ଓଡିଶା

odisha

ETV Bharat / state

କାହିଁକି ଘଟିଗଲା ଏତେବଡ ଅଘଟଣ ? ମୁଣ୍ଡରୁ ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି - Puri Adapa Mandap mishap - PURI ADAPA MANDAP MISHAP

Puri Adapa Mandap mishap: ସେବାୟତଙ୍କ ଦାୟିତ୍ବହୀନତାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ । କ୍ଷୁବ୍ଧ ଜଗନ୍ନାଥପ୍ରେମୀ । ଅଶୁଭ ସଙ୍କେତକୁ ନେଇ ବଢିଲା ଚର୍ଚ୍ଚା । ତଦନ୍ତ ପାଇଁ ଗଠନ ହେଲା 3ଜଣିଆ କମିଟି । ଅଧିକ ପଢନ୍ତୁ

କାହିଁକି ପଡିଗଲେ ବଡଠାକୁର, ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି
କାହିଁକି ପଡିଗଲେ ବଡଠାକୁର, ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି (ETV Bharat odisha)

By ETV Bharat Odisha Team

Published : Jul 10, 2024, 7:52 PM IST

Updated : Jul 10, 2024, 8:05 PM IST

ପୁରୀ:ବର୍ଷକରେ ଥରେ ମାନବୀୟ ଲୀଳାରେ ବଡଦାଣ୍ଡକୁ ଓହ୍ଲାନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁ ଏହି ଦିବ୍ୟଲୀଳାକୁ ଦେଖିବା ପାଇଁ ଧାଇଁ ଆସିଥାନ୍ତି ଶ୍ରୀକ୍ଷେତ୍ର । ଏହି ଭବ୍ୟ ନବଦିନାତ୍ମକ ଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ ଶ୍ରୀମନ୍ଦିର ଓ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ମଧ୍ୟ କରିଥାଆନ୍ତି । ଦେଶର ଅନ୍ୟତମ ବଡ ଆଧ୍ୟାତ୍ମିକ ଯାତ୍ରା ହେଉଛି ଶ୍ରୀକ୍ଷେତ୍ରର ରଥଯାତ୍ରା । ହେଲେ ଆଡପ ପହଣ୍ଡି ବେଳେ ଗତକାଲି ଯେଉଁ ଅଭାବନୀୟ ଘଟଣା ଘଟିଗଲା, ତାହା ବିଶ୍ବର କୋଣ ଅନୁକୋଣରେ ଥିବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଶକ୍ତ ଆଘାତ ଦେଇଛି । ରଥରୁ ଆଡପ ପହଣ୍ଡି ବେଳେ ଚାରମାଳ ଉପରେ ଖସିପଡିଲେ ବଡଠାକୁର ଶ୍ରୀ ବଳଭଦ୍ର । କିଛି ସେବାୟତ ଆହତ ମଧ୍ୟ ହେଲେ । ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଅନ୍ୟାନ୍ୟ ନୀତିକାନ୍ତି ମଧ୍ୟରୁ ପ୍ରମୁଖ ନୀତି ପହଣ୍ଡିରେ ଏପରି ଅଘଟଣ ବିଶ୍ବବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ଶକ୍ତି ଆଘାତ ଦେଇଛି । ଏହା ସହ ସୃଷ୍ଟି ହୋଇଛି ବିଭିନ୍ନ ପ୍ରଶ୍ନ ।

Puri Adapa Mandap mishap (ETV Bharat Odisha)

ସେବାୟତଙ୍କ ଭିଡକୁ ଇଙ୍ଗିତ କଲେ ଗଜପତି:-

ସେପଟେ ଏଭଳି ଘଟଣା ଦୁଃଖଦାୟକ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ କହିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି,"ପହଣ୍ଡି ବିଜେ ସମୟରେ ଏପରି ଘଟଣା ଆମ ସମସ୍ତଙ୍କ ପାଇଁ ଦୁଃଖଦାୟକ ଘଟଣା । ଏଥିପାଇଁ ସାରା ଭକ୍ତସମାଜ ଓ ଆମେମାନେ ମଧ୍ୟ ମର୍ମାହତ । ଏଭଳି ଦୃଶ୍ୟ ଆଗରୁ କେବେ ଆମେ ଦେଖିନଥିଲେ । ଏଭଳି ଅଘଟଣ କାହିଁକି ଘଟିଲା, କେମିତି ଘଟିଲା ସେନେଇ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ । ଏହି ଘଟଣାକୁ ନେଇ ସେବାୟତମାନେ ଯାହା ଶିକ୍ଷା ପାଇବା କଥା ପାଇ ସାରିଛନ୍ତି ।" କେତେ ଗୁଡିଏ ମୂଳ ସମସ୍ୟା ମଧ୍ୟ ରହିଛି ବୋଲି ଗଜପତି କହିଛନ୍ତି ।

