କେନ୍ଦ୍ରାପଡ଼ା:ଗଠନ ହେଲା ରାଜ୍ୟ ମୁସଲିମ ସଂଘ । ସଂଖ୍ୟା ଅଛି ହେଲେ ଅନ୍ୟ ଜାତିମାନଙ୍କ ଭଳି ସୁବିଧା ସୁଯୋଗ ପାଉନଥିବା ଅଭିଯୋଗ । ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସରକାର ଅଣଦେଖା କରୁଥିବା ଅଭିଯୋଗ । ସଂଗଠନ ଗଠନ କରି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ପ୍ରୟାସ । ଆଜି କେନ୍ଦ୍ରାପଡ଼ା ଗରାପୁର ସ୍ଥିତ ଏକ ମଣ୍ଡପରେ ଶତାଧିକ ସଂଖ୍ୟାଲଘୁ ମହିଳା ଓ ପୁରୁଷ ମିଳିତ ହୋଇ ରାଜ୍ୟ ମୁସଲିମ ସଂଘ (RMS) ଗଠନ କରିଛନ୍ତି । ସାରା ରାଜ୍ୟରେ ଏହାର ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ବାରମ୍ବାର ଭୁଲି ଯାଉଥିବାରୁ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଭିନ୍ନ ଦାବିକୁ ପୁନଃ ଉଠାଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ । ଚାକିରୀ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅତ୍ୟାବଶ୍ୟକ ଯୋଜନା ଗୁଡିକରେ ମୁସଲମାନମାନଙ୍କୁ ଅବହେଳା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଆରଏମଏସର ଆବାହକ ତଥା କଟକ ବଡ଼ ଡ଼ାକ୍ତରଖାନାର ନ୍ୟୁରୋ ସର୍ଜରୀ ବିଭାଗର ଡ଼ଃ ସାମି ସଲିମ । ମୁସଲମାନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସୁବିଧା, ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ୧ ଲକ୍ଷ ଟଙ୍କା ପ୍ରଦାନ, ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଓବିସି ତାଲିକାଭୁକ୍ତ କରିବା ସହ ରାଜନୀତି କ୍ଷେତ୍ରରେ ସେମାନଙ୍କୁ ଶାସକ ଦଳ ସୁଯୋଗ ଦେବା ପାଇଁ ଦାବି ସକରିଛନ୍ତି ।
ସାରା ରାଜ୍ୟରେ ମୁସଲମାନ ମହିଳା ଓ ପୁରୁଷଙ୍କ ସଂଖ୍ୟା ୩.୪% ରହିଥିବା ବେଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ୧୭% ରହିଛନ୍ତି । ଏହାସହ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଚଉଦକୁଲାଟ, ଦୋବନ୍ଧା, ମୁଗବାରି, ଗରାପୁର ସମେତ କେନ୍ଦ୍ରାପଡା ପୋୖରାଞ୍ଚଳ ଭୋଟରଙ୍କୁ ମିଶାଇ ମୋଟ ଭୋଟର ସଂଖ୍ୟାର ୩୪% ବୋଲି ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଯଦି ରାଜ୍ୟ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଦାବିଗୁଡ଼ିକୁ କର୍ଣ୍ଣପାତ ନ କରନ୍ତି । ତାହାଲେ ଆନ୍ଦୋଳନ ଚେତାବନୀ ଦେଇଛି ସଂଘ ।