ସମସ୍ତ ପରିବାରକୁ ମିଳିଛି କେ (k' form) ଫର୍ମ ପଟ୍ଟା । ମାତ୍ର ଆଜକୁ ଦୀର୍ଘ 44 ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଗ୍ରାମବାସୀଙ୍କୁ ମିଳିପାରିନି ସେମାନଙ୍କ ସ୍ଥାୟୀ ଜମିପଟ୍ଟା । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପ୍ରତିଶ୍ରୁତିରୁ ପାସୋରି ଗଲା ପ୍ରଶାସନ ! ଦୁର୍ଦ୍ଦିନରେ ସୁକତେଲ ବିସ୍ଥାପିତ

ବିସ୍ଥାପିତ ଲୋକେ ସ୍ଥାୟୀ ଜମିପଟ୍ଟା ପାଇନଥିବାରୁ ସେମାନଙ୍କ ଜମିକୁ ଚିହ୍ନଟ କରିପାରୁ ନାହାନ୍ତି କିମ୍ୱା ଠିକ ଭାବେ ଚାଷକାର୍ଯ୍ୟ କରି ପାରୁ ନାହାନ୍ତି । ସ୍ଥାୟୀପଟ୍ଟା ନଥିବାରୁ ଲୋକେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଏପରିକି ଗ୍ରାମବାସୀ ସମ୍ପୂର୍ଣ୍ଣ କୃଷିକାର୍ଯ୍ୟ ଉପରେ ନିର୍ଭରଶୀଳ ଥିବା ବେଳେ, ସରକାରଙ୍କ କୌଣସି କୃଷି ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି । ପ୍ରତିବର୍ଷ ନିଜ ଉପାର୍ଜିତ ଧାନ ଶସ୍ୟକୁ ସୋସାଇଟି ମାଧ୍ୟମରେ ବିକ୍ରି କରି ପାରୁନାହାନ୍ତି । ସ୍ଥାୟୀ ଜମିପଟ୍ଟା ନଥିବାରୁ ନିଜ ନିଜ ପିଲାଛୁଆଙ୍କୁ ପାଠ ପଢ଼ାଇବାରେ ସମସ୍ୟା ଭୋଗୁଛନ୍ତି । ରେସିଡେନ୍ସିଆଲ ସାର୍ଟିଫିକେଟ ଖଣ୍ଡିଏ ମିଳୁନଥିବାରୁ ଚାକିରୀ କ୍ଷେତ୍ରରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସରକାର ସ୍ଥାୟୀ ଜମିପଟ୍ଟା ଯୋଗାଇ ଦେବାକୁ ଗ୍ରାମବାସୀ ଆଜକୁ ଦୀର୍ଘ 44 ବର୍ଷ ହେଲା ପ୍ରଶାସନ ଓ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛନ୍ତି । ହେଲେ ଏଯାଏଁ କୌଣସି ସୁଫଳ ମିଳି ପାରିନାହିଁ । ଫଳରେ ଏନେଇ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ରେଙ୍ଗାଳି ନଦୀବନ୍ଧ ଯୋଜନା କରି ସରକାର ନିଜ ଦାୟିତ୍ୱ ସାରି ଦେଇଥିବା ବେଳେ ବିସ୍ଥାପିତ ଲୋକଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଛନ୍ତି । ଏଥିରୁ ବିସ୍ଥାପିତ ଲୋକଙ୍କ ପ୍ରତି ସରକାରଙ୍କ ଦାଇତ୍ୱହୀନତା ସ୍ପଷ୍ଟ ବାରିହୋଇ ପଡୁଛି ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details