କଟକ/ନୂଆପଡା:ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲାରେ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ପୋଲିସ । ଏଥିରେ 81ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପ୍ରାୟ 29 ଲକ୍ଷ 55 ହଜାର ଅଧିକ ନଗଦ ଟଙ୍କା ଓ ଏକାଧିକ କାର ଓ ବାଇକ ଜବତ କରାଯାଇଛି । ନୂଆପଡା ଜିଲ୍ଲା ଜୋଙ୍କା ଥାନା ଅନ୍ତର୍ଗତ ଠେଲକୋବେଡା ଗ୍ରାମରେ ଗତକାଲି (ଶନିବାର) ରାତିରେ ଏଭଳି ବଡ଼ ଧରଣର ଚଢ଼ାଉ କରିଥିଲା । ବିପୁଳ ପରିମାଣର ନଗଦ ଟଙ୍କା ,୨୫ଟି କାର ଓ ୧୦ରୁ ଅଧିକ ବାଇକ ଜବତ କରିବାରେ ସଫଳ ହୋଇଛି ପୋଲିସ । ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
- ପୋଲିସ ହାତରେ ଲାଗିଥିଲା ଗୁଇନ୍ଦା ଇନପୁଟ୍:-
ଗତ କିଛି ମାସ ହେବ ଠେଲକୋବେଡା ଗ୍ରାମର ଗୋଶାଳା ପାଖରେ ଥିବା ଏକ ଘର ଭିତରେ ବଡଧରଣର ଜୁଆ ଆଡ୍ଡା ଚାକିଥିବା ନେଇ ପୋଲିସ ନିକଟରେ ସୂଚନା ପହଞ୍ଚିଥିଲା । ଗତକାଲି ରାତିରେ ପୋଲିସ ଟିମ ଉକ୍ତ ଆଡ୍ଡାରେ ଅତର୍କିତ ଚଢାଉ କରିଥିଲା । ନୂଆପଡା ଏସପିଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ଫୋର୍ସ ଏହି ଚଢାଉ କରିଥିଲେ । 81 ଜଣଙ୍କୁ ଗିରଫ କରାଯାଇ ଥାନାରେ ରଖାଯାଇଛି । ସେମାନଙ୍କୁ ଜେରା କରାଯାଉଛି । ଆଜି ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ । ଏହା ଏକ ସୀମାନ୍ତ ଏରିଆ ହୋଇଥିବାରୁ ପୋଲିସ ଏହି ମାମଲାରେ ଆନ୍ତରାଜ୍ୟ ଜୁଆଡିଙ୍କ ଭୂମିକାକୁ ମଧ୍ୟ ସନ୍ଦେହ କରୁଛି । ସେହି ଦିଗରୁ ତଦନ୍ତ ଜାରି ରହିଛି ।
81 ଜୁଆଡି ଗିରଫ:
ନୂଆପଡା ଏସପି ଜି ରାଘବେନ୍ଦ୍ର ରେଡ୍ଡି କହିଛନ୍ତି, ‘ନୂଆପଡା ଜିଲ୍ଲା ଆଦର୍ଶ ଜୋଙ୍କ ଥାନା ଖରିଆର ରୋଡ଼ ଅଧିନସ୍ଥ ଚାଳମୁଣ୍ଡା ଗାଁର ଏକ ନିଛାଟିଆ ଅଜଣା ସ୍ଥାନରେ ଦୀର୍ଘ ଦିନରୁ ବେଆଇନ ଜୁଆ ଖେଳ ଚାଳି ଆସୁଥିଲା । ଏନେଇ ଖବର ମିଳିବା ପରେ କୋରାପୁଟ, ନୂଆପଡା ପୋଲିସର ମିଳିତ ସ୍ୱତନ୍ତ୍ର ଟିମ ଗଠନ କରି ଚାଳମୁଣ୍ଡା ଗାଁର ଜୁଆ ଆଡ୍ଡା ଉପରେ ଶନିବାର ମଧ୍ୟ ରାତ୍ରିରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ 81 ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ତାଙ୍କଠାରୁ 29 ଲକ୍ଷ 55 ହଜାର ଟଙ୍କା ଜବତ କରିଛି ମିଳିତ ସ୍ୱତନ୍ତ୍ର ପୋଲିସ ଟିମ । ଏହା ସହିତ 81ଜଣ ଜୁଆଡ଼ି ଗିରଫ ହୋଇଛନ୍ତି । ଗିରଫ ଜୁଆଡ଼ି ମାନେ ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶାର ବୋଲି ଜଣାପଡିଛି । ଛତିଶଗଡ଼ର ରାୟପୁର, ମହାସମୁନ, ଦୁର୍ଗ, ଭେଳାଇ ଅଞ୍ଚଳର ଜୁଆଡ଼ି ସାମିଲ ରହିଛନ୍ତି ।