ଭୁବନେଶ୍ବର:ତିନିଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତମାସ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ୩ ଦିନିଆ ଗସ୍ତରେ ଆସି ମୟୂରଭଞ୍ଜ, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟସୂଚୀ ରହିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରିବା ପାଇଁ ଗତକାଲି (ମଙ୍ଗଳବାର) ଅପରାହ୍ନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
- ୨୩ ତାରିଖରେ ମୟୂରଭଞ୍ଜରେ ପହଞ୍ଚିବେ:
ସମ୍ଭାବ୍ୟ ଗସ୍ତ କାର୍ଯ୍ୟସୂଚୀ ଅନୁସାରେ ୨୩ ତାରିଖ ସକାଳ ୯.୨୫ ମିନିଟରେ ରାଷ୍ଟ୍ରପତି ପଶ୍ଚିମବଙ୍ଗ କଲେଇକୁଣ୍ଡା ବିମାନ ବନ୍ଦରରୁ ବାହାରିବେ । ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ସେ ପୂର୍ବାହ୍ନ ପ୍ରାୟ ୯.୫୫ ମିନିଟରେ ମୟୂରଭଞ୍ଜର ବାଙ୍ଗିରିପୋଷି ହେଲିପ୍ୟାଡରେ ପହଞ୍ଚିବେ। ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ରେଳ ଲାଇନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ସହ ଭିସି ଜରିଆରେ ରାଇରଙ୍ଗପୁରରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ ଏବଂ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ ।
- ଗୃହଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ:-
ବାଙ୍ଗିରିପୋଷି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ମଧ୍ୟାହ୍ନରେ ରଙ୍ଗମାଟିଆ ହେଲିପ୍ୟାଡରେ ଓହ୍ଲାଇ ଉପରବେଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରବାକୁ ଯିବେ । ଅପରାହ୍ନ ୧.୧୦ରୁ ୧.୪୦ ଯାଏଁ ରାଷ୍ଟ୍ରପତି ଉପରବେଡା ଘରେ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିବେ । ରାଇରଙ୍ଗପୁରରେ ମଧ୍ୟାନ୍ନ ଭୋଜନ ପରେ ରାଷ୍ଟ୍ରପତି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ‘ଏଏଲଏସ ଟ୍ରଷ୍ଟ’ ତରଫରୁ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପଣ କରିବେ । ପରେ ସେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଗସ୍ତ କରି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହ ଭାବ ବିନିମୟ କରିବେ । ସଂଧ୍ୟାରେ ରାଇରଙ୍ଗପୁର ପୁଣ୍ୟେଶ୍ୱର ମହାଦେବ ମନ୍ଦିର ଯାଇ ନବନିର୍ମିତ ଶ୍ରୀ ଗଣେଶଙ୍କ ପ୍ରତିମା ଅନାବରଣ କରିବେ । ସେଦିନ ରାଷ୍ଟ୍ରପତି ରାଇରଙ୍ଗପୁରରେ ଅବସ୍ଥାନ କରିବେ ।
- ୨୪ ସକାଳୁ ପୁରୀ ଗସ୍ତ
୨୪ ତାରିଖ ସକାଳୁ ରାଷ୍ଟ୍ରପତି ରାଇରଙ୍ଗପୁରରୁ ବାହାରି ଦାଣ୍ଡବୋଷ ବିମାନ ବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ । ପୂର୍ବାହ୍ନ ୧୦.୪୫ ରେ ତାଳବଣିଆ ହେଲିପ୍ୟାଡରେ ଓହ୍ଲାଇବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ ଓ ଆଳତୀ କରିବେ । ସେଦିନ ୧୨.୧୦ ରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ଭୁବନେଶ୍ୱର ଫେରିବେ ।
ଅପରାହ୍ନ ୪.୧୫ ରେ ‘ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ’ର ୪୦ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ । ସଂଧ୍ୟା ୬ରେ ନବନିର୍ମିତ ବିଚାର ବିଭାଗୀୟ କୋର୍ଟ କମ୍ପ୍ଲେକ୍ସକୁ ରାଷ୍ଟ୍ରପତି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ । ୨୫ ତାରିଖ ସକାଳ ୯.୩୦ ରେ ଭୁବନେଶ୍ୱର ନୀଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତିର ଅନାବରଣ କରିବେ । ପୂର୍ବାହ୍ନ ୧୦.୨୦ ରେ ସେ ଭାରତୀୟ ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ରାୟପୁର ଅଭିମୁଖେ ଯାତ୍ରା କରିବେ ।
- ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ:-