ସେବାୟତଙ୍କ ଦାୟିତ୍ବହୀନତାକୁ ଦାୟୀ:-

ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ (ETV Bharat Odisha)

ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯିବା ସହ ବିଭିନ୍ନ କାରଣକୁ ଦାୟୀ କରାଯାଉଛି । କିଏ ସେବାୟତଙ୍କ ଦାୟିତ୍ବହୀନ କାର୍ଯ୍ୟକୁ ଦାୟୀ କରିଛିି, ତ କିଏ ପରିଚାଳନାଗତ ତ୍ରୁଟିକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ରଥ ଉପରେ ମାତ୍ରାଧିକ ଅନଭିଜ୍ଞ ଯୁବ ସେବାୟତଙ୍କ ଭଡିକୁ ମଧ୍ୟ କେହି କେହି ଅଘଟଣର ମୁଖ୍ୟ କାରଣ ବୋଲି କରୁଛନ୍ତି । ବୟସ୍କ ତଥା ଅନୁଭବୀ ସେବାୟତଙ୍କ ଅନୁପସ୍ଥିତି । ଫଟୋ ଉଠାଇବାକୁ ଭିଡ । ମୋବାଇଲରେ ସେଲ୍ଫି ନେବା ଓ ମିଡିଆ କଭରେଜରେ ଦେଖାଯିବା ପାଇଁ ଯୁବ ସେବାୟତମାନେ ରଥ ଉପରେ ଚଢୁଛନ୍ତି ବୋଲି ମଧ୍ୟ କିଛି ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି । ହେଲେ ଏହାରି ମଧ୍ୟରେ କେହି ଭୁଲ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ।

ଭାଇରାଲ ହେଉଛି ଏହି ଉଲ୍ଲେଖ (ETV Bharat Odisha)

ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗକୁ ଆଘାତ ଲାଗିଲେ ପଡିପାରେ ମହାବିପତ୍ତି !

କୌଣସି କାରଣରୁ ଯଦି ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀବିଗ୍ରହକୁ ଆଘାତ ଲାଗେ, ତେବେ ରାଜ୍ୟରେ ମହାବିପତ୍ତି ଆସିବା ନେଇକିଛି ଗ୍ରନ୍ଥରେ ଉଲ୍ଲେଖ ଥିବା କଥା ଏବେ ଭାଇରାଲ ହେଉଛି । ଜଗନ୍ନାଥପ୍ରେମୀ ହରିଶଙ୍କର ମିଶ୍ର କହିଛନ୍ତି,‘‘ଗତବର୍ଷ ମଧ୍ୟ ଜଗନ୍ନାଥଙ୍କ ମୂର୍ତ୍ତି ସାମାନ୍ୟ ଢଳି ଯାଇଥିଲା । ଫଳସ୍ବରୂପ ୨୪ବର୍ଷର ସରକାର ଗଡ଼ିଗଲା । ହେଲେ ଏଥର ବଳଭଦ୍ର ମହାପ୍ରଭୁ ପଡ଼ିଯିବା ଏକ ଭୟଙ୍କର ସଙ୍କେତ ଦେଉଛି । ନିଳାଦ୍ରୀ ମହୋଦୟ ତଥ୍ୟ ଅନୁଯାୟୀ ଏହା ରାଜ୍ୟର ବହୁ କ୍ଷତି କରିବ । ଦୁର୍ଭିକ୍ଷ ଓ ଅନାଟନ ପଡ଼ିବ । ବିଶେଷତଃ ରାଣୀଙ୍କର ମୃତ୍ୟୁ ହେବ ବୋଲି ଉଲ୍ଲେଖ ରହିଛି । ତେବେ ଯାହା ସବୁ ସମ୍ପୂର୍ଣ୍ଣ ରୂପେ ସେବାୟତଙ୍କ ଖାମଖିଆଲି ମନୋଭାବ, ଅହଙ୍କାର ଓ ମାତ୍ରାଧିକ ଉପସ୍ଥିତି ଯୋଗୁଁ ଘଟିଛି । ବିଶେଷ କରି ସେମାନେ ଅନଭିଜ୍ଞ ଓ ଅଯୋଗ୍ୟ ଥିଲେ । ସେମାନେ ନିଜକୁ ବିଜ୍ଞାପିତ କରିବାକୁ ଲାଗିଲେ । ଫଳ ସ୍ବରୂପ ଏପରି ଅଘଟଣ ଘଟିଲା ।"

ଅଶୁଭ ସଙ୍କେତ ବୋଲି ଚର୍ଚ୍ଚା:-

ଶ୍ରୀଗୁଣ୍ଡିଚା ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ତିନିରଥ (ETV Bharat Odisha)

