ଓଡିଶା

odisha

ETV Bharat / state

ଚଳିତ ବର୍ଷ ଗୋଟିଏ ଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା, ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ; ରଥ ଟଣା ହେବ ବିଳମ୍ବ - Ratha Yatra 2024

Puri Ratha Yatra 2024 Preparation: ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନୀତିକାନ୍ତିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିବ । ଦୀର୍ଘ ୫ ଦଶନ୍ଧି ପରେ ଏଭଳି ଘଟିବାକୁ ଯାଉଛି । ଯେଉଁଥିପାଇଁ ରଥ ଟଣା ନୀତି ବିଳମ୍ବ ହେବା ସହ ନବଯୌବନ ଦର୍ଶନ ସର୍ବସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିପାରେ । ପଢନ୍ତୁ ପୁରା ଖବର

Puri Ratha Yatra 2024
Puri Ratha Yatra 2024 (ETV Bharat Odisha)

By ETV Bharat Odisha Team

Published : Jun 15, 2024, 2:16 PM IST

ପୁରୀ: ଦୀର୍ଘ 53 ବର୍ଷ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ନୀତିକାନ୍ତିରେ ପରିବର୍ତ୍ତନ ଦେଖିବାକୁ ମିଳିବାକୁ ଯାଉଛି । ଅଣସର 15 ଦିନ ପରିବର୍ତ୍ତେ 13 ଦିନ ଅନୁଷ୍ଠିତ ହେବାକୁ ଯାଉଛି । କେବଳ ସେତିକି ନୁହେଁ ଚଳିତବର୍ଷ ରଥଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ ଗୋଟିଏ ଦିନରେ ପଡୁଛି । ଦୀର୍ଘ ପାଞ୍ଚ ଦଶନ୍ଧି ପରେ କ୍ଷୟ ତିଥି ପଡୁଥିବାରୁ ଏଭଳି ନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଅନ୍ୟପଟେ ଏହାକୁ ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତାରେ ପଡିଯାଇଛନ୍ତି ।

Puri Ratha Yatra 2024 (ETV Bharat Odisha)

ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଥିବାରୁ ଦୁଇ ଦିନର ନୀତି ଗୋଟିଏ ଦିନରେ କିଭଳି ସମ୍ପାଦନ ହେବ ସେନେଇ ଚିନ୍ତା ବଢୁଛି । ତେବେ ଚଳିତ ବର୍ଷ ରଥଯାତ୍ରାରେ ରଥ ଟଣା ବିଳମ୍ବ ହେବ ବୋଲି କୁହାଯାଇଛି । ଏଣୁ ସଂଧ୍ୟା ପୂର୍ବରୁ ପରମ୍ପରା ଅନୁଯାୟୀ କେବଳ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଅଳ୍ପ କିଛି ବାଟ ଟଣାଯାଇ ପରଦିନ ତିନି ରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବ ବୋଲି ଚର୍ଚ୍ଚା ହେଉଛି ।

ଚଳିତ ବର୍ଷ ଯେଭଳି ରଥଯାତ୍ରା ଦିନ ନେତ୍ରୋତ୍ସବ, ନବଯୌବନ ଦର୍ଶନ ତିଥି ପଡିଛି ସେହିଭଳି ଗତ 1971 ମସିହାରେ ଏହି ସମାନ ତିଥି ପଡ଼ିଥିଲା । ତେବେ ଶ୍ରୀମନ୍ଦିର ଦୈନିକ ଲିଖିତ ଡାଏରୀରୁ ମିଳିଥିବା ତଥ୍ୟ ଅନୁଯାୟୀ, 1971 ମସିହାରେ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବ ଦିନ ପଟି ଦିଅଁଙ୍କ ଠାରୁ ସକାଳ ଧୂପ ନୀତି ପରେ ରଥକୁ ଆଜ୍ଞା ମାଳ ବିଜେ କରିଥିଲା । ପରେ ତିନି ରଥକୁ ଶ୍ରୀମନ୍ଦିର ସିଂହଦ୍ଵାରକୁ ଅଣାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଭକ୍ତ-ଭଗବାନ ମଧ୍ୟରେ କମିଲା ଦୂରତା: ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର, ନୂଆ ସରକାରର ନିଷ୍ପତ୍ତିକୁ ନେଇ କ’ଣ କହୁଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଅତୀତରେ ପାଳନ ହୋଇଥିବା ବିଧି ବିଧାନକୁ ଅନୁକରଣ କରାଯାଏ । ଏଣୁ ଚଳିତ ବର୍ଷ ରଥଯାତ୍ରାରେ ମଧ୍ୟ ଗତ 1971 ମସିହାରେ ପାଳନ ହୋଇଥିବା ନୀତି ଅନୁକରଣ କରାଯାଇ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୂର୍ଗା ଦାସ ମହାପାତ୍ର ସୂଚନା ଦେଇଛନ୍ତି ।

1971 ମସିହା ପୂର୍ବରୁ ମଧ୍ୟ 1909 ମସିହାରେ ମଧ୍ୟ ଗୋଟିଏ ଦିନରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସହ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା । ତେବେ 1909 ମସିହାର ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ । ତେବେ 1971 ମସିହା ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ଏଣୁ 1971 ମସିହାର ରଥଯାତ୍ରା ନୀତି ଅନୁକରଣ କରାଯାଇ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବ ।

ସେପଟେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି, "ପ୍ରତି 40ରୁ 50 ବର୍ଷ ମଧ୍ୟରେ ଏଭଳି କ୍ଷୟ ତିଥି ପଡ଼ିଥାଏ । ଏଣୁ ପୂର୍ବରୁ ଶ୍ରୀମନ୍ଦିରର ଥିବା ପରମ୍ପରା ଓ ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳାରେ ଆୟୋଜନ ହେବ ।"

ଅନ୍ୟପଟେ ୩ ନୀତି ଗୋଟିଏ ଦିନରେ ପଡୁଥିବାରୁ ସମୟ ଅଭାବ ହେତୁ ଚଳିତବର୍ଷ ଭକ୍ତମାନେ ନବ ଯୌବନ ଦର୍ଶନରୁ ବଞ୍ଚିତ ହେବେ । ଭକ୍ତଙ୍କ ପାଇଁ ନବ ଯୌବନ ଦର୍ଶନ ବ୍ୟବସ୍ଥା ହେବ ନାହିଁ ବୋଲି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details