ରାୟଗଡ଼ା: ପାଖେଇ ଆସୁଛି ଚଳିତ ସାଧାରଣ ନିର୍ବାଚନ । ନିର୍ବାଚନକୁ ଅବାଧ,ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଅଣ୍ଟା ଭିଡ଼ିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ତେଣୁ ଆଜି (ଶନିବାର) ଦିନ ରାୟଗଡା ସହରର ବିଭିନ୍ନ ସ୍ଥାନରେ ପୋଲିସ ଓ ସିଆରପିଏଫ ୪ର୍ଥ ବାଟାଲିୟନ ତରଫରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ମେ ୧୩ ତାରିଖ ଦିନ ରାୟଗଡା ଜିଲ୍ଲାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ କିପରି ସ୍ବଚ୍ଛ ଓ ଅବାଧ ହେବ ସେ ନେଇ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି । ସମ୍ବେଦନଶୀଳ ବୁଥର ଥିବା ଭୋଟରଙ୍କ ମନରେ ନିର୍ବାଚନୀ ହିଂସା ଦୂର କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ଏସ.ପି ହରିଶ୍ ବି.ସିଙ୍କ ନିର୍ଦ୍ଦେଶ କ୍ରମେ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି ।
ଏହି ଫ୍ଲାଗ ମାର୍ଚ୍ଚ ରାୟଗଡା ପୋଲିସ ଷ୍ଟେସନରୁ ଆରମ୍ଭ ହୋଇ ଆମ୍ବେଦକର କଲୋନୀ, କରଣ ସାହି, ବ୍ରାହ୍ମଣ ସାହି, ଆର.କେ.ନଗର ଏରିଆ, ମୁଖ୍ୟ ବଜାର ଯାଏଁ ହୋଇଥିଲେ । ଏଥିରେ ସିଆରପିଏଫର ଏକ ପ୍ଲାଟୁନ ଯବାନ ନିୟୋଜିତ ହୋଇଥିଲେ । ଏସଡିପିଓ ରଶ୍ମିରଞ୍ଜନ ସେନାପତି ଓ ଆଇଆଇସିଙ୍କ ନେତୃତ୍ବରେ ଅତି ସମ୍ବେଦନଶୀଳ ସହରର ପୁରୁଣା ଅଞ୍ଚଳର ରେଲିସାହି, ବ୍ରାହ୍ମଣ ସାହି, ରାମକୃଷ୍ଣ ନଗର, ନଦୀକନ୍ଧ ସାହି, ଜୟରାମଗୁଡ଼ା, ନୂଆସାହି, ଆମ୍ବଗୁଡ଼ା ଓ ମାରୁତି କଲୋନୀ ଅଞ୍ଚଳରେ ଏହି ଫ୍ଲାଗ୍ମାର୍ଚ୍ଚ କରାଯାଇଥିଲା । ନୂଆ ରାୟଗଡ଼ାର କୃଷି କାର୍ଯ୍ୟାଳୟ ରୋଡ୍, ନ୍ୟୁ- କଲୋନୀ ଓ ଅଶୋକ ନଗର ଅଞ୍ଚଳରେ ମଧ୍ୟ ପୋଲିସ ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିଲା ।