ଓଡିଶା

odisha

ETV Bharat / state

ଆସିଲା ରେଳ ବଜେଟ ଅଙ୍କ: ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ରେକର୍ଡ ପ୍ୟାକେଜ, UPAଠୁ ୧୨ ଗୁଣା ଅଧିକ, ଶତ ପ୍ରତିଶତ ବିଦ୍ୟୁତକରଣର ହିସାବ ଦେଲେ ଅଶ୍ବିନୀ ବୈଷ୍ଣବ - Railway Budget for Odisha - RAILWAY BUDGET FOR ODISHA

RAILWAY BUDGET FOR ODISHA: ରେଳ ବଜେଟରେ ଓଡିଶାକୁ ମିଳିଛି ସାଢେ 10 ହଜାର କୋଟି । ଅଧିକ ପଢନ୍ତୁ

Union Budget 2024: Railway Minister Ashwini Vaishnaw says odisha to gets more than 10,000 crore in Railway Budget
Union Budget 2024: Railway Minister Ashwini Vaishnaw says odisha to gets more than 10,000 crore in Railway Budget (ETV Bharat Odisha)

By ETV Bharat Odisha Team

Published : Jul 24, 2024, 4:27 PM IST

Updated : Jul 24, 2024, 5:41 PM IST

ଭୁବନେଶ୍ବର:ଗତକାଲି ଉପସ୍ଥାପିତ ହୋଇଛି ମୋଦି ସରକାର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ଏଥିରେ ଓଡିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ । ଯାହା ଗତ ବାର୍ଷିକ ଅନୁଦାନଠାରୁ ପ୍ରାୟ 5ଶହ କୋଟି ଅଧିକ ।ଆଜି ପ୍ରେସମିଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେବା ସହ ଏହା ଏକ ରେକର୍ଡସଂଖ୍ୟକ ଅନୁଦାନ ବୋଲି କହିଛନ୍ତି । ଓଡିଶାର ରେଳ ଭିତ୍ତିଭୂମି ପ୍ରତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବତନ୍ତ୍ର ଫୋକସ ରହିଛି କହିଛନ୍ତି ରେଳମନ୍ତ୍ରୀ ।

ଓଡ଼ିଶାକୁ ରେଳ ବଜେଟ ସମ୍ପର୍କରେ ରେଳମନ୍ତ୍ରୀଙ୍କ ପ୍ରେସମିଟ୍‌ (ETV Bharat Odisha)

ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାର ବେଳେ ରାଜ୍ୟକୁ ବାର୍ଷିକ ୮୩୮ କୋଟିର ରେଳ ଅନୁଦାନ ମିଳୁଥିଲା । ଏବେ ଓଡ଼ିଶାକୁ ‘ୟୁପିଏ’ ସରକାର ତୁଳନାରେ ୧୨ଗୁଣା ଅଧିକ ଅନୁଦାନ ମିଳୁଛି । ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ କାର୍ଯ୍ୟ ମଧ୍ୟ ସରିଛି । ରାଜ୍ୟରେ ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ୍‌ ନିର୍ମାଣ ହୋଇଛି । ରାଜ୍ୟରେ 59ଟି ରେଳ ଷ୍ଟେସନର ଭିତ୍ତିଭୂମି ସୁଦୃଢୀକରଣ କାର୍ଯ୍ୟ ଚାଲୁ ରହିଛି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ରେକର୍ଡ ପ୍ୟାକେଜ (ETV Bharat Odisha)

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଟ 48 ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥି ବା ବେଳେ ଏଥିରେ ରେଳବାଇକୁ 2.62 ଲକ୍ଷ କୋଟିର ବ୍ୟୟବରାଦ ମିଳିଛି । 2024-25 ଆର୍ଥିକବର୍ଷ ପାଇଁ ଓଡିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର 10,536 କୋଟି ଟଙ୍କା ଆବଣ୍ଟନ କରିଛି । ଯାହା ଗତ ବର୍ଷର ବଜେଟରେ ଅନୁମୋଦିତ ରାଶିଠାରୁ 524କୋଟି ଟଙ୍କା ଅଧିକ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି ।

ପୂର୍ବତଟ ରେଳବାଇ ସର୍ବାଧିକ ଦୂରତା ଓଡିଶା ଦେଇ ଅତିକ୍ରମ କରିଛି । ଭୁବନେଶ୍ବର ପୂର୍ବତଟ ରେଳବାଇର ମୁଖ୍ୟାଳୟ ମଧ୍ୟ । ଗତ ତିନି ବର୍ଷ ମଧ୍ୟରେ ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶା ପାଇଁ ବାର୍ଷିକ ହାରାହାରି ପ୍ରାୟ 10,000 କୋଟି ଟଙ୍କା ବ୍ୟୟବରାଦ କରିଆସୁଛନ୍ତି । ତେବେ ଏଥର ଅନୁଦାନ ରାଶି ପ୍ରାୟ 5ଶହ କୋଟି ବୃଦ୍ଧି ପାଇଛି । ଚଳିତ ବଜେଟ ପରିମାଣକୁ ରେଳମନ୍ତ୍ରୀ କଂଗ୍ରେସ ସରକାର ସହ ତୂଳନା କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡିଶା ଓ ପୂର୍ବ ଭାରତର ରେଳ ଭିତ୍ତିଭୂମିକୁ ସ୍ବତନ୍ତ୍ର ଫୋକସ ଦେଇଛନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ବର୍ଷ 2009 ରୁ 2014 ମଧ୍ୟରେ ରାଜ୍ୟ ପାଇଁ ବାର୍ଷିକ ହାରାହାରି ଖର୍ଚ୍ଚ ପ୍ରାୟ 838 କୋଟି ଟଙ୍କା ଥିଲା । ଏବେ ମୋଦି ସରକାରରେ ରାଜ୍ୟ ପାଇଁ ଆବଣ୍ଟନ ପରିମାଣ ପ୍ରାୟ 12ଗୁଣ ବୃଦ୍ଧି ପାଇଥିବା କଥା କହିଛନ୍ତି ଅଶ୍ବିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2024, 5:41 PM IST

ABOUT THE AUTHOR

...view details