ଭୁବନେଶ୍ବର: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ସାରା ଦେଶରେ ପ୍ରତିବାଦ କରୁଛି କଂଗ୍ରେସ । ସବୁ ରାଜ୍ୟରେ ବିଜେପି ମୁଖ୍ୟାଳୟ ଓ ସ୍ଥାନୀୟ ଥାନାରେ ବିବାଦୀୟ ମନ୍ତବ୍ୟ ଦେଇଥିବା NDA ନେତାଙ୍କ ବିରୋଧରେ ଏତଲା ଦେଇଛି କଂଗ୍ରେସ । ସେହି କ୍ରମରେ ଓଡିଶା କଂଗ୍ରେସ ପକ୍ଷରୁ ରାଜଧାନୀରେ ପ୍ରତିବାଦ କରାଯାଇଛି । ଖାରବେଳନଗର ଥାନାରେ ଷ୍ଟିୟରିଙ୍ଗ କମିଟି ସଂଯୋଜକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଏତଲା ଦେଲା କଂଗ୍ରେସ ଟିମ ।
ବ୍ୟାରିକେଡ କରି ଅଟକାଇଲା ପୋଲିସ:
ହଜାର ହଜାର କଂଗ୍ରେସ ନେତା କର୍ମୀ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ । ବିଜେପି କାର୍ଯ୍ୟାଳୟ ଘେରାଉ କରିବା ସମୟରେ ବ୍ୟାରିକେଡ କରି ଅଟକାଇଥିଲା ପୋଲିସ । କେନ୍ଦ୍ରମନ୍ତ୍ରୀ ରଭନିତ୍ ବିଟୁ, ଶିବସେନା ନେତା ସଞ୍ଜୟ ଗାଏକ୍ୱାଡଙ୍କ ସମେତ କିଛି ନେତା ଗାନ୍ଧୀଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବାରୁ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଏହି ଘଟଣାରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏନେଇ ଆଜି ଦଳ ପ୍ରତିବାଦ କରୁଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, ମହମ୍ମଦ ମୋକିମ, ଶରତ ରାଉତ, ୟାସିର ନୱାଜଙ୍କୁ ଅଟକ ରଖିଥିଲା ପୋଲିସ । ଏଥିସହ ଛାତ୍ର, ଯୁବ ଓ ମହିଳା କଂଗ୍ରେସ ପ୍ରତିବାଦ କରି ବ୍ୟାରିକେଡ଼ ଡେଇଁବା ପାଇଁ ଉଦ୍ୟମ କରୁଥିବା ବେଳେ ଉଠାଇ ନେଲା ପୋଲିସ । ଖାରବେଳ ନଗର ଥାନା ପୂର୍ବରୁ ଓ ପରେ ଦୁଇଟି ବ୍ୟାରିକେଡ଼ କରି କଂଗ୍ରେସ କର୍ମୀଙ୍କୁ ଅଟକାଇ ଥିଲା ପୋଲିସ ।
‘ମୋଦିଙ୍କୁ ଓଡ଼ିଶାରେ ପୂରାଇ ଦିଆଯିବ ନାହିଁ’
ପ୍ରତିବାଦକୁ ନେଇ କଂଗ୍ରେସ ଷ୍ଟିୟରିଙ୍ଗ କମିଟି ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି, ‘ଭାରତୀୟ ଜନତା ପାର୍ଟିର ଯେଉଁ ନେତା କହିଥିଲେ ରାହୁଲ ଗାନ୍ଧୀ ସୁଧର ଯାଓ ନେହି ତୋ ଦାଦୀ କା ହାଲତ ହୋଗା । ଜଣେ କେନ୍ଦ୍ରମନ୍ତ୍ରୀ ପଦବୀରେ ଥାଇ ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିବା ଶୋଭା ପାଉନାହିଁ । କଂଗ୍ରେସ ସଭାପତି ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲା