ପୁରୀ:ସରିଲା ଦ୍ବାଦଶ ଦିନର ଯାତ୍ରା । ନୀଳକନ୍ଦର ବାହୁଡିଲେ ନୀଳାଦ୍ରିନାଥ । ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ଦିନରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଛି । ଗୋଟି ପହଣ୍ଡିରେ ତିନି ଦିଅଁ ବଡ଼ଦେଉଳକୁ ବିଜେ କରିଛନ୍ତି । ଭକ୍ତଙ୍କ ଗହଳି ଚହଳିରେ ଲୋକାରଣ୍ୟ ହୋଇଥିଲା ଶ୍ରୀକ୍ଷେତ୍ର । ରଥଯାତ୍ରାରେ ଦାରୁବ୍ରହ୍ମ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ କରିଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବାହୁଡିଛନ୍ତି । ବଡ଼ ସାଆନ୍ତେ ଓ ଭଗିନୀ ସୁଭଦ୍ରା ସୁରୁଖୁରୁରେ ବଡ଼ଦେଉଳରେ ପ୍ରବେଶ କରିଥିଲେ । କିନ୍ତୁ କାଳିଆ ସାଆନ୍ତେଙ୍କ ବାଟ ଓଗାଳିଥିଲେ ରୋଷ କରିଥିବା ମହାଲକ୍ଷ୍ମୀ । ଏହି ସମୟରେ ଅପୂର୍ବ ଲକ୍ଷ୍ମୀ ନାରାୟଣ ଭେଟର ଦୁର୍ଲଭ ଦୃଶ୍ୟ ଦେଖିଥିଲେ ଅଗଣିତ ଭକ୍ତ ।
ନୀତି ନିର୍ଘଣ୍ଟ ଅନୁଯାୟୀ, ଅପରାହ୍ନ 4ଟାରେ ନୀଳାଦ୍ରି ବିଜେ ନୀତି ଆରମ୍ଭ ହୋଇଥିଲା । ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହ ଦକ୍ଷିଣୀ ଘରେ ବିଜେ କରିବା ପରେ ଚକ୍ରରାଜ ସୁଦର୍ଶନଙ୍କ ଗୋଟି ପହଣ୍ଡି ହୋଇଥିଲା । ଏହାପରେ ଗୋଟି ପହଣ୍ଡିରେ ବାହାରିଥିଲେ ବଡ଼ ଠାକୁର ବଳଭଦ୍ର । ବଡ଼ ଭାଇ ପଛେ ପଛେ ସୁଭଦ୍ରାଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା । ଶେଷରେ କାଳିଆ ଠାକୁରଙ୍କ ଗୋଟି ପହଣ୍ଡି ଅନୁଷ୍ଠିତ ହୋଇଥିଲା ।
ଜଗତ ଦେଖିଲା ଲକ୍ଷ୍ମୀ-ନାରାୟଣ କଳି:-
ନୀଳାଦ୍ରି ବିଜେର ସବୁଠୁ ଦୁର୍ଲଭ ଦୃଶ୍ୟ ହେଉଛି ଲକ୍ଷ୍ମୀନାରାୟଣ କଳି । କାଳିଆ ଠାକୁର ରଥରେ ଭଉଣୀଙ୍କୁ ସାଙ୍ଗରେ ନେଇ ଗଲେ । କିନ୍ତୁ ନବ ବିବାହିତା ପତ୍ନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଦେଉଳରେ ଛାଡ଼ି ଚାଲିଗଲେ । ଏଥିଲାଗି ମହାଲକ୍ଷ୍ମୀ ରୋଷ କରିଛନ୍ତି । ହେରାପଞ୍ଚମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ପ୍ରଭୁଙ୍କୁ ଶ୍ରୀମନ୍ଦିର ଫେରି ଆସିବାକୁ ଡାକିଥିଲେ । ହେଲେ ବଡ଼ ଦେଉଳକୁ ଫେରିଲେନି କାଳିଆ ଠାକୁର । ଫଳରେ ଲକ୍ଷ୍ମୀ ଠାକୁରାଣୀଙ୍କ କ୍ରୋଧ ପ୍ରଚଣ୍ଡ ରୂପ ଧାରଣ କରିଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରିବା ସମୟରେ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗି ଦେଇଆସିଥିଲେ ।