ଭୁବନେଶ୍ବର: ଓଡ଼ିଶାରେ ଘୋଷଣା ହେଲା ଆଉ ଦୁଇଟି ନୂଆ ରେଳ ପ୍ରକଳ୍ପ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇଟି ନୂଆ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ବହୁ ଦିନରୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ତାହା ହେଉଛି ଜଳେଶ୍ୱର-ଚନ୍ଦନେଶ୍ୱର (42 କିମି) ଏବଂ ଅନ୍ୟଟି ନରସିଂହପୁର-କଣ୍ଟିଲୋ- ଖଣ୍ଡପଡା ଦେଇ ଅନୁଗୋଳ-ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ କର୍ଡ ଲାଇନ (120 କିମି )।
ପ୍ରଥମଟି ଦିଘା-ଜଳେଶ୍ୱର (ଚନ୍ଦନେଶ୍ୱର) ନୂଆ ଲାଇନ ପ୍ରକଳ୍ପ (42କିମି) ଫାଷ୍ଟ ଟ୍ରାକ ଆଧାରରେ ନିର୍ମାଣ କରାଯିବ l ଏଥିପାଇଁ ସ୍ୱୀକୃତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି । ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ l ଏହି ରେଳ ସଂଯୋଗ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଏବଂ ପର୍ଯ୍ୟଟନକୁ ସମୃଦ୍ଧ କରାଇବା ସହିତ ମୁଖ୍ୟସ୍ରୋତରେ ସାମିଲ ହେବ l ଜଳେଶ୍ୱର-ଚନ୍ଦନେଶ୍ୱର ରେଳ ଲାଇନ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଯଥା ଚନ୍ଦନେଶ୍ୱର, ଭୂଷଣ୍ଢେଶ୍ୱର ସହିତ ଜଳେଶ୍ୱର ଷ୍ଟେସନକୁ ସଂଯୋଗ କରାଇବ । ଏହାଦ୍ୱାରା ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ । ଏଥିରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, କୃଷକ, ସ୍ଥାନୀୟ ବ୍ୟବସାୟୀ ଉପକୃତ ହେବେ । ବାଲେଶ୍ୱର ଜିଲ୍ଲାର ଅନୁନ୍ନତ ଅଞ୍ଚଳ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ମତ୍ସ୍ୟ ଉତ୍ପାଦନାକାରୀ ଏବଂ ସ୍ଥାନୀୟ କୃଷିଜାତ ଦ୍ରବ୍ୟ ଉତ୍ପାଦନକାରୀମାନେ ମଧ୍ୟ ଏହା ରେଳ ପ୍ରକଳ୍ପରେ ଉପକୃତ ହେବେ ।