ଶାସ୍ତ୍ର ତଥା ନିଳାଦ୍ରୀ ମହୋଦୟରେ ଏହି ସମ୍ପର୍କରେ ଉଲ୍ଲେଖ ରହିଥିବା କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଉକ୍ତ ଲେଖା‌ ଅନୁସାରେ ରାଜାଙ୍କୁ ନିର୍ଦ୍ଦେଶ ରହିଛି ଯେ, ଅସାବଧାନତା ହେତୁ ଯଦି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ତଳେ ପଡିଯାନ୍ତି, ତେବେ ରାଜାଙ୍କର ଏବଂ ରାଜ୍ୟର ମହାଅନିଷ୍ଠ ହେବ । ଏଥିସହ ଦୁର୍ଭିକ୍ଷ ଏବଂ ମହାମାରୀ ବାରମ୍ବାର ପଡ଼ିବ । ଠାକୁର ପଡିଗଲେ ରାଣୀଙ୍କର ମୃତ୍ୟୁ ମଧ୍ୟ ହେବା ନେଇ ଉଲ୍ଲେଖ ରହିଛି । ତେଣୁ ବିଷ୍ଣୁଙ୍କର ପ୍ରୀତି ଉଦ୍ଦେଶ୍ୟରେ ଶାନ୍ତି ବିଧାନ କରିବାକୁ ହେବ । ତେବେ ନିଳାଦ୍ରୀ ମହୋଦୟରେ ଉଲ୍ଲେଖ ଥିବା କଥାବସ୍ତୁ ଏବେ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ହେଲେ ଏସମ୍ପର୍କରେ ସଠିକ ବ୍ୟାଖ୍ୟା କରାଯାଇପାରିନି ।

ତଦନ୍ତ ପାଇଁ ଗଠନ ହେଲା କମିଟି:-

ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ (ETV Bharat Odisha)

ତେବେ ଆଜି ବସିଥିବା ଶ୍ରୀମନ୍ଦିରର ପରିଚାଳନା କମିଟି ବୈଠକରେ ଏହି ଘଟଣାର ତଦନ୍ତ ପାଇଁ ଏକ 3ଜଣିଆ କମିଟି ଗଠନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, "ଘଟଣା ସମୟର ଭିଡିଓକୁ ଅନୁଶୀଳନ କରାଯିବ । ପହଣ୍ଡି ସମୟରେ କିଏ ସବୁ ରହିଥିଲେ, ସେମାନଙ୍କର କୌଣସି ଆବଶ୍ୟକତା ଥିଲା କି ନାହିଁ, ସେସବୁ ଅନୁଧ୍ୟାନ କରାଯିବ । ଏହି ୩ଜଣିଆ କମିଟି ‘ନିଳାଦ୍ରୀ ବିଜେ’ର ୧୦ଦିନ ମଧ୍ୟରେ ରିପୋର୍ଟ ଦେବେ । ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" କମିଟିରେ ଅତିରିକ୍ତ ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ଡେପୁଟି କମାଣ୍ଡାଣ୍ଟ ସଦସ୍ୟ ରହିଛନ୍ତି । କମିଟି ରିପୋର୍ଟ ପ୍ରଦାନ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ।

ଶ୍ରୀକ୍ଷେତ୍ରରେ ଅବ୍ୟବସ୍ଥା ଓ ବିଭ୍ରାଟର ଲମ୍ବା ତାଲିକା:-

2015 ମସିହାରେ ନବକଳେବର ବେଳେ ବ୍ରହ୍ମବିଭ୍ରାଟ ଦେଖିବାକୁ ମିଳିଥିଲା । ବନଜାଗ ଯାତ୍ରାରେ ଶ୍ରୀବଗ୍ରହଙ୍କ ପାଇଁ ଦାରୁ ଚୟନରେ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି ନିଶାର୍ଦ୍ଧରେ ହେବାକୁ ଥିବା ‘ବ୍ରହ୍ମ ପରିବର୍ତ୍ତନ ନୀତି’ ସ୍ପଷ୍ଟ ଦିବାଲୋକରେ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିରରେ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦାନ ଦକ୍ଷିଣାକୁ ନେଇ ବିବାଦ କାରଣରୁ ବିଭିନ୍ନ ସମୟରେ ନୀତି ବିଳମ୍ବ ଓ ମହାପ୍ରଭୁ ଉପବାସ ରହିବା, ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ, ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବା ଆଦି ଘଟଣା ଜଗନ୍ନାଥପ୍ରେମୀଙ୍କୁ ବହୁବାର ବ୍ୟଥିତ କରିଛି । ସଂସ୍କାରମୂଳକ ନିର୍ଦ୍ଦେଶାବଳି, କଡା କାର୍ଯ୍ୟାନୁଷ୍ଠାନ ନେଇ ଦାବି ଉଠିଛି । ଏବେ ପହଣ୍ଡିରେ ଶ୍ରୀବିଗ୍ରହ ତଳେ ପଡିଯିବା ଘଟଣା ସେସବୁ ଅବ୍ୟବସ୍ଥାକୁ ବଳିଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Jul 10, 2024, 8:05 PM IST

ABOUT THE AUTHOR

...view details