ପରେ ମଧ୍ୟ କାହିଁକି ମୌନ ବ୍ରତ ଅବଲମ୍ବନ କରିଛନ୍ତି ମୋଦି,ତା ମାନେ ପରୋକ୍ଷରେ ସେ ତାଙ୍କ ଦଳର ରାଜନେତା ମାନଙ୍କୁ ଏହିପରି ହିଂସାତ୍ମକ କାର୍ଯ୍ୟକ୍ରମ କରିବାକୁ ପ୍ରୋତ୍ସାହନ ଦେଇଛନ୍ତି ଯାହାକୁ ଆମେ ଦୃଢ଼ ଭାବରେ ନିନ୍ଦା କରୁଛୁ । ଆମେ ରାହୁଲ ଗାନ୍ଧୀଙ୍କ ସହ ଛିଡା ହେଉଛୁ । ସାରା ଭାରତବର୍ଷ ଆମ ସହ ଛିଡା ହୋଇଛି । ଭାରତ ଏକ ଶାନ୍ତିପ୍ରିୟ ଦେଶ ଏଠି ଘୃଣ୍ୟ ରାଜନୀତି ଚାଲିବ ନାହିଁ । ଏହା ବିରୋଧରେ ବିଭିନ୍ନ ଦଫାରେ ଏତଲା ଦାଖଲ କରିଛୁ । ଏଥିରୁ କ୍ଷାନ୍ତ ହୁଅନ୍ତୁ ନହେଲେ କଂଗ୍ରେସ ଦଳ ସାରା ଭାରତବର୍ଷରେ ରାହୁଲ ଜୀଙ୍କ ପଛରେ ଛିଡ଼ା ହୋଇଥିବ ଏବଂ ମୋଦିଙ୍କୁ ଓଡ଼ିଶାରେ ପୁରାଇ ଦିଆଯିବ ନାହିଁ ଯେଉଁ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।’
‘ବିଜେପିର ଷଡଯନ୍ତ୍ର’
ସେହିପରି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି,‘ ବିଜେପିର ଏକ ବଡ଼ ଷଡଯନ୍ତ୍ର ରାହୁଲ ଗାନ୍ଧୀଙ୍କୁ ଚୁପ କରିବା ପାଇଁ । ଏହି ସ୍ତରକୁ ସେମାନେ ଓହ୍ଲାଇ ଯାଇଛନ୍ତି ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦିଆଯାଇଛି ଏହା ମାମୁଲି କଥା ନୁହେଁ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ସେ ସମ୍ପର୍କରେ ବକ୍ତବ୍ୟ ଦେବା ତ ଦୂରର କଥା କାର୍ଯ୍ୟାନୁଷ୍ଠାନ କୌଣସି ଜାଗାରେ କରାଯାଇ ନାହିଁ। ସମଗ୍ର ଦେଶରେ କଂଗ୍ରେସ ସହ ସାଧାରଣ ଲୋକେ ଆଜି ବିକ୍ଷୋଭ ପଦର୍ଶନ କରିଛୁ । ଏହାର ତୀବ୍ର ପ୍ରତିବାଦ କରି ଖାରବେଳ ନଗର ଥାନାରେ ଏତଲା ଦେଇଛୁ । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।’
‘କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ’
ସେହିପରି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଛନ୍ତି,‘ ଯେତେବେଳେ ରାହୁଲ ଗାନ୍ଧୀ 4 ହଜାର କିମି ପଦଯାତ୍ରା କରି ଭାଇଚାରା,ସଦଭାଵର ଯେଉଁ ଜୁଆର ସୃଷ୍ଟି କଲେ ସେ ଜୁଆରକୁ ରୋକିବା ପାଇଁ ଏ ବର୍ତ୍ତମାନ ଘୃଣା ଏବଂ ହିଂସାର ବାତାବରଣ ସୃଷ୍ଟି କରିବା ପାଇଁ ଏଭଳି ଆତଙ୍କି ଉକ୍ତି ମାଧ୍ୟମରେ । ସେମାନଙ୍କ ବିରୋଧ ରେ ଦୃଢ କଠୋର ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।
ଇଟିଭି ଭାରତ, ଭୁବନେଶ୍ବର